ଆଜିଠୁ ଆରମ୍ଭ କଟକର ଐତିହାସିକ ବାଲିଯାତ୍ରା, ୮ ଦିନ ଧରି ଚାଲିବ ଯାତ୍ରା
କଟକ : ଆଜିଠୁ ଐତିହାସିକ କଟକ ବାଲିଯାତ୍ରା । ପୂର୍ବଭାରତର ଅନ୍ୟତମ ସର୍ବବୃହତ ମୁକ୍ତାକାଶ ବାଣିଜ୍ୟ ମେଳା କୁହାଯାଉଥିବା କଟକ ବାଲିଯାତ୍ରା ସୋମବାର ଠାରୁ ଆରମ୍ଭ ହେଉଛି । ବାରବାଟୀ କିଲା ପଡ଼ିଆ ଓ ମହାନଦୀ ପଠାକୁ ମିଶାଇ ପ୍ରାୟ ୪୩ ଏକର ଜାଗାରେ ଆୟୋଜିତ ଏହି ଯାତ୍ରା ଏଥର ୮ ଦିନ ଧରି ଚାଲିବ । ଓର୍ମାସ୍ର ଜାତୀୟ ପଲ୍ଲିଶ୍ରୀ ମେଳାର ୪୨୦ଟି ଷ୍ଟଲ୍କୁ ମିଶାଇ ମୋଟ୍ ୧ ହଜାର ୮୯୬ଟି ଷ୍ଟଲ୍ ପ୍ରସ୍ତୁତ ହେଉଛି । ଚଳିତ ବର୍ଷ ବାଲିଯାତ୍ରାରେ ପାଖାପାଖି ୮୦ ଲକ୍ଷ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି ।
ଗତବର୍ଷଠାରୁ ବାଲିଯାତ୍ରାର ନୂଆ ଆକର୍ଷଣ ପାଲଟିଥିବା କଟକ-ଇନ୍-କଟକ ଏଥର ଗାଁରେ ବଦଳିବାକୁ ଯାଉଛି । କଟକ ଇନ୍ କଟକରେ ଗ୍ରାମାଞ୍ଚଳର ପରିବେଶ ସୃଷ୍ଟି କରାଯାଇଛି । ଯେଉଁଠି ଗ୍ରାମୀଣ ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ପରିବେଶ ଦେଖିବାକୁ ମିଳିବ । ସେହିପରି ପ୍ରଥମ ଥର ପାଇଁ ବାଲିଯାତ୍ରାରେ ସାମିଲ ହେଉଛି ଚେନ୍ନାଇରୁ ଆସିଥିବା ୨ ଶହ ଫୁଟ୍ର ଟନେଲ୍ ଆକ୍ୱାରିମ୍ । ପୂର୍ବପରି ଏଥର ମଧ୍ୟ ସବୁ ସଂଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଶେଷ ହୋଇଛି ।
ଚଳିତବର୍ଷ ବାଲିଯାତ୍ରାର ଲୋକସଂଖ୍ୟା ଆହୁରି ବଢ଼ିବ । ପ୍ରାୟ ୮୦ ଲକ୍ଷ ଲୋକେ ବାଲିଯାତ୍ରା ଆସିବାର ସମ୍ଭାବନା ରହିଛି । ତେଣୁ ଲୋକଙ୍କୁ କିଛି ନୂଆ ଭେଟି ଦେବାର ଉଦ୍ୟମରେ କଟକ ଇନ୍ କଟକର ପରିବେଶକୁ ବେଶ୍ ସୁନ୍ଦର ଭାବେ ସଜାଯାଇଛି । ଗତ ୧୫ଦିନ ଧରି କଟକ ଇନ୍ କଟକକୁ ଗ୍ରାମାଞ୍ଚଳର ରୂପ ଦେବାକୁ ୮୦ଜଣ ଶ୍ରମିକ ଦିନରାତି ଲାଗିଛନ୍ତି । ସେହିପରି ଏକ ଘରୋଇ ଏଜେନ୍ସି ତରଫରୁ ବାଲିଯାତ୍ରାକୁ ଆସିଥିବା ଟନେଲ୍ ଆକ୍ୱାରିୟମ୍ ୧୬ ଏମ୍ଏମ୍ କାଚରେ ଫିଟିଂ କରାଯାଇଛି । ଏହି ଆକ୍ୱାରିୟମ୍ରେ ଛୋଟ ସାର୍କ, ତିମି, ଅକ୍ଟୋପସ୍ ସମେତ ବିଭିନ୍ନ ପ୍ରକାରର ରଙ୍ଗୀନ ମାଛ ରହିବେ । ଏହାବାଦ୍ ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟସଙ୍ଗୀତ ସାଙ୍ଗକୁ ଓଲିଉଡ୍ ଓ ବଲିଉଡ୍ କଳାକାରଙ୍କ ଉପସ୍ଥିତିରେ ମଞ୍ଚ ଦୁଲୁକିବ । ଆସନ୍ତା ଶନିବାର ବଲିଉଡ୍ର ସଂଗୀତଶିଳ୍ପୀ ସଚିନ୍-ଜିଗର୍ଙ୍କ ଯୋଡ଼ି ଏବଂ ରବିବାର ଅନୁ ମଲ୍ଲିକଙ୍କ ଉପସ୍ଥିତି ବାଲିଯାତ୍ରକୁ ଆହୁରି ଆକର୍ଷଣୀୟ କରିବ ବୋଲି ଆଶା କରାଯାଉଛି ।