ଆଜିଠୁ ‘ପରୀକ୍ଷା ପର୍ବ-୪.୦’, ଶିକ୍ଷକ ଓ ଅଭିଭାବକଙ୍କୁ ସାମିଲ
ଭୁବନେଶ୍ୱର: ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ (ଏନସିପିସିଆର) ପକ୍ଷରୁ ଆଜିଠୁ ଆରମ୍ଭ ହେବ ‘ପରୀକ୍ଷା ପର୍ବ-୪.୦’ । ପରୀକ୍ଷା ସମୟରେ ପିଲାଙ୍କ ମୁଣ୍ଡରୁ ଭାର ହାଲୁକା କରିବାକୁ ଏହି ଅଭିଯାନ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ରୁ ଅନୁପ୍ରାଣିତ ହୋଇ ଏହି କାର୍ଯ୍ୟକ୍ରମ ସଫଳ ରୂପାନ୍ୱିତ ହୋଇଛି ବୋଲି କମିଶନ ପକ୍ଷରୁ କୁହାଯାଇଛି ।
ଏପ୍ରିଲ ୧୧ରୁ ଆରମ୍ଭ ହୋଇ ମେ ୩୧ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ । ୨୦୧୯ରୁ ସକ୍ରିୟ ଥିବା ଏହି କାର୍ଯ୍ୟକ୍ରମ ପରୀକ୍ଷା ବେଳର ଚାପ ଆଉ ଫଳାଫଳ ପୂର୍ବର ଚିନ୍ତା ଦୂର କରିବା ଏହାର ଉଦ୍ଦେଶ୍ୟ । ଚଳିତଥର ହେଉଛି ପରୀକ୍ଷା ପର୍ବ ୪.୦ । ଏଥିରେ ନୂଆ କରି ଶିକ୍ଷକ ଓ ଅଭିଭାବକଙ୍କୁ ସାମିଲ କରାଯାଇଛି । ସେମାନେ ମତାମତ ଦେବା ସହ ଅଭିଜ୍ଞତା ବାଣ୍ଟି ପାରିବେ । ଅଭିଜ୍ଞ କାଉସେଲରଙ୍କ ନିକଟରୁ ସେମାନେ ମଧ୍ୟ କିଛି ପରାମର୍ଶ ପାଇପାରିବେ ।
ଆଜିଠୁ ଫେସବୁକ, ଟ୍ୱିଟର, ୟୁଟୁବ୍ ଏବଂ ଦୂରଦର୍ଶନରେ ‘ପରୀକ୍ଷା ପର୍ବ-୪.୦’ ଲାଇଭ ଷ୍ଟ୍ରିମ ହେବ । ଏଥିସହ ‘ସମବେଦନା’ (୧୮୦୦୧୨୧୨୮୩୦) ନାମକ ହେଲପଲାଇନ କାର୍ଯ୍ୟ କରିବ । ଯାହା କୋଭିଡ ଜନିତ ଚିନ୍ତା ସକାଶେ କାର୍ଯ୍ୟ କରେ । ଏଥିରେ ଚଳିତ ଥର ଅଭିଜ୍ଞ କାଉନସେଲର ପିଲାମାନଙ୍କୁ ପରାମର୍ଶ ଦେବେ ।