ଧରାପଡିଲା ହାଇଦର

ଭୁବନେଶ୍ୱର : ପୁଣି ଥରେ ଗିରଫ ହୋଇଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର । କଟକ ବଡ଼ମେଡିକାଲରୁ ଫେରାରହୋଇଯାଇଥିବା ସେକ୍ ହାଇଦରକୁ ତେଲେଙ୍ଗାନା ରାଜ୍ୟର ରଙ୍ଗାରେଡି ଜିଲ୍ଲାରୁ ଗିରଫ କରାଯାଇଛି । ତେଲେଙ୍ଗାନା ପୋଲିସ ସହାୟତାରେ ହାଇଦରକୁ ଧରିବାରେ ସଫଳ ହୋଇଥିବା ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଗୁରୁବାର ସଂଧ୍ୟାରେ ସୂଚନା ଦେଇଛନ୍ତି । ୨୪ ଘଂଟା ମଧ୍ୟରେ ହାଇଦରକୁ ଭୁବନେଶ୍ୱର ଅଣାଯାଇ କୋର୍ଟରେ ହାଜର କରାଯିବ ବୋଲି ସେ କହିଛନ୍ତି । ଅପରପକ୍ଷରେ ହାଇଦର ଗିରଫ ହେବା ପରେ ଟୁଇଟ୍ କରି ସାବାସୀ ଦେଇଛନ୍ତି ପୋଲିସ୍ ଡିଜି ଶ୍ରୀ ଅଭୟ ।ଏଥିପାଇଁ ସେ ପୋଲିସ କମିଶନର ଓ କଟକ ଡିସିପିଙ୍କୁ ପ୍ରଂଶସା କରିଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର କହିଛନ୍ତି ଯେ, ଏଠାରୁ ଫେରାର ହୋଇ ତେଲେଙ୍ଗାନାର ହାଇଦ୍ରାବାଦ ପହଂଚିବା ପରେ ଓଡ଼ିଶା ପୋଲିସ ତେଲେଙ୍ଗାନାର ସଙ୍ଗାରେଡ୍ଡୀ ପୋଲିସ ଓ ହାଇଦ୍ରାବାଦ୍ ପୋଲିସ ସହିତ ମିଶି ତାକୁ ଧରିବାକୁ ଅପରେସନ୍ ଆରମ୍ଭ କରିଥିଲା । କଟକରୁ ଯାଇଥିବା ୨ଟି ପୋଲିସ ଟିମ୍ ତେଲେଙ୍ଗାନା ପୋଲିସ ସହ ଯୋଗାଯୋଗ ରଖିଥିଲା । ଆଜି ହାଇଦର ଏକ ବାଇକ୍ ରେ ଯାଉଥିବା ବେଳେ ପୋଲିସର ମିଳିତ ଟିମ୍ ଅତର୍କିତ ଭାବେ ଚଢ଼ାଉ କରି ଗିରଫ କରିଥିଲା । ସୂଚନାଯୋଗ୍ୟ ଯେ କଟକ ଏସସିବି ମେଡିକାଲକୁ ଚିକିତ୍ସା ଲାଗି ଆସି କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ହାଇଦର ସେଠାରୁ ଗତ ୧୦ ତାରିଖରେ ଫେରାର୍ ହୋଇଯାଇଥିଲା ।