ଏସ୍ଆରସିଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି : କଠୋର ହେଲା ନିର୍ବାଚନ କଟକଣା, ପ୍ରଚାରରେ ସର୍ବାଧିକ ୫ଜଣ
ଡିଜିଟାଲ ମାଧ୍ୟମରେ ପ୍ରଚାରକୁୁ ଗୁରୁୁତ୍ୱ, ଶୋଭାଯାତ୍ରାକୁ ବାରଣ
ଭୁବନେଶ୍ୱର : ନିର୍ବାଚନ ପ୍ରଚାର ପାଇଁ ଏସଆରସି ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । ଜାନୁଆରି ୫ ତାରିଖରେ ଜାରି ହୋଇଥିବା ଗାଇଡଲାଇନରେ ପରିବର୍ତନ କରାଯାଇଛି । ନିର୍ବାଚନ ପରିପ୍ରେକ୍ଷୀରେ କୌଣସି ବଡଧରଣର ସମାବେଶର ଆୟୋଜନ ହୋଇପାରିବ ନାହିିଁ । ସମାବେଶ ଉପରେ କଟକଣା ଲାଗୁ ହୋଇଛି । ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର କରିପାରିବେ । ଏହାରି ଉପରେ ଏସ୍ଆରସିଙ୍କ ଗାଇଡଲାଇନ୍ରେ ଉଲ୍ଲେଖ କରାଯାଇଛି । ସର୍ବାଧିକ ୫ ଜଣଙ୍କୁ ନେଇ ହୋଇ ପାରିବ ଘରକୁ ଘର ପ୍ରଚାର । ଡିଜିଟାଲ ପ୍ରଚାରକୁ ପ୍ରାଧାନ୍ୟ ଦେବାକୁ ପରାମର୍ଶ ।
ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ବୁଧବାର ନିଜର ୫ତାରିଖର ନିର୍ଦ୍ଦେଶନାମାକୁ ବଦଳାଇ କରୋନା କଟକଣାକୁ କଠୋର କରିବା ସହ ଆଜି ସାନି ଗାଇଡଲାଇନ୍ ଜାରି କରିଛନ୍ତି । ୫ତାରିଖରେ ଏସଆରସିଙ୍କ ଦ୍ୱାରା ଜାରି ନିର୍ଦ୍ଦେଶରେ ରାଜନୀତିକ କାର୍ଯ୍ୟକ୍ରମ, ରାଲି, ବୈଠକ ଆଦିରେ ସର୍ବାଧିକ ୧୦୦ଜଣ ଅବା କୋଠରୀରେ ସିଟ୍ କ୍ଷମତାର ୫୦ପ୍ରତିଶତ ପର୍ଯ୍ୟନ୍ତ ଲୋକଙ୍କୁ ସାମିଲ ହେବାକୁ ଅନୁମତି ମିଳିଥିଲା । କିନ୍ତୁ ନିର୍ବାଚନ କମିଶନରଙ୍କ ଚିଠି ପରେ ଏସଆରସି ପୂର୍ବର ଏହି ନିଷ୍ପତିକୁ ପରିବର୍ତନ କରି ସାନି ଗାଇଡଲାଇନ୍ ଜାରି କରିଛନ୍ତି ।
ରାଜ୍ୟ ନିର୍ବାଚନ କମିଶନରଙ୍କ ଦ୍ୱାରା ଗତ ମଙ୍ଗଳବାର ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ପଂଚାୟତ ନିର୍ବାଚନ ସଂକ୍ରାନ୍ତ କୋଭିଡ୍ ଗାଇଡଲାଇନ୍ ଜାରି କରାଯିବା ପରେ ଉକ୍ତ ଗାଇଡଲାଇନ୍ ଆଧାରରେ ଏସଆରସି ବୁଧବାର ସାନି ଗାଇଡଲାଇନ୍ ଜାରି କରିଛନ୍ତି । ଏଥିରେ ଏସଆରସି ୫ତାରିଖ ନିର୍ଦ୍ଦେଶର ପରିବର୍ତନ କରିଛନ୍ତି ଓ ସର୍ବାଧିକ ୫ଜଣ ଲୋକଙ୍କୁ ଡୋରଟୁ ଡୋର ପ୍ରଚାର କରିବାକୁ ଅନୁମତି ମିଳିବ ବୋଲି କହିଛନ୍ତି । ପ୍ରଚାର ସମୟରେ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବାକୁ ଜରୁରୀ କରାଯାଇଛି । ସାମାଜିକ ଓ ଇଲୋକ୍ଟ୍ରୋନିକ୍ସ ମିଡିଆରେ ଯଥାସମ୍ଭବ ପ୍ରଚାରକୁ ପ୍ରାଥମିକତା ଦେବାକୁ କୁହାଯାଇଛି । କୋଭିଡ-୧୯କୁ ଦୃଷ୍ଟି ରଖି ଅଧିକ ସଂଖ୍ୟାରେ ଲୋକଙ୍କୁ ଧରି