ଆଜି ଠାରୁ ୨ ହଜାର ଟଙ୍କିଆ ନୋଟ୍ ବଦଳାଇବା ପ୍ରକ୍ରିୟା, ଆର୍ବିଆଇ ପକ୍ଷରୁ ମାର୍ଗଦର୍ଶିକା ଜାରି

ମୁମ୍ବାଇ : ବଜାରରୁ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ପରେ ୨ ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ୪ ମାସ ଅବଧି ରହିଛି । ତେଣୁ ଏହାକୁ ନେଇ ଲୋକେ ଅଯଥା ବ୍ୟସ୍ତ ହୋଇ ବ୍ୟାଙ୍କରେ ଗହଳି ନକରିବାକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ଆଜିଠୁ ବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟକୁ ବଦଳାଇବା ପ୍ରକ୍ରିୟା ଆରମ୍ଭ ହେଉଛି । ଏହାପୂର୍ବରୁ ନୋଟକୁ ନେଇ ଦେଖାଦେଇଥିବା ଦ୍ୱନ୍ଦ୍ୱ ବାବଦରେ ସ୍ପଷ୍ଟୀକରଣ ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।
ବ୍ୟାଙ୍କଗୁଡିକରେ ନୋଟ୍ ବଦଳାଇବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଆରବିଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେପ୍ଟେମ୍ବର ୩୦ ପରେ ମଧ୍ୟ ୨ ହଜାର ଟଙ୍କିଆ ନୋଟ ବୈଧ ରହିବ ବୋଲି ସେ କହିଛନ୍ତି । ନୋଟ୍ ବଦଳାଇବା ବେଳେ କୌଣସି ତଥ୍ୟ ଦେବାକୁ ପଡିବ ନାହିଁ । କିନ୍ତୁ ୫୦ ହଜାର ଟଙ୍କାରୁ ଅଧିକ ୨ ହଜାର ଟଙ୍କିଆ ନୋଟ୍ ବଦଳାଇଲେ ତଥ୍ୟ ଦେବାକୁ ହେବ ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି ।
୨୦୦୦ ଟଙ୍କିଆ ନୋଟ୍ ବିନିମୟ କରିବା ପାଇଁ ବ୍ୟାଙ୍କଗୁଡିକ ନିୟମ ସ୍ଥିର କରିଛନ୍ତି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଦେଇଥିବା ସୂଚନା ଅନୁଯାୟୀ, ଯେଉଁମାନଙ୍କ ପାଖରେ ୨୦୦୦ ଟଙ୍କିଆ ନୋଟ୍ ଅଛି ସେମାନେ ବିନା ସ୍ଲିପ୍ ଏବଂ ଆଇଡିରେ ବ୍ୟାଙ୍କ ଯାଇ ତାହାକୁ ବିନିମୟ ଏବଂ ଜମା କରିପାରିବେ। ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ୍ ଜମା ଏବଂ ବଦଳ କ୍ଷେତ୍ରରେ କୌଣସି ପ୍ରକାରର କାଗଜପତ୍ର ଆବଶ୍ୟକ ନାହିଁ। ନିକଟତମ ଶାଖା କିମ୍ବା ଅନ୍ୟ କୌଣସି ବ୍ୟାଙ୍କରେ ମଧ୍ୟ ଏହି ନୋଟ୍ଗୁଡିକୁ ଆକାଉଣ୍ଟରେ ବିନିମୟ କିମ୍ବା ଜମା କରାଯାଇପାରିବ। ବ୍ୟାଙ୍କରେ ନୋଟ୍ ଜମା କରିବା ଏବଂ ବିନିମୟ ପାଇଁ ପୁରୁଣା ନିୟମ ଲାଗୁ ହେବ ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି। ୨୦୦୦ ଟଙ୍କିଆ ନୋଟ୍ ଜମା କରିବାରେ କୌଣସି ସୀମା ଧାର୍ଯ୍ୟ କରାଯାଇନାହିଁ। ବୋଲି ସେ କହିଛନ୍ତି। ଆପଣ ନିଜ ଆକାଉଣ୍ଟରେ ଯେତିକି ନଗଦ ଚାହିଁବେ ଜମା କରିପାରିବେ। ୫୦ ହଜାରରୁ ଅଧିକ ଟଙ୍କା ଜମା ଉପରେ ପାନ୍ କାର୍ଡ ଦେବାକୁ ପଡିବ, ଯେଉଁ ନିୟମ ପୂର୍ବରୁ ବଳବତ୍ତର ଅଛି। ଏହା କେବଳ ୨୦୦୦ ଟଙ୍କିଆ ନୋଟ୍ ନୁହେଁ ବରଂ ସମସ୍ତ ବର୍ଗର ନୋଯ କ୍ଷେତ୍ରରେ ପ୍ରଯୁଯ୍ୟ। ଉଲ୍ଲେଖନୀୟ କଥା ହେଉଛି, ଆରବିଆଇ ନିୟମ ଅନୁଯାୟୀ, ବ୍ୟାଙ୍କ ଆକାଉଣ୍ଟରେ ୨୦ ଲକ୍ଷରୁ ଅଧିକ ଟଙ୍କା କିମ୍ବା ଗୋଟିଏ ଆର୍ଥିକବର୍ଷରେ ଦିନକୁ ୫୦,୦୦୦ରୁ ଅଧିକ ଟଙ୍କା ଜମା କିମ୍ବା ଉଠାଣ ପାଇଁ ପାନ୍ ଏବଂ ଆଧାର ଆବଶ୍ୟକ। ୨୦୦୦ ଟଙ୍କିଆ ନୋଟ୍ ବିନିମୟ ଏବଂ ଜମା ଗ୍ରହଣ ପାଇଁ ବ୍ୟାଙ୍କଗୁଡିକରେ ପ୍ରସ୍ତୁତି ଶେଷ ହୋଇଛି। ମେ ୨୩ରୁ ସେପ୍ଟେମ୍ବର ୩୦ ମଧ୍ୟରେ ୨୦୦୦ ଟଙ୍କିଆ ନୋଟ୍ ବିନିମୟ ହୋଇ ଜମା କରାଯାଇପାରିବ। ଗୋଟିଏ ଦିନରେ ଜଣେ ୧୦ ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍ କିମ୍ବା ସର୍ବାଧିକ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ନୋଟ୍ ବଦଳ କରିପାରିବେ।