ଲୋକଙ୍କୁ ମାଗଣାରେ ଫାବିଫ୍ଲ୍ୟୁ ଯୋଗାଇବେ ଗୌତମ ଗମ୍ଭୀର
ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଅନେକ ହସ୍ପିଟାଲରେ ଅକ୍ସିଜେନର ଅଭାବ କାରଣରୁ ରୋଗୀଙ୍କୁ ନାହିଁ ନଥିବାର ଅବସ୍ଥା ସମ୍ମୁଖୀନ ହେବାକୁ ଯାଉଛି। ସ୍ଥିତି ଏମିତି ଯେ ଅନେକ ସ୍ଥାନରେ ଔଷଧ ମଧ୍ୟ ମିଳୁନାହିଁ। ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ଏବଂ ଔଷଧର ଅଭାବକୁ ଦେଖି ପୂର୍ବ ଦିଲ୍ଲୀର ବିଜେପି ସାଂସଦ ଗୌତମ ଗମ୍ଭୀର ନିଜ ସଂସଦୀୟ କ୍ଷେତ୍ରରେ ଲୋକଙ୍କୁ ମାଗଣାରେ ଫାବିଫ୍ଲ୍ୟୁ ଔଷଧ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି।
ପୂର୍ବ ଦିଲ୍ଲୀର ବିଜେପି ସାଂସଦ ଗମ୍ଭୀର ଟ୍ଵିଟ୍ କରିଛନ୍ତି ଯେ, ପୂର୍ବ ଦିଲ୍ଲୀର ଲୋକେ ମୋର କାର୍ଯ୍ୟାଳୟ ୨ ଜାଗ୍ରତି ଏନକ୍ଲେଭକୁ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଭିତରେ ଆସି ମାଗଣାରେ ଫାବିଫ୍ଲ୍ୟୁ ନେଇ ପାରିବେ। ଯାହାଙ୍କୁ ଏହି ଔଷଧ ଦରକାର ସେମାନେ ନିଜର ଆଧାର କାର୍ଡ ଏବଂ ଡାକ୍ତରଙ୍କ ପ୍ରେସକ୍ରିପସନ ସାଥିରେ ନେଇକି ଆସିବେ। ଏହା ପୂର୍ବରୁ ଗମ୍ଭୀର ଟ୍ଵିଟ୍ କରି ଦିଲ୍ଲୀର କରୋନା ସ୍ଥିତି ନେଇ ଆମ୍ ଆଦମୀ ପାର୍ଟିକୁ ସମାଲୋଚନା କରିଥିଲେ। ଗମ୍ଭୀର ଦିଲ୍ଲୀରେ ଶଯ୍ୟା ଓ ଅକ୍ସିଜେନ ଅଭାବ ନେଇ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଦାୟୀ କରିଥିଲେ। ସେ କହିଥିଲେ ଯେ, ସ୍ଥିତିର ମୁକାବିଲା ପାଇଁ ଦିଲ୍ଲୀ ସରକାର ପାଖରେ କୌଣସି ଦୂର ଦୃଷ୍ଟି ନାହିଁ। କୋଟି କୋଟି ଟଙ୍କା ଖର୍ଚ୍ଚ କରି ଦେଲେ କିନ୍ତୁ ଦିଲ୍ଲୀରେ ଅକ୍ସିଜେନ୍ ବ୍ୟବସ୍ଥା କରିପାରିଲେ ନାହିଁ।