ଷଷ୍ଠ ପର୍ଯ୍ୟାୟରେ ନୟାଗଡରୁ ପୁରୀରେ ପହଞ୍ଚିଲା ୧୨ ଖଣ୍ଡ ଫାସୀ କାଠ

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଷଷ୍ଠ ପର୍ଯ୍ୟାୟରେ ନୟାଗଡରୁ ୧୨ ଖଣ୍ଡ ଫାସୀ କାଠ ଗୋଟିଏ ଟ୍ରକରେ ପୁରୀରେ ଆସି ପହଞ୍ଚିଛି । ଏହି ଟ୍ରକରେ ଆସିଥିବା ରଥ କାଠକୁ ଶ୍ରୀନଅର ସମ୍ମୁଖରେ ରଖାଯାଇଛି । ଏହି ଫାସୀ କାଠରେ ତିନି ରଥ ଚକ ପାଇଁ ତୁମ୍ବ ନିର୍ମାଣ କରାଯିବ । ତିନି ରଥ ପାଇଁ ୪୨ ଗୋଟି ଚକ ନିର୍ମାଣ କରାଯିବ । ଗତକାଲି ବୌଦ୍ଧରୁ ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟରେ ୯୬ ଖଣ୍ଡ କାଠ ଆସିଥିଲା । ମୋଟ୍ ୧୮୭ ଖଣ୍ଡ କାଠ ପହଞ୍ଚିସାରିଲାଣି ।
ରଥଯାତ୍ରା ପାଇଁ ମୋଟ୍ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବା ବେଳେ ପୂର୍ବ ବର୍ଷର ୬୯ଖଣ୍ଡ କାଠ ବଳକା ରହିଛି । ତେଣୁ ଚଳିତ ରଥଯାତ୍ରା ପାଇଁ ୭୯୬ ଖଣ୍ଡ କାଠର ଆବଶ୍ୟକତା ରହିଛି । ତେବେ ୭୯୬ ଖଣ୍ଡ ରଥ କାଠରୁ ମୋଟ୍ ୧୮୭ ଖଣ୍ଡ ବର୍ତ୍ତମାନ ସୁଦ୍ଧା ପୁରୀରେ ପହଞ୍ଚିଥିବା ବେଳେ ବଳକା କାଠ ପର୍ଯ୍ୟାୟ କ୍ରମେ ଆସି ପହଞ୍ଚିବ। ଖପୁରିଆ କରତକଳକୁ ୩୬୦ ଖଣ୍ଡ କାଠ ପଠାଯାଇସାରିଛି। ଗତ ସରସ୍ବତୀ ପୂଜା ଦିନ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ୩ଟି କାଠକୁ ପାରମ୍ପରିକ ବିଧିରେ ପୂଜାର୍ଚ୍ଚନା କରାଯାଇଥିଲା । ଆସନ୍ତା ଅକ୍ଷୟ ତୃତୀୟା ଦିନ ତିନି ରଥ ନିର୍ମାଣର ଶୁଭାରମ୍ଭ ହେବାର ବିଧି ରହିଛି । ତିନି ରଥ ନିର୍ମାଣ ପାଇଁ ପରମ୍ପରା ଅନୁଯାୟୀ ଶ୍ରୀରାମ ନବମୀଠାରୁ କଟକ ସ୍ଥିତ ଖପୁରିଆ କରତକଳରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ହୋଇଛି।