ପୌର ନିର୍ବାଚନ ନେଇ ଜିଲାପାଳ ଓ ଏସ୍ପିଙ୍କ ସହ ନିର୍ବାଚନ କମିଶନଙ୍କ ବୈଠକ
ଭୁବନେଶ୍ୱର : ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପୌରସଂସ୍ଥାଗୁଡ଼ିକର ସାଧାରଣ ନିର୍ବାଚନ ନିମନ୍ତେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ, ସବୁ ଜିଲାର ଜିଲାପାଳ ଓ ଜିଲା ଆରକ୍ଷୀ ଅଧୀକ୍ଷକମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏକ ବୈଠକ କରିଛନ୍ତି । ନିର୍ବାଚନ କମିଶନରଙ୍କ ସହ ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ଏବଂ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଆର.କେ. ଶର୍ମା (ଆଇନଶୃଙ୍ଖଳା) ଉପସ୍ଥିତ ରହି ଜିଲ୍ଲାପାଳ ଓ ଏସ୍ପିମାନଙ୍କ ସହ ପୌର ନିର୍ବାଚନ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ନିର୍ବାଚନ ପୂର୍ବର ପ୍ରସ୍ତୁତି ଯଥା-କର୍ମଚାରୀମାନଙ୍କର ତାଲିମ, ନିର୍ବାଚନ ସାମଗ୍ରୀ ବିତରଣ, ବାଲାଟ୍ ପେପର ପ୍ରସ୍ତୁତି, ଷ୍ଟ୍ରଙ୍ଗରୁମ୍ ସ୍ଥାପନ ଓ ମତଗଣନା ଇତ୍ୟାଦି କାର୍ଯ୍ୟଗୁଡ଼ିକ କିପରି ଭାବେ ସୁରୁଖୁରୁରେ ହୋଇପାରିବ ସେ ସଂପର୍କରେ ବିସ୍ତୃତ ଭାବେ କମିଶନଙ୍କ ସଚିବ ରବିନ୍ଦ୍ର ନାଥ ସାହୁ ଏବଂ ସ୍ୱତନ୍ତ୍ର ସଚିବ ରଘୁରାମ ଆର. ଆୟର ଅବଗତ କରାଇଥିଲେ ।
ନିର୍ବାଚନ ପାଇଁ ଆଦର୍ଶ ଆଚରଣବିଧି ଲାଗୁ ହୋଇଥିବାରୁ କଡ଼ାକଡ଼ି ଭାବେ ଏହାକୁ ପାଳନ କରିବା ସହ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ କମିଶନ ଗୁରୁତ୍ୱାରୋପ କରିଛନ୍ତି । ପୌରନିର୍ବାଚନ ନିମନ୍ତେ ଦୁଇପ୍ରକାରର ବାଲାଟ୍ ପେପର ଇଭିଏମ୍ ରେ ରହିବ । କାଉନ୍ସିଲର/କର୍ପୋରେଟର ପ୍ରାର୍ଥୀମାନଙ୍କ ପାଇଁ ଗୋଲାପି ରଙ୍ଗର ବାଲାଟ୍ ପେପର ଏବଂ ଅଧ୍ୟକ୍ଷ/ମେୟର ପ୍ରାର୍ଥୀମାନଙ୍କ ନିମନ୍ତେ ହଳଦିଆ ରଙ୍ଗର ବାଲାଟ୍ ପେପର ନିର୍ବାଚନରେ ବ୍ୟବହାର କରାଯିବ । ପ୍ରତି ବୁଥ୍ ରେ ଦୁଇଗୋଟି ଇଭିଏମ୍ ରହିବ । କାଉନ୍ସିଲର/କର୍ପୋରେଟର ନିର୍ବାଚନ ପାଇଁ ଗୋଟିଏ ଇଭିଏମ୍ ଏବଂ ଅଧ୍ୟକ୍ଷ/ମେୟର ନିର୍ବାଚନ ପାଇଁ ଗୋଟିଏ ଇଭିଏମ୍ ରହିବ । ଭୋଟରମାନେ ମତଦାନ କକ୍ଷ ମଧ୍ୟରେ ସହଜରେ ମତଦାନ କରିବା ପାଇଁ ଇଭିଏମ୍ ର କେଂଟ୍ରାଲ ୟୁନିଟ୍ ଓ ବାଲାଟ୍ ୟୁନିଟ୍ ଉପରେ ଅଠାଥିବା ଷ୍ଟିକର ଲଗାଯିବ । କାଉନ୍ ସିଲର/କର୍ପୋରେଟର ନିର୍ବାଚନ ପାଇଁ ଥିବା ଇଭିଏମ୍ ର କେଂଟ୍ରାଲ ୟୁନିଟ୍ ଓ ବାଲାଟ୍ ୟୁନିଟ୍ ଉପରେ ଗୋଲାପି ରଙ୍ଗର ଷ୍ଟିକର ଏବଂ ଅଧ୍ୟକ୍ଷ/ମେୟର ନିର୍ବାଚନ ପାଇଁ ଥିବା ଇଭିଏମ୍ ର କେଂଟ୍ରାଲ ୟୁନିଟ୍ ଓ ବାଲାଟ୍ ୟୁନିଟ୍ ଉପରେ ହଳଦିଆ ରଙ୍ଗର ଷ୍ଟିକର ଲଗାଯିବ । ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ/ପ୍ରାର୍ôଥନୀମାନଙ୍କ ନାମ ବାଲାଟ୍ ପେପରରେ ଓଡ଼ିଆ ବର୍ଣ୍ଣମାଳାର କ୍ରମାନୁସାରେ ରହିବ । ପୌର ନିର୍ବାଚନବେଳେ ପ୍ରତ୍ୟେକ ବୁଥ୍ ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ଷ୍ଟ୍ରଙ୍ଗରୁମ୍ ପାଇଁ ୨୪ ଘଂଟିଆ କଡ଼ା ସୁରକ୍ଷା ସହ ସିସିଟିଭି, ଭୋଟଗଣତି ଓ ଫଳାଫଳ ଘୋଷଣାବେଳେ ପୁଲିସ୍ ପ୍ରଶାସନ ସଂପୂର୍ଣ୍ଣ ସଜାଗ ରହିବା ସହ କଡ଼ା ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଆର.କେ. ଶର୍ମା ସୂଚନା ଦେଇଛନ୍ତି । ଗତମାସନରେ ଶେଷ ହୋଇଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନେ ସଫଳତାର ସହ ଶେଷ କରିଥିବାରୁ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଓ ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ସମସ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ଅଭିନନ୍ଦନ ସହ ଧନ୍ୟବାଦ ଜଣାଇଛନ୍ତି ।