ଆଇସିସି ଟେଷ୍ଟ ର୍ୟାଙ୍କିଙ୍ଗ୍ : ଶୀର୍ଷ ୧୦ରେ ରୋହିତ ଓ ବିରାଟ ସ୍ଥିର
ଦୁବାଇ : ଟିମ୍ରୁ ବାଦ୍ ପଡ଼ିଥିବା ଓପ୍ନର୍ ରୋହିତ ଶର୍ମା ଓ ଭାରତୀୟ କ୍ୟାପ୍ଟେନ୍ ବିରାଟ କୋହଲି ବୁଧବାର ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ର୍ୟାଙ୍କିଙ୍ଗ୍ରେ ଯଥାକ୍ରମେ ପଞ୍ଚମ ଓ ନବମ ସ୍ଥାନରେ ସ୍ଥିର ରହିଛନ୍ତି। ରୋହିତଙ୍କ ରେଟିଂ ପଏଣ୍ଟ ୭୮୧ ଥିବା ବେଳେ କୋହଲି ୭୪୦ ପଏଣ୍ଟ ସହ ଶୀର୍ଷ ୧୦ରେ ରହିଛନ୍ତି। ବ୍ୟାଟିଂ ତାଲିକା ଶୀର୍ଷରେ ୯୨୪ ପଏଣ୍ଟ ସହ ଅଷ୍ଟ୍ରେଲିଆର ମାର୍ନସ୍ ଲାବୁଶେନ୍ ଥିବାବେଳେ ଇଂଲଣ୍ଡ କ୍ୟାପ୍ଟେନ୍ ଜୋ ରୁଟ୍ (୮୮୧) ଓ ଷ୍ଟିଭ୍ ସ୍ମିଥ୍ (୮୭୧) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ନ୍ୟୁଜିଲାଣ୍ଡ କ୍ୟାପ୍ଟେନ୍ କେନ୍ ୱିଲିଅମ୍ସନ୍ ୮୬୨ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଅଛନ୍ତି। ଭାରତୀୟ ଓପ୍ନର୍ ମୟଙ୍କ ଅଗରୱାଲ୍ ଗୋଟିଏ ସ୍ଥାନର କ୍ଷତି ସହ ୧୩କୁ ଖସି ଯାଇଛନ୍ତି।
ବୋଲିଂ ତାଲିକାରେ ଭାରତର ଅନୁଭବୀ ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ ୮୬୧ ରେଟିଂ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ସ୍ଥିର ରହିଛନ୍ତି। ତାଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ବୋଲର୍ ଶୀର୍ଷ ୧୦ରେ ସାମିଲ ନାହାନ୍ତି। ଟେଷ୍ଟ ବୋଲିଂ ର୍ୟାଙ୍କିଙ୍ଗ୍ରେ ଅଷ୍ଟ୍ରେଲିଆ କ୍ୟାପ୍ଟେନ୍ ପ୍ୟାଟ୍ କମିନ୍ସ ଅଛନ୍ତି। ତାଙ୍କ ପରେ ଅଶ୍ୱିନ ଓ ନ୍ୟୁଜିଲାଣ୍ଡର କାଇଲ୍ ଜେମିସନ୍ଙ୍କ ନମ୍ବର ରହିଛି। ଜେମିସନ୍ ୬ ସ୍ଥାନ ଉପରକୁ ଉଠିଛନ୍ତି। ଅଶ୍ୱିନ ଟେଷ୍ଟ ଅଲ୍ରାଉଣ୍ଡର୍ ତାଲିକାର ଦ୍ୱିତୀୟ ସ୍ଥାନରେ ମଧ୍ୟ ରହିଛନ୍ତି। ଏହି ତାଲିକା ଶୀର୍ଷରେ ୱେଷ୍ଟଇଣ୍ଡିଜ୍ର ଜେସନ୍ ହୋଲ୍ଡର୍ ଅଛନ୍ତି। ଅନ୍ୟ ଖେଳାଳିଙ୍କ ମଧ୍ୟରେ ଚତୁର୍ଥ ଆଶେସ୍ ଟେଷ୍ଟର ଉଭୟ ଇନିଂସ୍ରେ ଶତକ ହାସଲ କରିଥିବା ଉସ୍ମାନ୍ ଖୱାଜା ୨୬ତମ ସ୍ଥାନରେ ପହଞ୍ଚି ର୍ୟାଙ୍କିଙ୍ଗ୍ରେ ପୁନଃପ୍ରବେଶ କରିଛନ୍ତି। ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ସିଡ୍ନୀରେ ଖେଳାଯାଇଥିବା ଟେଷ୍ଟର ଉଭୟ ଇନିଂସ୍ରେ ୧୩୭ ଓ ଅପରାଜିତ ୧୦୧ ରନ୍ ସ୍କୋର୍ କରିଥିଲେ।