ଦହପାଣିଆରେ ଗୋଟିଏ ରାତିରେ ୩ ଘରୁ ଚୋରି ଅଭଯୋଗ, ୨ ଅଟକ ତଦନ୍ତ କଲା ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର
ତିହିଡ଼ି : ଭଦ୍ରକ ଜିଲା ତିହିଡି ଥାନା ବାରୋ ପଞ୍ଚାୟତ ଅଧୀନ ଦହପାଣିଆ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଶ୍ରୀଧର ମଳିକ, ସୁଦର୍ଶନ ମଳିକ ଓ ମଂଜୁଲତା ମଳିକଙ୍କ ଘରୁ ଚୋରି ହୋଇ ଯାଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ପୁଲିସ ୩ଜଣଙ୍କ ଏତଲା ମୂଳେ ୧୬୦/୨୩ରେ ଏକ ମକଦ୍ଦମା ରୁଜୁ କରି ୨ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ବେଳେ ଅଧିକ ତଦନ୍ତ ଚଳାଇଛନ୍ତି । ଭଦ୍ରକ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ, ପଣାସଂକ୍ରାନ୍ତି ଉପଲକ୍ଷେ ସ୍ଥାନୀୟ ଅଞ୍ଚଳରେ ଅପେରା ଯାତ୍ରା ହେଉଥିଲା । ଦହପାଣିଆ ଗ୍ରାମର ଉପରୋକ୍ତ ଅଭିଯୋଗକାରୀମାନେ ଯାତ୍ରା ଦେଖିବାକୁ ଯାଇଥିଲେ । ଏହାର ସୁଯୋଗ ନେଇ କେହି ଦୁର୍ବୁତ୍ତ ଘରେ ପଶି ସୂନା, ରୂପା ଅଳଙ୍କାର ଓ ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ଦର୍ଶା ଯାଇଛି । ଖବର ପାଇ ତିହିଡ଼ି ଥାନା ଏସଆଇ ଅରୁନ୍ଧତୀ ବେହେରା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ପରେ ଡଗ୍ଇନ୍ଚାର୍ଯ ହେମନ୍ତ କୁମାର ନାୟକ ଓ ସାଇଣ୍ଟିଫିକ୍ ଟିମ୍ର ଏସଆଇ ସଂଗୀତା ହାଁସଦା, ଫିଙ୍ଗରପ୍ରିଣ୍ଟ ଅଧିକାରୀ ସୂର୍ଯ୍ୟକାନ୍ତ ସେଠୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି ।