ରାଜ୍ୟରେ ଆଜି ବୌଦ୍ଧ ଓ ଟିଟିଲାଗଡ଼ରେ ୪୦ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ୱର : ରାଜ୍ୟରେ ଗତ ୨ ଦିନ ହେବ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି । ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। କିନ୍ତୁ ଏହାପରେ ରାଜ୍ୟର ତାପମାତ୍ରା ପ୍ରାୟ ୨ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ଘଟିବ। ଅନ୍ୟପଟେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି। ଫଳରେ ତାପମାତ୍ରା ବିଶେଷ ବଢ଼ିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ମାତ୍ର ମଙ୍ଗଳବାର ରାଜ୍ୟର କିଛି କିଛି ଜିଲ୍ଲାର ତାପମାତ୍ରା ଅପେକ୍ଷାକୃତ ବଢ଼ିଥିବା ବେଳେ ୨ ଜିଲ୍ଲାର ପାରଦ ୪୦ ଡିଗ୍ରି ସ୍ପର୍ଶ କରିଛି। ବୌଦ୍ଧ ଜିଲ୍ଲାର ବୌଦ୍ଧଠାରେ ଓ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ରେକର୍ଡ ହୋଇଛି।
ପାଣିପାଗ କେନ୍ଦ୍ର କହିଛି ଯେ ମଙ୍ଗଳବାର ଅପରାହ୍ନ ଆଡ଼କୁ କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଆଦି ଜିଲ୍ଲାରେ ଏବଂ ୧୪ ତାରିଖ ବୁଧବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ଗଜପତି ଓ ରାୟଗଡ଼ା ଆଦି ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି। ଏହା ପରେ ରାଜ୍ୟରେ ପାଗ ଶୁଖିଲା ରହିବ।