ଇଂଲଣ୍ଡରେ ସମ୍ପୂର୍ଣ୍ଣ ରୂପେ ହଟିଲା କରୋନା କଟକଣା
ବ୍ରିଟେନ : ସାରା ବିଶ୍ୱରେ କରୋନା ଭାଇରସର ପାରା ଉପର-ତଳ ହୋଇ ରହିଛି । କେତେବେଳେ ବଢୁଛି ତ କେତେବେଳେ ହ୍ରାସ ପାଉଛି । ଏହାରି ମଧ୍ୟରେ ଇଂଲଣ୍ଡରେ କରୋନା କଟକଣାକୁ ସମ୍ପୂର୍ଣ୍ଣ ରୂପେ ହଟାଇ ଦିଆଯାଇଛି । କରୋନା ଭୂତାଣୁ ବିସ୍ତାର ମଧ୍ୟରେ, ଯେଉଁଠାରେ ବିଶ୍ୱର ଦେଶମାନେ କରୋନାର ପରବର୍ତ୍ତୀ ଲହର ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ସେଠି ଇଂଲଣ୍ଡ ନିଜ ଉପରେ ଥିବା ସମସ୍ତ କରୋନା ପ୍ରତିବନ୍ଧକକୁ ହଟାଇ ଦେଇଛି ।
ତେବେ ଇଂଲଣ୍ଡରୁ କରୋନା ବିସ୍ତାର ନହେବବାର ଆଶଙ୍କା ଏପର୍ଯ୍ୟନ୍ତ ଦୂର ହୋଇନାହିଁ । ଆଉ ଇଂଲଣ୍ଡର ଏହି ନିଷ୍ପତ୍ତି ପରଠୁ ବିଶେଷଜ୍ଞ ତଥା ସ୍ୱାସ୍ଥ୍ୟ କର୍ମୀମାନେ ଉଦବେଗ ପ୍ରକାଶ କରିଛନ୍ତି । ବିଶ୍ୱର ୧୨୦୦ ବୈଜ୍ଞାନିକ ଏହାକୁ ବିଶ୍ୱ ପ୍ରତି ବିପଦ ବୋଲି ଆଶଙ୍କା କରିଛନ୍ତି । ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ପଦକ୍ଷେପ ବିଶ୍ୱ ପାଇଁ ବିପଦ ସୃଷ୍ଟି କରିପାରେ । ଏଥିସହ ହଜାର ହଜାର ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବ ବୋଲି ଆଶା କରାଯାଉଛି । ସୂଚନା ଯେ, ବ୍ରିଟେନରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮ ହଜାର ୧୬୧ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ହଜାର ୮ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଏପର୍ଯ୍ୟନ୍ତ ମୋଟ ୫୪ ଲକ୍ଷ ୩୩ ହଜାର ୯୩୯ ଜଣ ଲୋକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ ୧ ଲକ୍ଷ ୨୮ ହଜାର ୭୦୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୩ ଲକ୍ଷ ୯୬ ହଜାର ୯୫୦ ଜଣ ସୁସ୍ଥ ହୋଇଛନ୍ତି । ମୋଟ ୯ ଲକ୍ଷ ୮ ହଜାର ୨୮୧ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୫୫୧ ଜଣ ଆକ୍ରାନ୍ତ ଗୁରୁତର ଅଛନ୍ତି ।