ଆଜିଠୁ ଭୁବନେଶ୍ୱର ଏମ୍ସରେ ଇକମୋ ଚିକିତ୍ସା

- ରାଜ୍ୟର ପ୍ରଥମ ସରକାରୀ ହସ୍ପିଟାଲ ଭାବେ ଆରମ୍ଭ ହେବ ଏହି ସୁବିଧା
ଭୁବନେଶ୍ୱର : ଆଜି ଠାରୁ ରାଜ୍ୟର ପ୍ରଥମ ସରକାରୀ ହସ୍ପିଟାଲ ଭାବେ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥା (ଏମ୍ସ) ଭୁବନେଶ୍ୱରରେ ଆରମ୍ଭ ହେବ ଇକମୋ ଚିକିତ୍ସା । ଗୁରୁବାର ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲର ୯ମ ପ୍ରତିଷ୍ଠା ଦିବସରେ ଏହି ସେବା ଆରମ୍ଭ ହେବ ବୋଲି ଏମ୍ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି । ମହାମାରୀ କରୋନାର ଦ୍ୱିତୀୟ ଲହରରେ ସୁବଠାରୁ ଅଧିକ ଜଟିଳତା ଦେଖିବାକୁ ମିଳିଥିବାରୁ ଏହି ଚିକିତ୍ସା ଅତ୍ୟନ୍ତ ଆବଶ୍ୟକ ବୋଲି ଦାବି ହୋଇଥିଲା । କାରଣ କରୋନା ପରର ଜଟିଳତା ପାଇଁ ରୋଗୀଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡୁଥିଲା ବର୍ତ୍ତମାନ ସେଭଳି କରିବାକୁ ଆଉ ପଡିବ ନାହିଁ ।
ଦୀର୍ଘଦିନର ପ୍ରତୀକ୍ଷାର ଅନ୍ତ ହୋଇଛି ଓ ରୋଗୀ ରାଜ୍ୟରେ ଚିକିତ୍ସା ପାଇପାରିବେ । ବ୍ୟୟବହୁଳ ଚିକିତ୍ସା ପାଇଁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡିବନି । ପୂର୍ବରୁ ଏସ୍ସିବି ମେଡିକାଲ କଲେଜରେ ୬ଟି ଇକମୋ ମେସିନ୍ ଲଗାଇବା ପାଇଁ ଘୋଷଣା କରିଥିଲେ ରାଜ୍ୟ ସରକାର । କଟକ ଏସ୍ସିବି ମେଡିକାଲର ଡିଏମ୍ଇଟି ସିବିକେ ମହାନ୍ତି ଏ ନେଇ ସୂଚନା ଦେବା ସହିତ ରାଜ୍ୟ ସରକାର ୬ଟି ଇକମୋ ମେସିନ୍ କାର୍ଯ୍ୟକ୍ଷମ କରିବା ନେଇ ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି । ଏହା ସହିତ ଏଥିପାଇଁ ଆବଶ୍ୟକୀୟ ଷ୍ଟାଫ୍ ଏବଂ ମେଡିକାଲ ଟିମକୁ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଛି । ସୂଚନା ଯେ, ଦେଶରେ ବର୍ତ୍ତମାନ ମୋଟ ୨୧ଟି ଇକମୋ ମେସିନ କାର୍ଯ୍ୟକ୍ଷମ ହେଉଛି । ସେଥିମଧ୍ୟରୁ ଘରୋଇ ହସ୍ପିଟାଲରେ ୧୯ ଟି ଏବଂ ସରକାରୀ ହସ୍ପିଟାଲରେ ମାତ୍ର ୨ଟି ମେସିନ ବ୍ୟବହାର ହେଉଛି । କରୋନାରେ ଗୁରୁତର ହୋଇପଡୁଥିବା ରୋଗୀମାନଙ୍କୁ ଚିକିତ୍ସା ପାଇଁ ଇକମୋ ମେସିନ ଏକ ଗୁରୁତ୍ତ୍ଵପୂର୍ଣ୍ଣ ହୋଇଥିବାରୁ ଦେଶର ଏବେ ଏହାର ଆବଶ୍ୟକତା ବୃଦ୍ଧି ପାଇଛି । ପୂର୍ବରୁ ଅନେକ ରୋଗୀ ଏହି ଚିକିତ୍ସା ଅଭାବରୁ ଜୀବନ ହାରିଛନ୍ତି । ରାଜ୍ୟରେ ଏହି ଚିକିତ୍ସା ସୁବିଧା ନଥିବାରୁ ଏବଂ ମେସିନ୍ ନଥିବାରୁ ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସ ଜରିଆରେ ଚିକିତ୍ସା ପାଇଁ ଅନ୍ୟ ରାଜ୍ୟକୁ ନିଆଯାଉଥିବାର ମଧ୍ୟ ନଜିର ରହିଛି ।