ହସ୍ପିଟାଲ୍ରେ ସଂକ୍ରମଣର ଅଧିକ ଆଶଙ୍କା : ସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : ରାଜ୍ୟର ସବୁ ହସ୍ପିଟାଲ, ମେଡିକାଲ କଲେଜ ପାଇଁ ନୂଆ ଗାଇଡଲାଇନ ଆସିଛି । ହସ୍ପିଟାଲରେ ସବୁବେଳେ ଅଧିକ ଗହଳି ହୋଇଥାଏ । ତେଣୁ ସେଠାରେ ସଂକ୍ରମଣର ଆଶଙ୍କା ଅଧିକ ରହିଛି । ତେଣୁ ଅତି ଦରକାର ନଥିଲେ ରୋଗୀମାନେ ହସ୍ପିଟାଲକୁ ବାରମ୍ବାର ଆସନ୍ତୁ ନାହିଁ ବୋଲି ଅପିଲ୍ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଯେଉଁମାନଙ୍କ ସାଧାରଣ ରୋଗ ରହିଛି, ସେମାନଙ୍କ ଲାଗି ଟେଲିମେଡିସିନ ସେବା ଆରମ୍ଭ ହୋଇଛି । ସେଠାରେ ଯୋଗାଯୋଗ କରି ସେମାନେ ଔଷଧ ନେଇପାରିବେ । ଏମିତିକି ଓପିଡିରେ ଆଟେଣ୍ଡାନ୍ସ ମଧ୍ୟ କମାଇବାକୁ ବି କୁହାଯାଇଛି । ହସ୍ପିଟାଲରେ ମାଇନର ସର୍ଜରୀ ନୁହେଁ, ଏବେ କେବଳ ଜରୁରୀକାଳୀନ ସର୍ଜରୀକୁ ପ୍ରାଥମିକତା ଦିଆଯିବ ।
ଯେପରି ରାଜ୍ୟରେ ସଂକ୍ରମଣ ନ ବଢ଼ିବ, ସେଥିଲାଗି ଏଭଳି କଟକଣା ଲଗୁକରାଯାଇଛି । ଏହି କଟକଣା ରୋଗୀଙ୍କ ଭଲ ପାଇଁ କରାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସବୁଦିଗକୁ ଧ୍ୟାନରେ ରଖି ସରକାର ଉଚିତ ପଦକ୍ଷେପ ନେଉଛନ୍ତି । ସମ୍ଭାବ୍ୟ ସିଭିୟରିଟିକୁ ନଜରରେ ରଖି ଭିତ୍ତିଭୂମି ପ୍ରସ୍ତୁତ ରଖିଛି ସ୍ୱାସ୍ଥ୍ୟ ବିଭାଗ । ସର୍ଭେଲାନ୍ସ ଚାଲିଛି, ଟିକାକରଣ ମଧ୍ୟ ଜୋରସୋରରେ ଚାଲିଛି । ଗତ ବର୍ଷର ପଜିଟିଭ ହାର ଏବଂ ଚଳିତ ବର୍ଷର ପଜିଟିଭ୍ ହାର ଦେଖିଲେ ଜାଣିପାରିବେ କେତେ ହସ୍ପିଟାଲାଇଜେସନ ଆବଶ୍ୟକ ହେଉଛି ? ହସ୍ପିଟାଲ କ୍ଷେତ୍ରରେ ରାଜ୍ୟ ଭଲ ସ୍ଥିତିରେ ଅଛି । ଆବଶ୍ୟକ ପଡ଼ିଲେ ଆଗକୁ ଟେଷ୍ଟିଂ ବଢ଼ାଯିବ, ନଚେତ କମାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।