୫ ଦିନ ପାଇଁ ହାଇକୋର୍ଟ ସଟ୍ଡାଉନ୍
କଟକ : ରାଜ୍ୟରେ କୋଭିଡ୍ ଏବଂ ଓମିକ୍ରନ ସଂକ୍ରଣ ବୃଦ୍ଧି ପାଇଥିଲା ବେଳେ ଓଡ଼ିଶା ହାଇକୋର୍ଟର କେତକ ଅଧିକାରୀ ଓ କର୍ମଚାରୀ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟକୁ ୫ ଦିନ ବନ୍ଦ କରାଯାଇଛି। ଏନେଇ ହାଇକୋର୍ଟର ବିଚାର ବିଭାଗୀୟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ମୁତାବକ ଆଜି ଠାରୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟକୁ ସମ୍ପୂର୍ଣ୍ଣ ସଟ୍ଡାଉନ କରାଯାଇଛି। ସଟ୍ଡାଉନ୍ ପରେ ୧୮ ତାରିଖ ଠାରୁ କୋର୍ଟ କାର୍ଯ୍ୟ ଆରମ୍ଭ ହେବ।
୧୮ ତାରିଖରୁ କେବଳ ଦୁଇଟି ଡିଭିଜନ ବେଞ୍ଚ ଓ ୭ଟି ସିଙ୍ଗଲ ବେଞ୍ଚ କାର୍ଯ୍ୟକରିବ। ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ କୋର୍ଟ ଏହିପରି ଚାଲିବ। ଏହିସବୁ ବେଞ୍ଚରେ କେବଳ ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାର ବା ଶୁଣାଣି କରାଯିବ। ଉକ୍ତ ସମୟ ମଧ୍ୟରେ ଯେଉଁସବୁ ମାମଲା ପୂର୍ବରୁ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି ସେହି ମାମଲାଗୁଡିକ ଆସନ୍ତା ଫେବ୍ରୁଆରୀ ୭ ତାରିଖ ପରେ ପଞ୍ଜିକୃତ କରାଯିବ। ଜାନୁଆରି ୧୮ରୁ ଫେବୃଆରି ୪ ମଧ୍ୟରେ ହେବାକୁ ଥିବା ଅନ୍ୟ ସମସ୍ତ ମାଲାର ଶୁଣାଣିକୁ ସ୍ଥଗିତ କରାଯାଇଛି ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଥିବା ବେଳେ ଆସନ୍ତା କାଲି ହେବାକୁ ଥିବା ଫୁଲ୍କୋର୍ଟ ଆସନ୍ତା ୧୮ ତାରିଖରେ ବସିବ ବୋଲି ହାଇକୋର୍ଟ ପକ୍ଷରୁ ଜାରି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।