ଗୋଟିଏ ରାତିରେ ୩ ମନ୍ଦିରରୁ ଅଳଙ୍କାର ଓ ପୂଜା ସମାଗ୍ରୀ ଚୋରି, ୮ ଗିରଫ
ବସ୍ତା : ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ଦେବାଦେବୀଙ୍କ ମନ୍ଦିରରେ ଚୋରି ହୋଇଆସୁଥିବା ବେଳେ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଖାଲି ମାମଲା ରୁଜୁ କରି କାମ ସାରି ଦେଉଥିଲା । ଗତ ଏକ ବର୍ଷ ମଧ୍ୟରେ ବସ୍ତା ଥାନା ଅଞ୍ଚଳରେ ପ୍ରାୟ ୩୦ରୁ ଅଧିକ ମନ୍ଦିରରେ ଚୋର କଳା କନା ବୁଲେଇ ସାରିଲେଣି ବୋଲି କୁହାଯାଇଛି ।
ଏହି ପରିପ୍ରେକ୍ଷୀରେ ଗତ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ବସ୍ତା ଥାନା ଅନ୍ତର୍ଗତ ବ୍ରାହ୍ଣଣଦା ଗ୍ରାମର ମା’ ଭଗବତୀ ମନ୍ଦିର, ବସ୍ତା ବଜାର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ସିଦ୍ଧ ବିନାୟକ ମନ୍ଦିର ଓ ରଣା-ମୁଣ୍ଡୁଲି ଗ୍ରାମ ଦେବତୀ ମନ୍ଦିରରେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଠାକୁରଙ୍କ ଅଳଙ୍କାର ଓ ପୂଜା ସମାଗ୍ରୀ ଲୁଟି ଫେରାର ହୋଇ ଯାଇଥିଲେ । ବୁଧବାର ଭୋର ସମୟରେ ବ୍ରାହ୍ଣଣଦା ଗ୍ରାମର ସ୍ଥାନୀୟ ଗ୍ରାମବାସୀ ମନ୍ଦିର ଚୋରି ହୋଇଥିବା ଜାଣିବାକୁ ପାଇବା ପରେ ମନ୍ଦିର ପରିସର ଲୋକାରଣ୍ୟ ହୋଇପଡ଼ିଥିଲା । ଗ୍ରାମର ଯୁବକ ମାନେ ଗାଡ଼ି ନେଇ ବିଭିନ୍ନ ରେଲୱେ ଷ୍ଟେସନକୁ ଯାଇଥିଲେ । ରାଜଘାଟ ଷ୍ଟେସନରେ କିଛି ଯାଯାବର ଗୋଷ୍ଠୀ ଟ୍ରେନ୍ରେ ଯିବାକୁ ପ୍ରସ୍ତୁତ ହେଉଥିବା ସମୟରେ ତାଙ୍କ ଚାଲିଚାଳନରେ ସନ୍ଦେହ କରି ସେମାନଙ୍କୁ ଅଟକ ରଖିବା ପାଇଁ ଉଦ୍ୟମ କରିବା ପାଇଁ ଚେଷ୍ଟା କରିବା ବେଳକୁ ଦୁଇଜଣ ଯାଯାବର ଯୁବକ ସେଠାରୁ ଦୌଡ଼ି ପଳାଇ ଥିଲେ । ଏହା ଦେଖି ଲୋକରୁଣ୍ଡ ହୋଇ ମହିଳାମାନଙ୍କୁ ଧମକ ଦେବା ଫଳରେ ତାଙ୍କ ଠାରୁ ଠାକୁରଙ୍କ ଅଳଙ୍କାର ଉଦ୍ଧାର ହୋଇଥିଲା । ଫେରାର ପାଇଁ ଚେଷ୍ଟା କରୁଥିବା ଦୁଇଜଣ ଅଭିଯୁକ୍ତଙ୍କୁ ଲୋକେ ଗୋଡାଇ ଗୋଡାଇ ଧରିବାରେ ସଫଳ ହୋଇଥିଲେ । ଏନେଇ ବସ୍ତା ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ôଚ ୬ ଜଣ ମହିଳା ଓ ୨ ଜଣ ଯୁବକଙ୍କୁ ଥାନାକୁ ଆଣିଥିଲେ । ଅଟକ ଯାଯାବର ଅଭିଯୁକ୍ତଙ୍କ ପରିଚୟ ମିଳି ନଥିବା ବେଳେ ସେମାନେ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାପଡିଛି । ପୋଲିସ ଉଦ୍ଧାର ହୋଇଥିବା ଠାକୁରଙ୍କ ଅଳଙ୍କାରକୁ ଜବତ କରି ତଦନ୍ତ ଜାରି ରଖିଛି । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ମାମଲା (ନଂ. ୧୪୧/୨୩,୧୪୨/୨୩,୧୪୩/୨୩) ରୁଜୁ କରି ତଦନ୍ତ ଜାରି ରଖିଛି ।
ମିଳିଥିବା ସୂଚନା ଅନୁସାରେ ଯାଯାବର ମାନେ ଆସି ଷ୍ଟେସନ ନିକଟରେ ଅସ୍ଥାୟୀ ଭାବେ ରହିବା ସହିତ ମହିଳାମାନେ ଛୁଆଙ୍କୁ ଧରି ସକାଳେ ମାଗି ଯାଚି ବଞ୍ଚୁଥିବା ବେଳେ ରାତିରେ ତାଙ୍କର ଟାର୍ଗେଟ୍ରେ ହିନ୍ଦୁ ଦେବାଦେବୀଙ୍କ ମନ୍ଦିର ରହୁଛି । ଏଥିସହିତ ସେମାନେ ଚୋରା ନିଶା କାରବାର ରେ ମଧ୍ୟ ଲିପ୍ତ ଥିବା କୁହାଯାଇଛି । ଏହା ଉପରେ ପୋଲିସ ସ୍ୱତନ୍ତ୍ର ଦୃଷ୍ଟି ସେବାକୁ ଲୋକେ ଦାବି କରିଛନ୍ତି ।