୮ରୁ ଅସହଯୋଗ ଓ କୋର୍ଟ ବର୍ଜନ ଅନ୍ଦୋଳନ କରିବ ଜିଲା ବାର ଆସୋସିଏସନ
ବାଲେଶ୍ୱର : ବାଲେଶ୍ୱର ଜିଲା ବାର ଆସୋସିଏସନ ବଭିନ୍ନ ଦାବି ନେଇ ଆସନ୍ତା ସୋମବାର ଠାରୁ ଅସହଯୋଗ ଓ କୋର୍ଟ ବର୍ଜନ ଅନ୍ଦୋଳନକୁ ଓହ୍ଲାଇବା ନିଷ୍ପତ୍ତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲା ବାର ଆସୋସିଏସନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ସଭାପତି ମନୋଜ ନାୟକ, ସମ୍ପାଦକ ସମ୍ବିତ ନନ୍ଦୀ ତଥା ବରିଷ୍ଠ ଆଇନଜୀବୀମାନେ ଯୋଗଦେଇ ବିଚାର ବିଭାଗର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିର ବିଭିନ ଦିଗ ସମ୍ପର୍କରେ ସୂଚନା ଦେଇଥିଲେ ।
ବିଶେଷ କରି ସୋର ବରିଷ୍ଠ ଦେୱାନୀ କୋର୍ଟକୁ ବାଲେଶ୍ୱରର ବିଚାରଧୀନ ଦେୱାନୀ ମାମଲାକୁ ସ୍ଥାନାନ୍ତର ସାଙ୍ଗକୁ ସୋର, ବାହାନଗା, ଖନ୍ତାପଡ଼ା ପ୍ରଭୃତି ଅଞ୍ଚଳ ଲୋକଙ୍କ ଜମିବାଡ଼ି ସମ୍ବନ୍ଧୀୟ ଦେୱାନୀ ମାମଲା ବାଲେଶ୍ୱର କୋର୍ଟରେ ଜୁରୁ କରା ନଯିବା ନିର୍ଦ୍ଦେଶକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ ୨୦୦୯ରେ ସୋରରେ ପ୍ରତିଷ୍ଠା ହୋଇଥିବା କନିଷ୍ଠ ଦେୱାନୀ କୋର୍ଟ ଓ ୨୦୧୭ ମସିହାରେ ବରିଷ୍ଠ ଦେୱାନୀ କୋର୍ଟ ପ୍ରତିଷ୍ଠା ହୋଇଥିଲା । ଏହି କୋର୍ଟ ପ୍ରତିଷ୍ଠା ସତ୍ତ୍ୱେ ପୂର୍ବଭଳି ବାଲେଶ୍ୱର ଦେୱାନୀ କୋର୍ଟରେ ଦେୱାନୀ ମାମଲା ରୁଜୁ ସାଙ୍ଗକୁ ବିଚାର ମଧ୍ୟ ହୋଇପାରୁଥିଲା । ଏହା ଦ୍ୱାରା ମକିଲମାନେ ନିଜ ଇଚ୍ଛାରେ ସୋର ଓ ବାଲେଶ୍ୱରରେ ମାମଲା ରୁଜୁ କରି ପାରୁଥିଲେ । ମାତ୍ର ଗତ ମେ ମାସ ୧୭ ତାରିଖରୁ ଏହା ଉପରେ ଅଙ୍କୁଶ ଲଗାଯିବା କେତେ ଯଥାର୍ଥ ବୋଲି ଓକିଲ ସଂଘ କର୍ମକର୍ତ୍ତାମାନେ ପ୍ରଶ୍ନ କରିଛନ୍ତି । ବାହାନଗା ଓ ଖନ୍ତାପଡ଼ା ଅଞ୍ଚଳର ଫୌଜଦାରୀ ମାମଲା ବାଲେଶ୍ୱର ସବ-ଡିଭିଜନ କୋର୍ଟରେ ବିଚାର ହେଉଥିବା ବେଳେ ଦେୱାନୀ ମାମଲା ଉପରେ ଏହି ଅଙ୍କୁଶ ଆଦୌ ଯୁକ୍ତିସଙ୍ଗତ ନୁୁହେଁ ବୋଲି ସେମାନେ କହିଛନ୍ତି । ବାହାନଗା ତହସିଲ ଅନ୍ତର୍ଗତ ଅଞ୍ଚଳର ସମସ୍ତ ଦେୱାନୀ ମାମଲା କେବଳ ସୋର ବରିଷ୍ଠ ଦେୱାନୀ କୋର୍ଟରେ ବିଚାର ହେବା ନେଇ ଦିଆଯାଇଥିବା