ଆଇସିସି ଟେଷ୍ଟ ରାଙ୍କିଙ୍ଗ : ୱିଲିୟମସନ୍ ଶୀର୍ଷରେ, ଚତୁର୍ଥ ସ୍ଥାନରେ କୋହଲି
- ଷଷ୍ଠ ସ୍ଥାନରେ ରୋହିତ ଶର୍ମା, ସପ୍ତମ ସ୍ଥାନରେ ଋଷଭ ପନ୍ତ
ଦୁବାଇ : ଆଇସିସି ପକ୍ଷରୁ ବୁଧବାର ଖେଳାଳିଙ୍କ ସର୍ବଶେଷ ଟେଷ୍ଟ ମାନ୍ୟତା ପ୍ରକାଶ ପାଇଛି । ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍ ୱିଲିୟମ୍ସନ୍ ପୁନର୍ବାର ବ୍ୟାଟ୍ସମ୍ୟାନ୍ ମାନ୍ୟତାର ଶୀର୍ଷକୁ ଉନ୍ନୀତ ହୋଇଛନ୍ତି। ସେ ୯୦୧ ରେଟିଂ ସହିତ ଏକ ନମ୍ବରରେ ଅଛନ୍ତି। ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ପ୍ରଥମ ସ୍ଥାନରେ ଥିଲେ କିନ୍ତୁ ବର୍ତ୍ତମାନ ସେ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। ସେହିପରି ବ୍ୟାଟ୍ସମ୍ୟାନ୍ ମାନ୍ୟତାରେ ଅଷ୍ଟ୍ରେଲୀୟ ଖେଳାଳି ମାର୍ନୁସ୍ ଲାବୁସାଗ୍ନେ (୮୭୮ରେଟିଂ) ତୃତୀୟ ସ୍ଥାନରେ ଥିବାବେଳେ ଭାରତୀୟ ଅଧିନାୟକ ବିରାଟ କୋହଲି (୮୧୨ ରେଟିଂ) ଚତୁର୍ଥ ସ୍ଥାନରେ ରହିଛନ୍ତି। ଏଥି ସହିତ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ପଞ୍ଚମ ସ୍ଥାନରେ ରହିଛନ୍ତି।
ସୂଚନା ଯେ, ନିକଟରେ ନ୍ୟୁଜିଲାଣ୍ଡକୁ ଓ୍ବାର୍ଲଡ୍ ଟେଷ୍ଟ ଚାମ୍ପିୟନ୍ସିପ୍( ଡବ୍ଲୁଟିସି)ରେ ଚାମ୍ପିୟନ୍ କରାଇଥିଲେ କେନ୍ ଓ୍ବିଲିୟମସନ୍। ଡବ୍ଲୁଟିସି ଫାଇନାଲ୍ରେ ଅପରାଜିତ ରହି ଅର୍ଦ୍ଧଶତକୀୟ ପାଳି ମଧ୍ୟ ସେ ଖେଳିଥିଲେ। ଏହା ପରେ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଟପ୍ରେ ପହଞ୍ଚିଛନ୍ତି ଓ୍ବିଲିୟମସନ୍। ସେହିଭଳି ଦ୍ରୁତ ବୋଲର କାଇଲ୍ ଜେମିସନ୍ ନିଜ କ୍ୟାରିୟରର ବେଷ୍ଟ ରାଙ୍କିଙ୍ଗ ପର୍ଯ୍ୟନ୍ତ ପହଞ୍ଚିଯାଇଛି। ଫାଇନାଲରେ ସେ ୭ଟି ଓ୍ବିକେଟ୍ ନେଇଥିଲେ। ଆଇସିସି ପକ୍ଷରୁ ଜାରି ରାଙ୍କିଙ୍ଗରେ କେନ୍ ଓ୍ବିଲିୟମସନ୍ ବ୍ୟାଟ୍ସମ୍ୟାନ୍ ଲିଷ୍ଟର ଶୀର୍ଷରେ ଅପରିବର୍ତ୍ତିତ ରହିଛନ୍ତି । ଫାଇନାଲ୍ରେ ୩୦ ବର୍ଷୀୟ ଓ୍ବିଲିୟମସନ୍ ପ୍ରଥମ ଇନିଂସ୍ରେ ୪୯ ରନ୍ ଏବଂ ଦ୍ବିତୀୟ ପାଳିରେ ୫୨ ରନ୍ କରି ଅପରାଜିତ ଥିଲେ। ୯୦୧ ଅଙ୍କ ସହ ସେ ଅଷ୍ଟେ୍ରଲିଆର ଷ୍ଟିଭ୍ ସ୍ମିଥ୍ (୮୯୧)ଙ୍କୁ ପଛରେ ପକାଇଛନ୍ତି। ମାର୍ନସ୍ ଲାଭୁସନ୍ ତୃତୀୟ, ବିରାଟ କୋହଲି ଚତୁର୍ଥ ଏବଂ ଜୋ ରୁଟ୍ ପଞ୍ଚମ ସ୍ଥାନରେ ରହିଛନ୍ତି। ଭାରତର ରୋହିତ ଶର୍ମା ଗୋଟିଏ ସ୍ଥାନ ଉପରକୁ ଉଠିବା ସହ ଷଷ୍ଠ ସ୍ଥାନରେ ପହଞ୍ଚିଥିବା ବେଳେ ଋଷଭ ପନ୍ତ ସପ୍ତମ ସ୍ଥାନ ଅଧିକାର କରିଛନ୍ତି। ନ୍ୟୁଜିଲାଣ୍ଡର ଓପନର ଡେଭନ୍ କନଓ୍ବେ ଫାଇନାଲ୍ରେ ଅର୍ଦ୍ଧଶତକ କରିଥିଲେ। ସେ ୧୮ ସ୍ଥାନ ଉଠି ୪୨ ତମ ସ୍ଥାନରେ ପହଞ୍ଚିଛନ୍ତି । ଅଜିଙ୍କ୍ୟ ରାହଣେ ୧୩ ତମ ସ୍ଥାନକୁ ଉର୍ଣ୍ଣିତ ହୋଇଛନ୍ତି। ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର କାଇଲ୍ ଜେମିସନ୍ ଫାଇନାଲର ପ୍ରଥମ ଇନିଂସ୍ରେ ୫ ଓ୍ବିକେଟ୍ ଏବଂ ଦ୍ବିତୀୟ ପାଳିରେ ୨ଟି ଓ୍ବିକେଟ୍ ନେଇଥିଲେ। ସେ ବୋଲରଙ୍କ ଲିଷ୍ଟରେ କ୍ୟାରିୟରର ବେଷ୍ଟ ୧୩ ତମ ସ୍ଥାନରେ ପହଞ୍ଚିଛନ୍ତି। ନ୍ୟୁଜିଲାଣ୍ଡର ବାମହାତି ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ମ୍ୟାଚ୍ରେ ୫ ଓ୍ବିକେଟ୍ ନେଇଥିଲେ। ସେ ୧୧ ନମ୍ବର ସ୍ଥାନରେ ରହିଛନ୍ତି। ଅଷ୍ଟେ୍ରଲିଆର ପାଟ କୁମିନ୍ସ ପ୍ରଥମ ଏବଂ ଭାରତର ଅଶ୍ବିନ୍ ୨ ନମ୍ବର ସ୍ଥାନରେ ଅପରିବର୍ତ୍ତିତ ଅଛନ୍ତି। ଟେଷ୍ଟର ଅଲରାଉଣ୍ଡର ରାଙ୍କିଙ୍ଗରେ ଓ୍ବେଷ୍ଟ ଇଣ୍ଡିଜ୍ର ଜେସନ୍ ହୋଲ୍ଡର ପୁଣି ଥରେ ଶୀର୍ଷରେ ପହଞ୍ଚିଛନ୍ତି। ଭାରତର ରବୀନ୍ଦ୍ର ଜାଡେଜା ଏବଂ ଇଂଲଣ୍ଡର ବେନ୍ ଷ୍ଟୋକସ୍ ଯୁଗ୍ମ ଭାବେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ହୋଲ୍ଡରଙ୍କ ୩୮୪ ଅଙ୍କ ଥିବା ବେଳେ ଜାଡେଜାଙ୍କ ୩୭୭ ପଏଣ୍ଟ ରହିଛି। ରବୀନ୍ଦ୍ର ଜାଡେଜା ଫାଇାନାଲରେ ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିପାରିନଥିଲେ ।ସେଥିପାଇଁ ତାଙ୍କୁ ଶୀର୍ଷ ରାଙ୍କିଙ୍ଗ ହରାଇବାକୁ ପଡ଼ିଛି।