ଗିରଫଦାରୀକୁ ଏଡାଇବା ପାଇଁ ଫେରାର ହେଲେ ଇମ୍ରାନ ଖାନ
ଜାମିନ ପାଇଁ କଲେ ନାହିଁ ଅପେକ୍ଷା, ପ୍ରଦର୍ଶନ ପାଇଁ ପ୍ରସ୍ତୁତ ସମର୍ଥକ
ଇସଲାମାବାଦ : ପାକିସ୍ତାନରେ ଏକ ବଡ଼ ଧରଣର ରାଜନୈତିକ ଝଡ଼ ସୃଷ୍ଟି ହେବାର ସମ୍ଭାବନା ରହିଛି । ଖବର ଅନୁସାରେ, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫଦାରୀକୁ ଏଡାଇବା ପାଇଁ ଫେରାର ଅଛନ୍ତି । ତାଙ୍କ ଓକିଲଙ୍କ ଟିମ୍ ଅଗ୍ରିମ ଜାମିନ ପାଇଁ କୋର୍ଟକୁ ଯିବାର ଥିଲା । ଏହା ପୂର୍ବରୁ ସେ ଫେରାର ହୋଇଛନ୍ତି । ପାକିସ୍ତାନରେ ଇମ୍ରାନଙ୍କ ବିରୋଧରେ କ୍ରମାଗତ କାର୍ଯ୍ୟାନୁଷ୍ଠାନ ଚାଲିଛି । ଆତଙ୍କବାଦ ବିରୋଧୀ ଆଇନ ଅର୍ଥାତ୍ ଏଟିଏ ଅନୁଯାୟୀ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ।
ସୂଚନା ଅନୁସାରେ, ଗିରଫ ହେବାର ସମ୍ଭାବନା ମଧ୍ୟରେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନ ତାଙ୍କ ଘରେ ନାହାଁନ୍ତି । ସେପଟେ ତାଙ୍କ ଦଳର ସଦସ୍ୟମାନେ କାର୍ଯ୍ୟକର୍ତ୍ତାମାନଙ୍କୁ ରାସ୍ତାରେ ପ୍ରଦର୍ଶନ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି । ତାଙ୍କ ବିରୋଧରେ ଇସଲାମାବାଦ ସଦର ମାଜିଷ୍ଟ୍ରେଟ ଅଲି ଜାଭେଦ ଅଭିଯୋଗ ଆଣିଥିଲେ । ସାଧାରଣ ସଭାରେ ସେ ଅତିରିକ୍ତ ସେଶନ ଜଜଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଦାବି କରାଯାଉଛି ଯେ ଇମ୍ରାନ ନିଜର ଘନିଷ୍ଠ ସହଯୋଗୀ ଶେହବାଜ ଗିଲଙ୍କୁ ଗିରଫ କରାଯିବା କାରଣରୁ ସେ ଇସଲାମାବାଦ ପୋଲିସ ମୁଖ୍ୟ ଓ ଜଣେ ମହିଳା ବିଚାରପତିଙ୍କୁ ଧମକ ଦେଇଥିଲେ । ଏଫଆଇଆରରେ କୁହାଯାଇଛି ଯେ ଖାନଙ୍କ ଭାଷଣ ଯୋଗୁଁ ପୋଲିସ, ବିଚାରପତି ଏବଂ ଦେଶରେ ଭୟ ଏବଂ ଅନିଶ୍ଚିତତା ସୃଷ୍ଟି ହୋଇଛି । ଏହା ବ୍ୟତୀତ ପାକିସ୍ତାନର ଇଲେକ୍ଟ୍ରୋନିକ୍ ମିଡିଆ ନିୟାମକ ପ୍ରାଧିକରଣ ମଧ୍ୟ ଇମ୍ରାନ ଖାନଙ୍କ ଭାଷଣର ସିଧା ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଛି ।
ପିଟିଆଇ ଉପାଧ୍ୟକ୍ଷ ଶାହ ମେହମୁଦ କୁରେଶି ଦଳୀୟ କର୍ମୀଙ୍କୁ ପ୍ରସ୍ତୁତ ରହିବାକୁ କହିଛନ୍ତି । ଖାନଙ୍କ ଗିରଫଦାରୀ ଘଟଣାରେ ସେ ବିରୋଧ ପ୍ରଦର୍ଶନ କରିଥିବା କଥା କହିଥିଲେ । ଖବର ପାଇ ପୋଲିସ ଅଧିକାରୀମାନେ ପିଟିଆଇ ମୁଖ୍ୟଙ୍କ ବାସଭବନ ବାନି ଗାଲାକୁ ଯାଉଥିବା ରାସ୍ତାକୁ ଅବରୋଧ କରିଛନ୍ତି । ଏହା ସହିତ ରାସ୍ତାରେ ଅନଧିକୃତ ଲୋକଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଯାଇଛି ।
ରବିବାର ରାୱଲପିଣ୍ଡିର ଲିୟାକତ ବାଗରେ ପିଟିଆଇ ମୁଖ୍ୟ ଇମ୍ରାନ ଖାନ ଏକ ଭାଷଣ ଦେଇଥିଲେ । ରିପୋର୍ଟ ହୋଇଛି ଯେ, ସେହି ସମୟ ମଧ୍ୟରେ ୟୁଟ୍ୟୁବରେ ସମସ୍ୟା ଦେଖାଯାଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଶରେ ୟୁଟ୍ୟୁବକୁ ସାମୟିକ ଭାବେ ବ୍ଲୋକ୍ କରିଥିବାର ଅଭିଯୋଗ କରିଛନ୍ତି । ଏହି ବ୍ଲୋକ୍ କରିବାକୁ ନେଇ ପିଟିଆଇ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ସରକାର ଉପରେ ବର୍ଷିଛି ଓ କହିଛି ଯେ ସେ ଫାସିବାଦ ଶାସନ ଆରମ୍ଭ କରିଛନ୍ତି ।