ଆଜି କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ !

- ସାମିଲ ହୋଇପାରନ୍ତି ୨୦ରୁ ଅଧିକ ମନ୍ତ୍ରୀ
ନୂଆଦିଲ୍ଲୀ : ବହୁପ୍ରତୀକ୍ଷିତ କେନ୍ଦ୍ର ମନ୍ତ୍ରିମଣ୍ଡଳ ଆଜି ସନ୍ଧ୍ୟା ୬ଟାରେ ହେବ ବୋଲି ସୂଚନା ମିଳିଛି। ମନ୍ତ୍ରିମଣ୍ଡଳରୁ କିଛି ମନ୍ତ୍ରୀଙ୍କୁ ବାଦ୍ ଦିଆଯିବ ଏବଂ କ୍ୟାବିନେଟ୍ ସହ ୨୦ ନୂଆ ମନ୍ତ୍ରୀଙ୍କୁ ସ୍ଥାନ ମିଳିପାରେ । ଯୁବ ଏବଂ ନୂଆ ଚେହେରାଙ୍କୁ ପ୍ରାଧାନ୍ୟ ଦିଆଯାଇପାରେ । ଏଭିତରେ ଦିଲ୍ଲୀକୁ ଅନେକ ନେତାଙ୍କୁ ଡକରା ହୋଇଛି । ସେହିପରି ମନ୍ତ୍ରୀ ପଦ ଲାଗି ଶିକ୍ଷାଗତ ଯୋଗ୍ୟତାକୁ ପ୍ରାଧାନ୍ୟ ଦିଆଯିବ । ରାଜ୍ୟ ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳ ଉପରେ ଗୁରୁତ୍ବ ରହିବ । ଦଳିତ ଏବଂ ପଛୁଆ ବର୍ଗର ପ୍ରତିନିଧିତ୍ବ ବଢ଼ିପାରେ । ପ୍ରଶାସନିକ ଅନୁଭବ ଥିବା ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ । ମନ୍ତ୍ରିମଣ୍ଡଳରେ ମହିଳା ପ୍ରତିନିଧିତ୍ବ ବୃଦ୍ଧି ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଆସନ୍ତା ବର୍ଷ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହି ସଂପ୍ରସାରଣ ଅନେକ ଗୁରୁତ୍ବ ବହନ କରୁଛି। ୨୦୧୯ରେ ମୋଦୀ ଦ୍ବିତୀୟ ଇନିଂସ ଆରମ୍ଭ କରିବା ପରେ ପ୍ରଥମ ଥର ଲାଗି ସଂପ୍ରସାରଣ ହେବାକୁ ଯାଉଛି। ମୋଦୀ ତାଙ୍କ ମନ୍ତ୍ରିମଣ୍ଡଳରେ ୮୧ ଜଣଙ୍କୁ ରଖିପାରିବେ। କିନ୍ତୁ ଏବେ ୫୩ ଜଣ ମନ୍ତ୍ରୀ ଅଛନ୍ତି। ଏଥିରେ ଆଉ ୨୮ ଜଣଙ୍କୁ ସାମିଲ କରାଯାଇପାରିବ।
ତେବେ ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୱାଲ୍, ନାରାୟଣ ରାଣେ, ପଶୁପତି ପାରସ, ଅନୁପ୍ରିୟା ପଟେଲ୍, ପଙ୍କଜ ଚୌଧୁରୀ, ରୀତା ବହୁଗୁଣା ଯୋଶୀ, ରାମଶଙ୍କର କାଠେରିଆ, ବରୁଣ ଗାନ୍ଧି, ଆର୍ସିପି ସିଂହ, ଲଲ୍ଲନ ସିଂହ, ରାହୁଲ କସ୍ବନ୍, ସିପି ଯୋଶୀ, ସକଳଦୀପ ରାଜଭାର, ରଞନ ସିଂହ ରାଜକୁମାର ଏବଂ ସୁଶୀଲ ମୋଦୀ। ଓଡ଼ିଶାରୁ ଅଶ୍ବିନୀ ବୈଷ୍ଣବ ଏବଂ ବୈଜୟନ୍ତ ପଣ୍ଡାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ ବୋଲି ମଧ୍ୟ ଚର୍ଚା ହେଉଛି। ଏଲ୍ଜେପି ପ୍ରତିଷ୍ଠାତା ରାମ ବିଳାସ ପାଶ୍ବାନ୍ଙ୍କ ଗତବର୍ଷ ପରଲୋକ ଘଟିଥିଲା। ତାଙ୍କ ଭାଇ ପଶୁପତି କୁମାର ପାରସ ନୂଆ କ୍ୟାବିନେଟ୍ରେ ସ୍ଥାନ ପାଇବେ ବୋଲି ଚର୍ଚ୍ଚା ହେଉଛି। ଏନ୍ଡ଼ିଏରେ ସାମିଲ ଥିବା ଛୋଟ ଛୋଟ ଦଳଗୁଡ଼ିକୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ । କେନ୍ଦ୍ର କ୍ୟାବିନେଟରେ ୮୧ ଜଣ ସଦସ୍ୟ ରହିପାରିବେ। କିନ୍ତୁ ବର୍ତ୍ତମାନ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ବର୍ତ୍ତମାନ ଅଛନ୍ତି ୫୩ ଜଣ ସଦସ୍ୟ। ତେଣୁ ଆଉ ୨୮ ଜଣ ଏଥିରେ ସାମିଲ ହୋଇପାରିବେ।
ଏନେଇ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ସାଧାରଣ ସଂପାଦକ ବିଏଲ୍ ସନ୍ତୋଷଙ୍କ ସହ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ବିସ୍ତୃତ ଆଲୋଚନା କରିଥିଲେ ଏବଂ ନୂଆ ମନ୍ତ୍ରିମଣ୍ଡଳରେ କେଉଁମାନଙ୍କ ନାମ ରହିବ ତାହା ବୈଠକରେ ଚୂଡ଼ାନ୍ତ ହୋଇଥିଲା। ମିଳିଥିବା ସୂଚନାନୁଯାୟୀ ଏହା ଏକ ବଡ଼ ଧରଣର ଅଦଳବଦଳ ହେବ ଏବଂ ଏହି ପ୍ରକ୍ରିୟାରେ ୨୦ରୁ ଅଧିକ ମନ୍ତ୍ରୀ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି। ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗରୁ ଅଧିକ ସଂଖ୍ୟାରେ ନେତା କେନ୍ଦ୍ର କ୍ୟାବିନେଟ୍ରେ ସ୍ଥାନ ପାଇପାରନ୍ତି। କିଛି ମନ୍ତ୍ରୀ ସେମାନଙ୍କ ମନ୍ତ୍ରିପଦ ମଧ୍ୟ ହରାଇ ପାରନ୍ତି ବୋଲି କୁହାଯାଉଛି। ବିଜେପିର ସହଯୋଗୀ ଜେଡିୟୁ, ଏଲ୍ଜେପି ଏବଂ ଅପନା ଦଳ ନୂଆ କ୍ୟାବିନେଟ୍ରେ ପ୍ରତିନିଧିତ୍ବ କରିପାରନ୍ତି। ସୂଚନା ଯେ, ଗତ କିଛି ସପ୍ତାହ ଧରି ପ୍ରଧାନମନ୍ତ୍ରୀ ମୋଦୀ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଘନ ଘନ ବୈଠକ କରିଛନ୍ତି। ଆଜି ସନ୍ଧ୍ୟାରେ ମୋଦୀଙ୍କର ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ନଡ୍ଡାଙ୍କ ସହ ବୈଠକ ହେବାର ଥିଲା। କିନ୍ତୁ ଏହି ବୈଠକ ବାତିଲ କରାଯାଇଛି। ଆଜିଠାରୁ ଗୁରୁବାର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କର ସମସ୍ତ ବୈଠକ ବାତିଲ କରାଯାଇଥିବା ପିଏମ୍ଓ ସୂତ୍ରରୁ ଜଣାପଡ଼ିଛି। ଆସନ୍ତା ବର୍ଷ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୁଜରାଟ, ଗୋଆ, ମଣିପୁର, ପଂଜାବ ଏବଂ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ଥିବାରୁ ଏହାକୁ ଦୃଷ୍ଟିରେ ରଖି ନୂଆ ମନ୍ତ୍ରିମଣ୍ଡଳର ପରିକଳ୍ପନା କରାଯାଇଥିବା ପ୍ରକାଶ।