ସରପଞ୍ଚ ପଦବୀ ପାଇଁ ତିନି ଯାଆଙ୍କ ମଧ୍ୟରେ ଘମାଘୋଟ ଲଢେଇ
ହାଟଡିହି : ପଞ୍ଚାୟତ ନିର୍ବାଚନକୁ ନେଇ ଗାଁ ଗହଳି ଏବେ ଚଳଚଞ୍ଚଳ । ବିଭିନ୍ନ ପଦପଦବୀ ପାଇଁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ । ତେବେ ଅନେକ ସ୍ଥାନରେ ନିଜ ନିଜ ରକ୍ତ ସମ୍ପର୍କୀୟଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳୁଛି । କେଉଁ ଠାରେ ବାପ-ପୁଅ ଲଢେଇ ତ କେଉଁ ଠାରେ ଦାଦା-ପୁତୁରା, ଭାଇ-ଭାଇ ଓ ଯାଆ-ଯାଆ ହୋଇଛନ୍ତି ପ୍ରାର୍ଥୀ । ଏହାରି ମଧ୍ୟରେ କେନ୍ଦୁଝର ଜିଲା ହାଟଡିହି ବ୍ଲକ ଡଅଁର ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ତିନି ଯାଆଙ୍କ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ ।
ଡାଟଡିହି ବ୍ଲକ ଡଅଁର, ସରଳା, ଚଷାଖଣ୍ଡ ତିନୋଟି ରାଜସ୍ବ ଗାଁ ର ମୋଟ ୧୧ଟି ଓ୍ବାର୍ଡକୁ ନେଇ ଡଅଁର ଗ୍ରାମପଞ୍ଚାୟତ । ଚଳିତ ପଞ୍ଚାୟତ ନିର୍ବାଚନକୁ ନେଇ ଗାଁ ଦାଣ୍ଡ ପୁରା ଚଳଚଞ୍ଚଳ । ପ୍ରାର୍ଥୀ ଆସୁଛନ୍ତି ଭୋଟରଙ୍କ ଘରଘର ବୁଲି ନିଜ ସପକ୍ଷରେ ମତଦାନ କରିବାକୁ ଭୋଟରଙ୍କୁ ମନାଉଛନ୍ତି । ତେବେ ଏଠାରେ ଏଥର ସରପଞ୍ଚ ପଦବୀ ପାଇଁ ସାଧାରଣ ବର୍ଗ ମହିଳା ପ୍ରାର୍ଥୀ ପାଇଁ ସଂରକ୍ଷିତ ଥିବାବେଳେ ଗୋଟିଏ ପରିବାରର ତିନି ଯାଆ ସରପଞ୍ଚ ପଦବୀ ପାଇଁ ନିଜନିଜ ବୀରୁଦ୍ଧରେ ନିର୍ବାଚନ ଲଢୁଛନ୍ତି । ଡଅଁର ଗାଁ ର ସ୍ବର୍ଗତ କୃଷ୍ଣଚନ୍ଦ୍ର ଜେନାଙ୍କ ତିନି ବୋହୁ ଆରତୀ ଜେନା, ପ୍ରିୟଙ୍କା ଜେନା ଓ ସୌଦାମିନୀ ଜେନା ସରପଞ୍ଚ ପଦବୀ ପାଇଁ ପରସ୍ପର ମଧ୍ୟରେ ପ୍ରାର୍ଥୀନୀ ହେବା ସ୍ଥାନୀୟ ଅଞ୍ଚଳରେ ରୋଚକ ସ୍ଥିତି ସୃଷ୍ଟି କରିଛି ।
ସ୍ଥାନୀୟ ଅଞ୍ଚଳରେ ଗୋଟିଏ ପରିବାରରୁ ପ୍ରତିନ୍ଦ୍ବନ୍ଦିତା କରୁଥିବା ଏହି ତିନି ଯାଆଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ଆରତୀ ଓ ପ୍ରିୟଙ୍କା ଘର ଘର ବୁଲି ନିଜ ସପକ୍ଷରେ ପ୍ରଚାର କରୁଛନ୍ତି । କିନ୍ତୁ ବଡ ଯାଆ ସୌଦାମିନୀ ଜେନା ପ୍ରଚାର ମୌଦାନରେ ଟିକେ ପଛରେ ପଡିଯାଇଥିବା ମନେ ହେଉଛି । ସେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଚାର ଆରମ୍ଭ କରିନଥିବା ବେଳେ କେଉଁଠାରେ ବି ପୋଷ୍ଟ କି ବ୍ୟାନର ଦେଖିବାକୁ ମିଳୁନାହିଁ । ସେପଟେ ଏଠାକାର ଭୋଟର ମଧ୍ୟ ତିନି ଯାଆଙ୍କ ପ୍ରତିଦ୍ବନ୍ଧିତାକୁ ନେଇ ବେସ୍ ଉତ୍ସାହିତ ଅଛନ୍ତି ।