ସର୍ବ ପ୍ରଥମେ ଗଣେଶଙ୍କୁ ପୂଜା କରାଯାଏ, ଜାଣନ୍ତୁ ପୁରାଣ କଥା ?
ହିନ୍ଦୁ ଧର୍ମରେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଗଣେଶଙ୍କ ପୂଜା କରାଯାଇଥାଏ । କାରଣ ତାଙ୍କୁ ବିଘ୍ନହର୍ତ୍ତା କହନ୍ତି । ଗଣେଶଙ୍କ ଧ୍ୟାନ, ଜପ ଓ ଆରଧନା କରିବା ଦ୍ୱାରା ସମସ୍ତ କାମନା ର୍ନିବିଘ୍ନରେ ପୂର୍ଣ୍ଣ ହୋଇଥାଏ । ଗଣେଶ ଶବ୍ଦର ଅର୍ଥ ଗଣଙ୍କ ଈଶ୍ୱର ବା ଗଣଙ୍କ ସ୍ୱାମୀ । ତେଣୁ ଶୁଭକାର୍ଯ୍ୟରେ କୌଣସି ବାଧାବିଘ୍ନ ନଆସୁ ସେଥିପାଇଁ ପ୍ରଥମେ ଗଣେଶ ପୂଜା କରାଯାଇଥାଏ । ପ୍ରତ୍ୟେକ ଶୁଭକାର୍ଯ୍ୟ ପୂର୍ବରୁ ଶ୍ରୀ ଗଣେଶାୟ ନମଃ ସ୍ତୁତି ପାଠ କରାଯାଇଥାଏ । ତେବେ କାହାକିଁ ଗଣେଶଙ୍କୁ ଅଗ୍ରପୂଜ୍ୟ କରାଯାଏ ଜାଣିବା ।
ପଦ୍ମ ପୁରାଣ ଅନୁଯାୟୀ, ସୃଷ୍ଟି ଆରମ୍ଭରେ ପ୍ରଶ୍ନ ଉଠିଲା ପ୍ରଥମ ପୂଜ୍ୟ ଭାବେ କେଉଁ ଦେବତାଙ୍କୁ ପୂଜା କରାଯିବ । ଦେବତାଗଣ ପ୍ରଭୁ ବ୍ରହ୍ମାଙ୍କ ନିକଟରେ ପହଞ୍ଚôଲେ । ବ୍ରହ୍ମା କହିଲେ ଯିଏ ସମ୍ପୂର୍ଣ୍ଣ ପୃଥିବୀର ପରିକ୍ରମା ପ୍ରଥମେ କରିବେ ତାଙ୍କୁ ହିଁ ଅଗ୍ରପୂଜ୍ୟ କରାଯିବ । ସମସ୍ତ ଦେବତା ଗଣ ନିଜ ନିଜ ବାହନରେ ପୃଥିବୀର ପରିକ୍ରମା ପାଇଁ ବାହାରି ପଡ଼ିଲେ । ଗଣେଶଙ୍କ ବାହାନ ମୂଷା ହୋଇଥିବାରୁ ସେ କେମିତି ସମ୍ପୂର୍ଣ୍ଣ ପୃଥିବୀର ପରିକ୍ରମା କରିବେ ଭାବିବା ବେଳେକୁ ଦେବର୍ଷି ନାରଦ ତାଙ୍କୁ ଏକ ଉପାୟ କହିଲେ । ଦେବର୍ଷି ନାରଦଙ୍କ ପରାମର୍ଶ ଅନୁଯାୟୀ ଗଣେଶ ଭୂମିରେ ଶ୍ରୀରାମ ନାମ ଲେଖି ତାହାର ୭ଥର ପରିକ୍ରମା କଲେ ଓ ବ୍ରହ୍ମାଙ୍କ ପାଖରେ ପହଞ୍ଚି ଗଲେ । ବ୍ରହ୍ମା ତାଙ୍କୁ ପ୍ରଥମ ପୂଜ୍ୟ କହିଲେ କାରଣ ରାମ ନାମରେ ଶ୍ରୀରାମଙ୍କ ସ୍ୱରୂପ ଅଟେ । ଶ୍ରୀରାମରେ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ରହିଥାନ୍ତି । ତେଣୁ ସେହି ଦିନରୁ ଗଣେଶଙ୍କୁ ଅଗ୍ରପୂଜା କରାଯାଇଥାଏ ।
