କରୋନାର ଦ୍ୱିତୀୟ ଲହରରେ ଅଧିକ ଗର୍ଭବତୀ ମହିଳା ସଂକ୍ରମିତ : ଆଇସିଏମଆର

ନୂଆଦିଲ୍ଲୀ : ମହମାରୀ କରୋନାର ଦ୍ୱିତୀୟ ଲହର ଗର୍ଭବତୀ ମହିଳା ଓ ସେମାନଙ୍କ ଠାରୁ ଜନ୍ମିତ ଶିଶୁଙ୍କ ଉପରେ ପ୍ରଥମ ଲହରର ତୁଳନାରେ ଅଧିକ ପ୍ରଭାବ ପକାଇଥିଲା । ଗୁରୁତର ହାର ଓ ମୃତ୍ୟୁସଂଖ୍ୟା ମଧ୍ୟ ପ୍ରଥମ ଲହର ତୁଳନାରେ ଅତ୍ୟଧିକ ରହିଥିଲା । ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ ଏକ ଗବେଷଣାରେ ଏନେଇ ତଥ୍ୟ ଆସିଛି ।
Comparative analysis of data collected from pregnant women and postpartum women during the first wave and the second wave of the COVID-19 pandemic @PregCovid registry India. @MOHFW_INDIA @DeptHealthRes @mygovindia @mygovMaha @COVIDNewsByMIB #ICMRFIGHTSCOVID19 #IndiaFightsCOVID19 pic.twitter.com/QfU2SvRazm
— ICMR (@ICMRDELHI) June 16, 2021
ଆଇସିଏମଆର ଅନୁସାରେ, ଭାରତରେ ମହାମାରୀର ପ୍ରଥମ ଲହର ଅର୍ଥାତ ୨୦୨୦ ଏପ୍ରିଲରୁ ୨୦୨୧ ଜାନୁଆରୀ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ଲହର ଅର୍ଥାତ ୨୦୨୧ ଫେବ୍ରୁଆରୀରୁ ମେ’ ମାସ ୧୪ ଯାଏଁ ଗର୍ଭବତୀ ଓ ପ୍ରସୂତୀ ମାନଙ୍କୁ ନେଇ ଏହି ତୁଳନାତ୍ମକ ଅଧ୍ୟୟନ କରାଯାଇଛି । ଗର୍ଭବତୀ ମହିଳା ଓ ନବଜାତକଙ୍କୁ ନେଇ ପ୍ରଥମ ଓ ଦ୍ୱିତୀୟ ଲହର ସହ ତୁଳନା କରାଯାଇଥିଲା । ଦ୍ୱିତୀୟ ଲହରରେ ଲକ୍ଷଣ ଥିବା କେସ୍ ୨୮.୭% ଥିଲା । ଯାହା ପ୍ରଥମ ଲହରରେ ୧୪.୨% ରହିଥିଲା । ସେହିପରି ଦ୍ୱିତୀୟ ଲହରରେ ମୃତ୍ୟୁହାର ୫.୭% ଥିବା ବେଳେ ପ୍ରଥମ ଲହରରେ ୦.୭ % ରହିଥିଲା । ଏହି ଗବେଷଣା ମୋଟ ୧୫୩୦ ଗର୍ଭବତୀ ଓ ପ୍ରସୂତୀଙ୍କ ଉପରେ କରାଯାଇଥିଲା । ଏହାମଧ୍ୟରୁ ୧୧୪୩ ଜଣ ଜଣ ପ୍ରଥମ ଲହରରେ ଓ ୩୮୭ ଜଣ ଦ୍ୱିତୀୟ ଲହରରେ ସାମିଲ ଥିଲେ । ପ୍ରଥମ ଓ ଦ୍ୱିତୀୟ ଲହରରୁ ମିଶାଇ ମୋଟ୍ ମୃତ୍ୟୁଦର ୨% ଥିଲା । ଯେଉଁଥିରେ ଅଧିକାଂଶ କୋଭିଡ ନିମୋନିଆ ଓ ଶ୍ୱାସକ୍ରିୟାରେ କଷ୍ଟ ଜନିତ ସମସ୍ୟାର ସାମ୍ନା କରୁଥିଲେ ।ଏହି ଶ୍ରେଣୀର ମହିଳାଙ୍କ ପାଇଁ ଭାକସିନ୍ ଜରୁରୀ ବୋଲି ଗବେଷଣାରେ କୁହାଯାଇଛି । ସୂଚନା ଯେ, ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ କହିଥିଲା ଯେ, ଯଦି ଗର୍ଭବତୀ ମହିଳାଙ୍କ ପ୍ରତି ଅଧିକ ବିପଦ ରହିଥାଏ କିମ୍ବା ସେମାନେ ଅନ୍ୟ କେଉଁ ରୋଗରେ ପୀଡିତ ଥାନ୍ତି ତେବେ ସେମାନଙ୍କୁ ଟିକା ଦିଆଯିବା ଆବଶ୍ୟକ ।