ପୂର୍ବତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଜାତଶତ୍ରୁ ଦାସଙ୍କ ୧୫ତମ ଶ୍ରାଦ୍ଧ ବାର୍ଷିକ ପାଳିତ
ବାଲେଶ୍ୱର : ବାଲେଶ୍ୱରର ପୂର୍ବତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଜାତଶତ୍ରୁ ଦାସଙ୍କ ୧୫ତମ ଶ୍ରାଦ୍ଧ ବାର୍ଷିକ କଚେରି ହତା ସି୍ଥତ ସାମ୍ବାଦିକ ପ୍ରକୋଷ୍ଠରେ ପାଳିତ ହୋଇଛି । ଅଜାତଶତ୍ରୁ ଦାସ ସ୍ମୃତି କମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ, ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି, ପୂର୍ବତନ ପୌରପାଳ ଆଲୋକ କୁମାର ସାହୁ, ବାଲେଶ୍ୱର ବାର ଆସୋସିଏସନର ସଭାପତି ମନୋଜ କୁମାର ନାୟକ ଓ ସମ୍ପାଦକ ସମ୍ବିତ ନନ୍ଦୀ, ଜିଲା କ୍ରୀଡ଼ା ସଂଘର କାର୍ଯ୍ୟକାରୀ ସଭାପତି ଅଧୀପ ଦାସ, ସମାଜସେବୀ ଲକ୍ଷ୍ମୀନାରାୟଣ ମହାନ୍ତି, କିଶୋର ଦାସ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାସଙ୍କ ଜୀବନାଦର୍ଶ ଓ ବହୁମୁଖୀ କାର୍ଯ୍ୟଧାରା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ପ୍ରକୃତ ସାମ୍ବାଦିକତା କ’ଣ ସେ ବେଶ ଭଲଭାବେ ଜାଣିଥିଲେ । ତାଙ୍କରି ପ୍ରେରଣାରେ ବହୁ ଯୁବକଙ୍କୁ ସାମ୍ବାଦିକତାକୁ ଆପଣେଇ ସଫଳତା ମଧ୍ୟ ହାସଲ କରିଥିଲେ । ଜଣେ ସରକାରୀ ଅଧିକାରୀ ହୋଇ ମଧ୍ୟ ସମାଜସେବା ଓ ଆଞ୍ଚଳିକ ଉନ୍ନତି ପାଇଁ ସେ ସର୍ବଦା ଉଦ୍ୟମ ଜାରି ରଖୁଥିଲେ । ବିଶେଷ କରି ସୁନହଟ ସମେତ ବାଲେଶ୍ୱର ସହରର ବିଭିନ୍ନ ବର୍ଗର ଯୁବଗୋଷ୍ଠୀଙ୍କ ପାଇଁ ସେ ପ୍ରେରଣା ଥିଲେ । ସ୍ଥାନୀୟ ଅଞ୍ଚଳ ବିକାଶ କ୍ଷେତ୍ରରେ ଯୁବଶକ୍ତିର କିପରି ବିଯୋଗ କରାଯାଇପାରେ ସ୍ୱର୍ଗତ ଦାସ ଏହାର ଜ୍ୱଳନ୍ତ ଉଦାହରଣ ଥିଲେ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ ।
ପ୍ରାରମ୍ଭରେ ସ୍ୱର୍ଗତ ଦାସଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ଓ ନିରବ ପ୍ରାର୍ଥନା ସହ ଦିବଙ୍ଗତ ଆତ୍ମା ପ୍ରତି ସମସ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠା ସାମ୍ବାଦିକ ରଞ୍ଜନ ବାଗ, ଦେବବ୍ରତ ପାଣିଗ୍ରାହୀ, ମିହିର ମହାପାତ୍ର, ଶିବଦାସ କୁଣ୍ଡୁ, ବ୍ରହ୍ମାନନ୍ଦ ସ୍ୱାଇଁ, ବରିଷ୍ଠ ନାଗରିକ ମଧୁସୂଦନ ବେହେରା, ସ୍ୱର୍ଗତ ଦାସଙ୍କ ଭାଇ ଭିକ୍ଟର ଅରୂପ ଦାସ, ପୁତ୍ର ଅଭିରାମ ଦାସ ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ ସହ ସ୍ୱର୍ଗତ ଦାସଙ୍କ ପ୍ରତି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ । ଏହି ଅବସରରେ ସ୍ମୃତି କମିଟି ପକ୍ଷରୁ ବରିଷ୍ଠ ସାମ୍ବାଦିକ ବିପ୍ଳବ କୁମାର ମହାନ୍ତିଙ୍କୁ ଅଜାତଶତ୍ରୁ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଆଗମୀ ଦିନରେ ସାମ୍ବାଦିକ ସାଙ୍ଗକୁ ସମାଜର ବିଭିନ୍ନ କ୍ଷେତ୍ରରେ ଉଳ୍ଲେଖନୀୟ ସଫଳତା ପ୍ରାପ୍ତ ବ୍ୟକ୍ତିଙ୍କୁ ସମ୍ମାନିତ ପାଇଁ ବକ୍ତାମାନେ ପ୍ରସ୍ତାବ ଦେଇଥିଲେ । ସ୍ମୃତି କମିଟିର ଅଧ୍ୟକ୍ଷ ସାମ୍ବାଦିକ ନିରଞ୍ଜନ ଦାସ ପୌରୋହିତ୍ୟ କରିଥିବା ବେଳେ ଅର୍ବନ କୋ-ଅପରେଟିଭ ବ୍ୟାଙ୍କ ସଭାପତି ଆଇନଜୀବୀ ସୂର୍ଯ୍ୟକାନ୍ତ କର ଧନ୍ୟବାଦ ଦେଇଥିଲେ ।