ମଲ୍ଟିସ୍ପେଶାଲିଟି ହସ୍ପିଟାଲ୍ରେ ଅଗ୍ନିକାଣ୍ଡ : ୧୦ ମୃତ, ୩ ଗୁରୁତର
ଭୋପାଳ: ମଧ୍ୟପ୍ରଦେଶର ଜବଲପୁରର ଜିଲା ଗୋହାଲପୁର ଥାନା ଅନ୍ତର୍ଗତ ଚଣ୍ଡାଲଭାଟା ଅଞ୍ଚଳରେ ଥିବା ନ୍ୟୁ ଲାଇଫ ମଲ୍ଟିସ୍ପେଶାଲିଟି ହସ୍ପିଟାଲ୍ରେ ଅଗ୍ନିକାଣ୍ଡ। ଡାକ୍ତରଖାନାରେ ନିଆଁ ଲାଗି ଯିବାରୁ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୋମବାର ଅପରାହ୍ନରେ ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାରେ ଘଟିଛି ଏହି ଦୁଃଖଦ ଘଟଣା। ଶର୍ଟ ସର୍କିଟ୍ ଯୋଗୁ ଡାକ୍ତରଖାନାରେ ନିଆଁ ଲାଗିଥିବା କୁହାଯାଉଛି। ତଳ ମହଲାରେ ଶର୍ଟ ସର୍କିଟ୍ ହୋଇ ପ୍ରଥମେ ନିଆଁ ଲାଗିଥିଲା। ପରେ ଏହା ଡାକ୍ତରଖାନାର ପୂରା ତିନି ମହଲାକୁ ବ୍ୟାପୀ ଯାଇଥିଲା। ହସ୍ପିଟାଲ୍ରୁ ବାହାରିବା ପାଇଁ ମାତ୍ର ଗୋଟିଏ ବାଟ ରହିଛି। ସେଥିପାଇଁ ଅଗ୍ନିକାଣ୍ଡ ବେଳେ ଡାକ୍ତରଖାନା କର୍ମଚାରୀଙ୍କ ସମେତ, ରୋଗୀ ଓ ସେମାନଙ୍କ ସଂପର୍କୀୟମାନେ ସେଠାରେ ଫସି ଯାଇଥିଲେ। ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀକୁ ନାକେଦମ ହେବାକୁ ପଡ଼ିଥିଲା।
ଏନେଇ ଜବଲପୁର ଏସ୍ପି ସିଦ୍ଧାର୍ଥ ବହୁଗୁଣା କହିଛନ୍ତି, ମୃତକଙ୍କ ମଧ୍ୟରୁ ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସେମାନେ ପୂରା ପୋଡ଼ି ଯାଇଥିଲେ। ମୃତକମାନଙ୍କୁ ଚିହ୍ନଟ କରାଯାଇଛି। ଯେଉଁ ୩ ଜଣ ଗୁରୁତର ଆହତ ହୋଇଛନ୍ତି, ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହାବାଦ୍ ଆହୁରି ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ନିଆଁ ଲିଭାଇ ଦିଆଯାଇଥିବା ବେଳେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ସେହିପରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଓ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାର ପିଛା ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଚୌହାନ ଘୋଷଣା କରିଛନ୍ତି। ସେହିପରି ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବାକୁ ସେ ଘୋଷଣା କରିଛନ୍ତି। ଏହା ସହିତ ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।