ନିର୍ଦ୍ଦେଶ ଯୋଗୁଁ କେବଳ ଓକିଲ ନୁହନ୍ତି ବରଂ ମହକିଲଙ୍କ ପାଇଁ ମଧ୍ୟ ସମସ୍ୟା ହୋଇଛି ବୋଲି ସଂଘର କର୍ମକର୍ତ୍ତାମାନେ ଆରୋପ ଉଠାଇଛନ୍ତି । ଏନେଇ ଓକିଲ ସଂଘ ପକ୍ଷରୁ ବାଲେଶ୍ୱର ଜିଲା ଓ ଦୌରାଜଜ, ହାଇକୋର୍ଟ ମୁଖ୍ୟ ବିଚାରପତି ଓ ବାଲେଶ୍ୱର ଜିଲା ଦାୟିତ୍ୱରେ ଥିବା ହାଇକୋର୍ଟର ସ୍ୱତନ୍ତ୍ର ବିଚାରପତିଙ୍କୁ ସ୍ମାରକପତ୍ର ଦ୍ୱାରା ନିବେଦନ କରାଯାଇଛି ।
ସେହିଭଳି ବାଲେଶ୍ୱରରେ ବିଚାରଧୀନ ଥିବା ୨୦ ହଜାରରୁ ଅଧିକ ବ୍ୟାଙ୍କ ମାମଲାର ରେକର୍ଡ଼ ନ ମିଳିବା, ୬ମାସ ଧରି ବାଲେଶ୍ୱର ବରିଷ୍ଠ ଦେୱାନୀ କୋର୍ଟର ଜଜ ଅନୁପସ୍ଥିତ ରହିବା, ୨୦୧୯ ମସିହାରୁ ବନ୍ଦୋବସ୍ତ ଅତିରିକ୍ତ ଆୟୁକ୍ତଙ୍କ କୋର୍ଟର ବିଚାରପତି ପଦ ଖାଲି ପଡ଼ିବା ଆଦି ବାଲେଶ୍ୱରର ଓକିଲ ଓ ମହକିଲଙ୍କ ପାଇଁ ନାନାବିଧ ସମସ୍ୟା ଭାବେ ଉଭା ହୋଇଛି । ଅନ୍ୟ ପକ୍ଷରେ ଭୁବନେଶ୍ୱରରେ ଇଣ୍ଡଷ୍ଟ୍ରିଆଲ ଟ୍ରିବ୍ୟୁନାଲ, ଏଜୁକେସନାଲ ଟ୍ରିବ୍ୟୁନାଲ ଏମିତିକି ସମବାୟ ଟ୍ରିବ୍ୟୁନାଲରେ ବାଲେଶ୍ୱର ଜିଲାର ଅଧିକ ମାମଲା ଥିବା ବେଳେ ଏଠାରେ ଗୋଟେ ବେଞ୍ଚ ପ୍ରତିଷ୍ଠା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ବି ଏନେଇ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଏହି ସବୁ ସମସ୍ୟା ବାବଦରେ ଗତ ୪ ତାରିଖ ବାର ଆସୋସିଏସନର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକର ନିଷ୍ପତ୍ତି କ୍ରମେ ଆସନ୍ତା ସୋମବାର ଅର୍ଥାତ ୮ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଲେଶ୍ୱରର ଓକିଲମାନେ ଆନ୍ଦୋଳନକୁ ଓହ୍ଲାଇବେ । କୋର୍ଟ ବର୍ଜନ ସହ ବିଚାର ବିଭାଗୀୟ କାର୍ଯ୍ୟରେ ସମ୍ପୂର୍ଣ୍ଣ ଅସହଯୋଗ କରାଯିବ । ସମୂହ ସ୍ୱାର୍ଥରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ବାର ଆସୋସିଏସନର କର୍ମକର୍ତ୍ତାମାନେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ଜିଲା ବାର ଆସୋସିଏସନ କମକର୍ତ୍ତାଙ୍କ ସମେତ ବହୁ ବରଷ୍ଠ ଆଇନଜୀବୀ ଏହି ସମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।