ଓଡ଼ିଶା ହସ୍ତତନ୍ତ ଦ୍ରବ୍ୟ କ୍ରୟ ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କୁ ଜିଲାପାଳଙ୍କ ଅନୁରୋଧ
ଭଦ୍ରକ : ୧୯୦୫ ମସିହାରେ ଅଗଷ୍ଟ ୭ ତାରିଖରେ ଆରମ୍ଭ ହୋଇଥିବା ସ୍ୱଦେଶୀ ଆନ୍ଦୋଳନର ସ୍ମାରକୀ ଉଦ୍ଦେଶ୍ୟରେ ଏହି ଦିବସକୁ ଆମ ଦେଶରେ ଜାତୀୟ ହସ୍ତତନ୍ତ ଦିବସ ରୂପେ ଚୟନ କରାଯାଇଛି । ହ୍ୟାଣ୍ଡଲୁମ୍ ବୁଣାକାରମାନଙ୍କୁ ସମ୍ମାନ ଜଣାଇ ହସ୍ତତନ୍ତ ଶିଳ୍ପର ପ୍ରୋତ୍ସାହନ ପାଇଁ ପ୍ରତିବର୍ଷ ଏହି ଦିବସକୁ ଆମ ଦେଶରେ ଜାତୀୟ ହସ୍ତତନ୍ତ୍ର ଦିବସ ରୂପେ ପାଳନ କରାଯାଉଛି । ଚଳିତ ବର୍ଷ ମଧ୍ୟ ଏହି ଦିବସକୁ ଦେଶ ତମାମ୍ ପାଳନ କରାଯାଉଥିବା ଅବସରରେ ଆଜାଦି କି ଅମୃତ ମହୋତ୍ସବ ର ଏକ ଅଂଶ ଭାବେ ଆମ ରାଜ୍ୟରେ ମଧ୍ୟ ଏହା ପାଳନ କରାଯାଉଛି । ରାଜ୍ୟର ସମସ୍ତ ହସ୍ତତନ୍ତ ବୁଣାକାର ମାନଙ୍କୁ ଉତ୍ସାହିତ କରାଯିବା ଉଦ୍ଦେଶ୍ୟରେ ସବୁ ବିଭାଗର ସମସ୍ତ କର୍ମଚାରୀମାନେ ଓଡ଼ିଶା ହସ୍ତତନ୍ତ ଦ୍ରବ୍ୟ କିଣି ପରିଧାନ ପାଇଁ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଏକ ନିବେଦନ ଜାରି କରାଯାଇଛି ।
ସୂଚନା ଯେ, ୭ ଅଗଷ୍ଟ ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଉକ୍ତ ଦ୍ରବ୍ୟ ବିକ୍ରୟରେ ସରକାରୀ ସଂସ୍ଥାମାନଙ୍କ ଜରିଆରେ ସ୍ୱତନ୍ତ୍ର ରିହାତି ବ୍ୟବସ୍ଥା ପ୍ରଚଳନ କରାଯାଇଛି । ବୟନିକା, ଉତ୍କଳିକା, ସମ୍ବଲପୁରୀ ବସ୍ତ୍ରାଳୟ, ଅମ୍ଳାନ ଆଦି ସଂସ୍ଥାରୁ ଏହି ସୁବିଧା ଉପଲବ୍ଧ ହୋଇପାରିବା ନେଇ ସୂଚନା ପ୍ରଦାନ କରାଯାଇଛି । ଏହି ପ୍ରରିପ୍ରେକ୍ଷୀରେ ସରକାରଙ୍କ ନିର୍ଦ୍ଦେଶମତେ ଭଦ୍ରକ ଜିଲ୍ଲା ପ୍ରଶାସନର ସମସ୍ତ ବିଭାଗୀୟ ଅଧିକାରୀ କର୍ମଚାରୀ ତଥା ଜିଲ୍ଲା ପ୍ରଶାସନ ନିୟନ୍ତ୍ରଣରେ ଥିବା ବିଭିନ୍ନ ସଂସ୍ଥା, ସ୍ୱୟଂଶାସିତ, ଅଧସ୍ତନ ସଂଗଠନ ଆଦିର କର୍ମକର୍ତ୍ତାମାନଙ୍କୁ ଅବଗତ କରାଯିବା ସହିତ ଏ ସମ୍ବନ୍ଧରେ ଏହି ଖବର ପ୍ରକାଶନ ଜରିଆରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଦ୍ୱାରା ଓଡ଼ିଶା ହସ୍ତତନ୍ତ ଦ୍ରବ୍ୟ କ୍ରୟ ଓ ବ୍ୟବହାର ପାଇଁ ସରକାରୀ, ବେସରକାରୀ ଏପରିକି ଜନସାଧାରଣଙ୍କ ସଚେତନତା ଉଦ୍ଦେଶ୍ୟରେ ସୂଚନା ପ୍ରଦାନ କରାଯାଇଛି ।