୧୨ ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ଏସିଏସଙ୍କ ଚିଠି

- ବାତ୍ୟା ଆଶ୍ରୟସ୍ଥଳ ଫେରନ୍ତାଙ୍କ ଉପରେ ନଜର ରଖ
ଭୁବନେଶ୍ୱର : ରାଜ୍ୟରେ ବାତ୍ୟା ଚାଲିଯ଼ିବା ପରେ ଏବେ ପୁଣି କରୋନା ଚିନ୍ତା ଫେରିଆସିଛି । ବାତ୍ୟା ପାଇଁ ଆଶ୍ରୟସ୍ଥଳକୁ ନିଆଯ଼ାଇଥିବା ଲକ୍ଷ ଲକ୍ଷ ଲୋକ, ଉଦ୍ଧାର ଓ ସହାୟତା କରିବାକୁ ଯାଇଥିବା ହଜାର ହଜାର କର୍ମଚାରୀ ଯେପରି କରୋନା ସଂକ୍ରମିତ ନ ହୁଅନ୍ତି ସେ ଦିଗରେ ରାଜ୍ୟ ସରକାର ତତ୍ପର ହୋଇଉଠିଛନ୍ତି ।
ସାମୁଦ୍ରିକ ବାତ୍ୟା ‘ୟାସ୍’ ପାଇଁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହୋଇଥିବା ଲୋକମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ରାଜ୍ୟ ସରକାର ଗୁରୁବାର ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏନେଇ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ଯେ, ୟାସ୍ ବାତ୍ୟା ପାଇଁ ବହୁ ପରିବାର ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହୋଇଥିଲେ । ଏହାବ୍ୟତୀତ ବହୁ ଲୋକ ମଧ୍ୟ ବାତ୍ୟା ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଏହି ସମସ୍ତ ଲୋକମାନେ ପରସ୍ପରର ସଂସ୍ପର୍ଶରେ ଆସିଥିବେ । ଏବେ ଲୋକମାନେ ବାତ୍ୟା ଆଶ୍ରୟସ୍ଥଳୀରୁ ଘରକୁ ଫେରିଥିବା ଓ ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଥିବାରୁ, ଆଗାମୀ ସପ୍ତାହଗୁଡ଼ିକରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କର କୋଭିଡ୍ ଲକ୍ଷଣ ଉପରେ ତୀକ୍ଷ୍ଣ ନଜର ରଖିବାର ଆବଶ୍ୟକତା ରହିଛି ।
ଏହି ୧୨ଟି ଜିଲ୍ଲା ହେଲା ବାଲେଶ୍ୱର, ଭଦ୍ରକ,ମଂୟୁରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, ସୁନ୍ଦରଗଡ଼, ପୁରୀ, କେନ୍ଦୁଝର, କଟକ, ଖୋର୍ଦ୍ଧା,ଢେଙ୍କାନାଳ, ଅନୁଗୁଳ । ଆଶ୍ରୟସ୍ଥଳ ଫେରନ୍ତା ଲୋକ, ଉଦ୍ଧାରକାରୀ କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବାକୁ ଘରକୁ ଘର ବୁଲୁଥିବା ସର୍ଭେ ଟିମକୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଉ । ସେହିପରି ଏସବୁ ଲୋକମାନେ ନିଜେ ନିଜର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖନ୍ତୁ ଓ ଲକ୍ଷଣ ଦେଖାଦେଲେ ତୁରନ୍ତ ନିଜକୁ ଅଲଗା କରି କୋଭିଡ୍ ପରୀକ୍ଷା କରାନ୍ତୁ ।