ସେହିପରି ଶିବ ପୁରାଣ ଅନୁଯାୟୀ, ଥରେ ସମସ୍ତ ଦେବତା ଭଗବାନ ଶିବଙ୍କ ପାଖକୁ ଆସି ଗୁହାରି କରିଥିଲେ କି ଦେବତାଙ୍କ ମଧ୍ୟରେ ଜଣଙ୍କୁ ମୁଖିଆ ଭାବେ ଚୟନ କରାଯାଉ। ଶିବ ମଧ୍ୟ ଦେବତାଗଣଙ୍କ ପ୍ରସ୍ତାବରେ ରାଜି ହୋଇ ଯାଇଥିଲେ। ଶିବ କହିଥିଲେ ଯିଏ ସର୍ବ ପ୍ରଥମେ ପୃଥିବୀକୁ ୩ଥର ପରିକ୍ରମା କରିବେ ସେହି ଦେବତାଙ୍କୁ ସର୍ବ ପ୍ରଥମେ ପୂଜା କରାଯିବା ସହ ତାଙ୍କୁ ଦେବତାଙ୍କର ସ୍ବାମୀ ଭାବେ ପରିଗଣିତ କରାଯିବ। ତେବେ ଗଣେଶଙ୍କ ବାହନ ମୂଷିକ ହୋଇଥିବା ବେଳେ ସେ ବହୁ ଧୀର ବେଗରେ ଗତି କରିଥାଏ। ତେଣୁ ଗଣେଶ କେବେବି ଶୀଘ୍ର ପୃଥିବୀ ପରିକ୍ରମା କରିବାରିବେ ନାହିଁ ବୋଲି ଭାବିଥିଲେ। ଏତିକିବେଳେ ସେ ତାଙ୍କର ବୁଦ୍ଧି ଖଟାଇ ମାତା ପାର୍ବତୀ ଓ ପିତା ମହାଦେବଙ୍କ ଚାରିପଟେ ୩ ଥର ବୁଲି ଆସି ହାତଯୋଡି ଦେବତାମାନଙ୍କ ଆଗରେ ଠିଆ ହୋଇ ଯାଇଥିଲେ। ଆଉ ଏହା ଦେଖିବା ପରେ ଶିବ କହିଥିଲେ ତୁମଠାରୁ ଚତୁର ବା ବୁଦ୍ଧିମାନ ଏହି ସଂସାରରେ ଆଉ କେହି ନାହିଁ। ମାତାପିତାଙ୍କୁ ପରିକ୍ରମା କରିବାର ଅର୍ଥ ହେଉଛି ତିନି ଲୋକଙ୍କୁ ପରିକ୍ରମା କରିବା। ଯାହା ପୃଥିବୀର ପରିକ୍ରମା ଠାରୁ ବି ବଡ଼ । ତେଣୁ ଯେଉଁ ମଣିଷ ନିଜର କୌଣସି କାର୍ଯ୍ୟ ଆରମ୍ଭ ପୂର୍ବରୁ ଗଣେଶ ପୂଜା କରିବ ତା’ର ସମସ୍ତ କାର୍ଯ୍ୟ ର୍ନିବିଘ୍ନରେ ପୂର୍ଣ୍ଣ ହେବ । ସେହି ଦିନରୁ ଗଣେଶଙ୍କୁ ଅଗ୍ରପୂଜ୍ୟ ଭାବେ ପୂଜା କରାଯାଇଆସୁଛି ।ଏଥିସହ ସବୁ ଶୁଭ କାମରେ ପ୍ରଥମେ ଗଣେଶଙ୍କୁ ପୂଜା କରାଯାଇଥାଏ।