ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ: ବୁମରାଙ୍କ ବୋଲିଂରେ ଧରାଶାୟୀ ଇଂଲଣ୍ଡ, ୧୧୦ ରନରେ ଅଲଆଉଟ୍
ଲଣ୍ଡନ : ଯଶପ୍ରୀତ ବୁମରାଙ୍କ ଘାତକ ବୋଲିଂରେ ଇଂଲଣ୍ଡ ଧରାଶାୟୀ । ଲଣ୍ଡନର କେନିଙ୍ଗଟନ ଓଭାଲରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଘରୋଇ ଇଂଲଣ୍ଡ ୨୫.୨ ଓଭରରେ ୧୧୦ ରନରେ ଅଲଆଉଟ୍ ହୋଇଛି । ଭାରତୀୟ ବୋଲରଙ୍କ ଦୁର୍ଦ୍ଦଷ ବୋଲିଂ ଆଗରେ ତିଷ୍ଠି ପାରି ନାହାନ୍ତି ଇଂରେଜ ଖେଳାଳି । ଭାରତୀୟ ବୋଲର ଏମିତି ଶାଣିତ ବୋଲିଂ କରିଛନ୍ତି ଯେ, ଇଂଲଣ୍ଡର ୪ ବ୍ୟାଟସମ୍ୟାନ ଖାତା ଖୋଲି ପାରିନଥିବା ବେଳେ ୭ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନାହାନ୍ତି । ଇଂଲଣ୍ଡ ଦଳର ଦିନିକିଆରେ ସର୍ବନିମ୍ନ ସ୍କୋର ହେଉଛି ୮୬ । ୨୦୦୧ରେ ଅଷ୍ଟ୍ରେଲିଆ ବିରୋଧରେ ଇଂଲଣ୍ଡ ଏହି ସ୍କୋର କରିଥିଲା । ଆଜିର ମ୍ୟାଚରେ ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୧୯ ରନ ଦେଇ ୬ଟି ୱିକେଟ୍ ନେଇଛନ୍ତି । ଦିନିକିଆ କ୍ୟାରିୟରରେ ଏହା ବୁମରାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଏହା ପୂର୍ବରୁ ଟସ୍ ଜିତି ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ ।
ଆରମ୍ଭରୁ ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ଭାରତୀୟ ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରିନପାରି ଘରୋଇ ଦଳ ୨୫ ରନ ଭିତରେ ଅଧା ୱିକେଟ୍ ହରାଇଥିଲା । ୬ ରନ ସ୍କୋରରେ ଜାସନ ରୟ(୦) ଏବଂ ଜୋ ରୁଟ୍(୦)ଙ୍କୁ ଖାତା ଖୋଲିବାକୁ ଦେଇନଥିଲେ ଯଶପ୍ରୀତ ବୁମରା । ପୁଣି ବେନ ଷ୍ଟୋକଙ୍କୁ ମଧ୍ୟ ଶୂନ୍ୟ ରନରେ ପାଭିଲିୟନ ପଠାଇଥିଲେ ମହମ୍ମଦ ଶାମି । ବେୟାରଷ୍ଟୋ(୭)ଙ୍କୁ ନିଜର ତୃତୀୟ ଶିକାର କରିଥିଲେ ବୁମରା । ଲିୟାମ ଲିଭିଙ୍ଗଷ୍ଟୋନକୁ ବୋଲ୍ଡ କରି ଖାତା ମଧ୍ୟ ଖୋଲିବାକୁ ଦେଇନଥିଲେ ବୁମରା । ମୋଇନ ଅଲ୍ଲୀ କିଛି ସମୟ କ୍ରିଜରେ ରହି ୧୪ ରନ କରି ପ୍ରସିଦ୍ଧ କୃଷ୍ଣାଙ୍କୁ ୱିକେଟ୍ ଦେଇଥିଲେ । ଭଲ ବ୍ୟାଟିଂ କରିଥିଲେ ବି ଜୋସ୍ ବଟଲର ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ । ସେ ୩୨ ବଲରୁ ୬ ଚୌକା ସହ ୩୦ ରନ କରି ଶାମିଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । କ୍ରେଗ ଓଭରଟନ(୮)ଙ୍କୁ ଆଉଟ୍ କରି ଶାମି ଭାରତକୁ ଅଷ୍ଟମ ସଫଳତା ଦେଇଥିଲେ । ଏହା ପରେ ଡେଭିଡ୍ ୱିଲି ଏବଂ ବ୍ରିଡନ କାରସେ ନବମ ୱିକେଟରେ ୩୫ ରନ ଯୋଡିବାରୁ ଇଂଲଣ୍ଡ ୧୦୦ ରନ କରି ପାରିଛି । ବୁମରା କାରସେ(୧୫)କୁ କ୍ଲିନ ବୋଲ୍ଡ କରି ବ୍ୟକ୍ତିଗତ ପଂଚମ ସଫଳତା ହାସଲ କରିଥିଲେ । ଡେଭିଡ୍ ୱିଲି(୨୧)ଙ୍କୁ ବୋଲ୍ଡ କରି ଇଂଲଣ୍ଡ ଇନିଂସର ଅନ୍ତ ଘଟାଇଥିଲେ ବୁମରା । ଭାରତ ପକ୍ଷରୁ ବୁମରା ୭.୨ ଓଭରରେ ମାତ୍ର ୧୯ ରନ ଦେଇ ୬ ସଫଳତା ହାସଲ କରିଛନ୍ତି ।ଦିନିକିଆ କ୍ରିକେଟରେ ବୁମରାଙ୍କ ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଏହା ପୂର୍ବରୁ ସେ ଦିନିକିଆରେ ୨୭ ରନ ଦେଇ ୫ଟି ୱିକେଟ୍ ନେଇଥିଲେ । ମହମ୍ମଦ ଶାମି ୩୧ ରନ ଦେଇ ୩ଟି ୱିକେଟ୍ ନେଇଥିବା ବେଳେ ପ୍ରସିଦ୍ଧ କୃଷ୍ଣା ଗୋଟିଏ ୱିକେଟ୍ ନେଇଛନ୍ତି ।