ଅଗଷ୍ଟ ୧୧ରୁ ଭୁବନେଶ୍ୱରରୁ ରାଂଚିକୁ ବିମାନ ଚଳାଚଳ ସୁବିଧା

ଭୁବନେଶ୍ୱର : ଓଡ଼ିଶା ବିମାନଯାତ୍ରୀଙ୍କ ପାଇଁ ଆଉ ଏକ ଖୁସି ଖବର । ଆସନ୍ତା ଅଗଷ୍ଟ ୧୧ରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ରାଞ୍ଚିକୁ ବିମାନ ଚଳାଚଳ ସୁବିଧା ଉପଲବ୍ଧ ହେବ। ଏୟାର ଇଣ୍ଡିଆର ସବସିଡାରୀ କମ୍ପାନୀ ଆଲାଏନ୍ସ ଏୟାର ପକ୍ଷରୁ ଭାୟା ରାଂଚି ଦେଇ କୋଲକାତା-ଭୁବନେଶ୍ୱର ମଧ୍ୟରେ ବିମାନ ଚଳପ୍ରଚଳ ହେବ।
ପ୍ରତ୍ୟେକ ରବିବାର, ସୋମବାର, ବୁଧବାର ଓ ଶୁକ୍ରବାର ଏହି ବିମାନ ସେବା ଉପଲବ୍ଧ ହେବ। ୭୦ ସିଟ୍ ବିଶିଷ୍ଟ ଏୟାରକ୍ରାଫ୍ଟ ଏହି ମାର୍ଗ ପାଇଁ କମ୍ପାନୀ ପକ୍ଷରୁ ମୁତୟନ କରାଯାଇଛି। ଏହି ବିମାନ ଚଳପ୍ରଚଳ କରିବା ଦ୍ୱାରା ରାଂଚି ଓ ଭୁବନେଶ୍ୱର ମଧ୍ୟରେ ଯାତାୟତ ପାଇଁ ଯାତ୍ରୀଙ୍କୁ ଅନେକ ସୁବିଧା ମିଳିବ । ସୂଚନା ଯେ, ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିମାନ ଚଳାଚଳ ପ୍ରଭାବିତ ହୋଇଛି ଓ ଏବେ ଧୀରେ ଧୀରେ ସ୍ଥିତିରେ ସୁଧାର ଆସୁଥିବା ଜଣାପଡ଼ିଛି।