ସମସ୍ତେ ମାସ୍କ ପିନ୍ଧିବା ଜରୁରୀ
- କୌଣସି ବଡ଼ କାମ ନଥିଲେ ବାହାରକୁ ଯାଆନ୍ତୁ ନାହିଁ
ଭୁବନେଶ୍ୱର : କରୋନା ଏବେ ବାୟୁ ଜରିଆରେ ବ୍ୟାପୁଛି । ଏଥିପାଇଁ ସମସ୍ତଙ୍କୁ ମାସ୍କ ପରିଧାନ କରିବା ନିହାତି ଜରୁରୀ । ହୋମ୍ଆ ଇସୋଲେସନ ରେ ଥିବା ରୋଗୀ ମଧ୍ୟ ଡବଲ ଲେୟାର ଥିବା ମାସ୍କ ପିନ୍ଧିବା ଉଚିତ । ରୋଗୀଙ୍କ ସେବା କରୁଥିବା ବ୍ୟକ୍ତି ମଧ୍ୟ ଡବଲ ଲେୟାର ମାସ୍କ ପିନ୍ଧିବା ଦରକାର । କରୋନା ସମୟରେ କୌଣସି ବଡ଼ କାମ ନଥିଲେ ବାହାରକୁ ନଯାଆନ୍ତୁ ବୋଲି କଟକ ଏସସିବି ଆନାସ୍ଥେସିଆ ପ୍ରଫେସର ଡାକ୍ତର ନିବେଦିତା ପାଣି କହିଛନ୍ତି ।
ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗର ସାମ୍ବାଦିକ ସମ୍ମିଳନୀରେ ବିଶେଷଜ୍ଞ ଡାକ୍ତର ପାଣି କହିଛନ୍ତି ଯେ ଘର ଭିତରୁ ବାହାରକୁ ନଯାଇ ମଧ୍ୟ ବୟସ୍କ ବ୍ୟକ୍ତି କରୋନା ସଂକ୍ରମଣର ଶିକାର ହେଉଛନ୍ତି । ଘରର ଅନ୍ୟ ଯୁବବର୍ଗ କୋଭିଡ-୧୯ ନିୟମ ପାଳନ କରୁ ନଥିବାରୁ ଏଭଳି ହୋଇପାରେ ବୋଲି ରାଜ୍ୟ ସରକାରଙ୍କ ବିଶେଷଜ୍ଞ ଡାକ୍ତର ଅନୁମାନ କରୁଛନ୍ତି । ତେଣୁ ସଂକ୍ରମଣକୁ ଏଡୋଇବାକୁ ହେଲେ ମାସ୍କ ପିନ୍ଧିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ବିଶେଷଜ୍ଞ ଡାକ୍ତରଙ୍କ କହିବା ଅନୁସାରେ ଘରେ ଥିଲେ ବି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ବାରମ୍ବାର ହାତ ଧୋଇବା । ବଜାରରେ ମିଳୁଥିବା ମୁଖ୍ୟତଃ ୩ ପ୍ରକାରର ମାସ୍କ (କଟନ, ସର୍ଜିକାଲ ଓ ଏନ୍-୯୫) ପିନ୍ଧିବା ପୂର୍ବରୁ ସତର୍କ ରହିବାର ଅଛି । ମାସ୍କ ନାକ ଓ ପାଟିକୁ ଘୋଡାଇ ରଖିବା ଦରକାର । ମାସ୍କ ପିନ୍ଧିବା ପୂର୍ବରୁ ଭଲଭାବରେ ହାତ ଧୁଆଯିବା ଦରକାର । କଟନ ମାସ୍କକୁ ସାବୁନାରେ ସଫା କରି ପୁଣି ବ୍ୟବହାର କରିପାରିବେ । ସର୍ଜିକାଲ ମାସ୍କକୁ ଧୋଇକି ପୁଣି ଥରେ ବ୍ୟବହାର କରାଯାଇପାରିବ ନାହିଁ । ମାସ୍କକୁ ପିନ୍ଧିବା ପୂର୍ବରୁ ସତର୍କ ରୁହନ୍ତୁ ବୋଲି ବିଶେଷଜ୍ଞ ଡାକ୍ତର ଶ୍ରୀମତୀ ପାଣି ପରାମର୍ଶ ଦେଇଛନ୍ତି । ତେଣୁ ମାସ୍କର ସମ୍ମୁଖ ଭାଗକୁ ଧରି କାଢ଼ନ୍ତୁ ନାହିଁ । ଏନ୍-୯୫ ମାସ୍କ ୯୫ ପ୍ରତିଶତ ସଂକ୍ରମଣକୁ ରୋକିପାରେ ବୋଲି ସେ କହିଛନ୍ତି ।