କରୋନାରେ ପୂର୍ବତନ ଏନ୍ଏସ୍ଜି ଡିଜି ଜ୍ୟେତିକୃଷ୍ଣ ଦତ୍ତଙ୍କର ପରଲୋକ

ନୂଆଦିଲ୍ଲୀ : କରୋନାରେ ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡ (ଏନଏସଜି)ର ପୂର୍ବତନ ଡିଜି ଜ୍ୟେତିକୃଷ୍ଣ ଦତ୍ତଙ୍କର ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା । ଗତ ୨୦୦୮ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମୟରେ ଶ୍ରୀ ଦତ୍ତ ନେତୃତ୍ୱ ନେଇଥିଲେ ।
ସୂଚନା ଯେ, ଅବସରପ୍ରାପ୍ତ ଆଇପିଏସ୍ ଅଧକାରୀ ଜେ.କେଙ୍କ ଅକ୍ସିଜେନ ସ୍ତର କମିଥିଲା। ତାପରେ ତାଙ୍କୁ ୧୪ ଏପ୍ରିଲ୍ରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବ ହୃଦଘାତ ଯୋଗୁ ବୁଧବାର ଅପରାହ୍ଣରେ ତାଙ୍କର ପରଲୋକ ହୋଇଯାଇଛି। ଦତ୍ତଙ୍କ ପରିବାରରେ ତାଙ୍କ ପତ୍ନୀ, ଜଣେ ଝିଅ ଓ ଜଣେ ପୁଅ ଅଛନ୍ତି। ତାଙ୍କ ପୁଅ ନୋଏଡାରେ ରହୁଥିବା ବେଳେ ଝିଅ ଆମେରିକାରେ ରହୁଛନ୍ତି। ଜ୍ୟୋତି କୃଷ୍ଣ ଦତ୍ତ (ଜେକେ ଦତ୍ତ) ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଏନଏସଜି ଡିଜି ଥିଲେ। ସେ ସିବିଆଇର ସଂଯୁକ୍ତ ନିର୍ଦେଶକ ମଧ୍ୟ ଥିଲେ। ଜେକେ ଦତ୍ତଙ୍କ ନିଧନ ପରେ ଏନଏସଜି ପକ୍ଷରୁ ଟ୍ବିଟ୍ କରାଯାଇଛି, ‘ଜ୍ୟୋତି କୃଷ୍ଣ ଦତ୍ତ (ଆଇପିଏସ୍, ପୂର୍ବତନ ଡିଜି, ଏନଏସଜି: ଅଗଷ୍ଟ ୨୦୦୬-ଫେବୃଆରୀ ୨୦୦୯) ଙ୍କ ୧୯ ମେ’ରେ ଗୁରୁଗ୍ରାମରେ ନିଧନ ହୋଇଯାଇଛି।ଏନଏସଜି ନିଜର ପୂର୍ବତନ ଡିଜିଙ୍କ ନିଧନରେ ଶୋକ ବ୍ୟକ୍ତ କରୁଛି ଏବଂ ରାଷ୍ଟ୍ର ପାଇଁ କରିଥିବା ବିଶିଷ୍ଟ ସେବାକୁ ମନେପକାଉଛି।’