ପ୍ରଚାର କରିବାକୁ ଅନୁମତି ମିଳିବ ନାହିଁ । ସର୍ବାଧିକ ୫ଜଣ ହିଁ ପ୍ରଚାରରେ ଯାଇ ପାରିବେ । କୋଭିଡ୍ ସଂକ୍ରମିତ ପ୍ରାର୍ଥୀ ବ୍ୟକ୍ତିଗତ ଭାବେ ବୁଲି ପ୍ରଚାର କରିପାରିବେ ନାହିଁ । କେବଳ ସେ ଇଲେକ୍ଟ୍ରୋନିକ ଓ ଭର୍ଚୁଆଲ ମୋଡରେ ପ୍ରଚାର କରିବେ । ସେହିପରି ରାଜନୀତିକ ଦଳ ଓ ପ୍ରାର୍ଥୀମାନେ କୋଭିଡ୍ ଗାଇଡଲାଇନକୁ ପାଳନ କରି ନିଜର ପ୍ରଚାରକୁ ଡିଜିଟାଲ, ଭର୍ଚୁଆଲ, ମିଡିଆ ପ୍ଲାଟଫର୍ମ, ମୋବାଇଲ ଆଦି ମାଧ୍ୟମରେ କରିବା ନିମନ୍ତେ ପରାମର୍ଶ ଦିଆଯାଇଛି ।
ରୋଡ୍ ଶୋ’, ପଦଯାତ୍ରା, ସାଇକେଲ, ବାଇକରେ ରାଲି ଓ ଅନ୍ୟାନ୍ୟ ଶୋଭାଯାତ୍ରା ଉପରେ କଟକଣା ଜାରି ହୋଇଛି । ରାଜନୀତିକ ଦଳ ଅବା ସମ୍ଭାବ୍ୟ ପ୍ରାର୍ଥୀଙ୍କ ଦ୍ୱାରା କୌଣସି ପ୍ରକାରର ରାଲି କିମ୍ବା ନିର୍ବାଚନ ସଂକ୍ରାନ୍ତରେ ଅନ୍ୟ କୌଣସି ଗୋଷ୍ଠୀର ରାଲିକୁ ଅନୁମତି ଦିଆଯିବ ନାହିଁ । ସେହିପରି ଭୋଟ ଗଣତି ପରେ ବିଜୟ ଶୋଭାଯାତ୍ରା ମଧ୍ୟ ପ୍ରାର୍ଥୀମାନେ କରିପାରିବେ ନାହିଁ । ବିଜୟୀ ପ୍ରାର୍ଥୀ ସହ ସର୍ବାଧିକ ୨ଜଣ ଯାଇପାରିବେ । ରାଜନୀତିକ ଦଳ ଓ ପ୍ରାର୍ଥୀଙ୍କର ବିଭିନ୍ନ ୱାର୍ଡରେ ଥିବା କ୍ୟାମ୍ପ ଅଫିସରେ ମାସ୍କ ଓ ହାତ ଧୋଇବା ପାଇଁ ସାନିଟାଇଜର ରହିବ । ପ୍ରଚାରବେଳେ ଭୋଟର ମାନଙ୍କୁ ମଧ୍ୟ ମାସ୍କ ପିନ୍ଧିବା ଓ ହାତ ସାନିଟାଇଜ କରିବାକୁ ପ୍ରାର୍ଥୀମାନେ ପ୍ରୋତ୍ସାହିତ କରିବେ । ସେହିପରି ନାମାଙ୍କନ ପତ୍ର ଦାଖଲବେଳେ ପ୍ରାର୍ଥୀ ଓ ତାଙ୍କ ପ୍ରସ୍ତାବକ ଉଭୟ ସାମାଜିକ ଦୂରତ୍ୱ ଓ କୋଭିଡ୍ ଗାଇଡଲାଇନ ପାଳନ କରି ନିର୍ବାଚନ ଅଧିକାରୀଙ୍କ ଅଫିସକୁ ଯିବେ । ଅଧିକ ସଂଖ୍ୟକ ଲୋକ ଏକଜୁଟ ହୋଇପାରିବେ ନାହିଁ । କେବଳ ସେତିକି ନୁହେଁ ଭୋଟ ଗଣତି କେନ୍ଦ୍ର ବାହାରେ ଭିଡ଼ ହେବ ନାହିଁ । ବିଜୟୀ ପ୍ରାର୍ଥୀଙ୍କ ଦ୍ୱାରା ଲୋକଙ୍କୁ ଏକଜୁଟ କରାଇବା ଓ ଶୋଭାଯାତ୍ରା କରିବା ଉପରେ ସମ୍ପୂର୍ଣ୍ଣ କଟକଣା ରହିବ । ଭୋଟଗଣତି ସମୟରେ ଗଣତି କେନ୍ଦ୍ର ବାହାରେ ଲୋକମାନେ ଭିଡ଼ କରିପାରିବେ ନାହିଁ । ଏସବୁ ନିର୍ଦ୍ଦେଶକୁ ଉଲ୍ଲଘଂନ କଲେ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ର ଧାରା ୫୧ରୁ ୬୦ ପର୍ଯ୍ୟନ୍ତ ପ୍ରାବଧାନ ଓ ଆଇପିସିର ଧାରା ୧୮୮ ଅନ୍ତର୍ଗତ ଦଣ୍ଡିତ ହେବେ ବୋଲି ଏସଆରସି ସ୍ପଷ୍ଟ କରିଛନ୍ତି । ଏହାସହିତ ଜାନୁୟାରୀ ୧୦ତାରିଖରେ ରାଜ୍ୟ ନିର୍ବାଚନ କମିଶନର ଜାରି କରିଥିବା କୋଭିଡ ଗାଇଡଲାଇନକୁ ପଂଚାୟତ ନିର୍ବାଚନ ପରିଚାଳନାବେଳେ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।