ଆଜିଠୁ ଦେବଦୀପାବଳି ନୀତି, ଏକଲକ୍ଷ ଦୀପଶିଖାରେ ଝଲସିବ ବଡ଼ଦାଣ୍ଡ
- ପିତୃପୁରୁଷଙ୍କୁ ପିଣ୍ଡ ଅର୍ପଣ କରିବେ ମହାପ୍ରଭୁ
ପୁରୀ : ଆଜି ମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ । ଶ୍ରୀମନ୍ଦିରରେ ଆରମ୍ଭ ହେବ ଦେବ ଦୀପାବଳି ଉତ୍ସବ । ତିନି ଦିନ ଧରି ପାଳିତ ହେବ ଠାକୁରଙ୍କ ଏହି ଦେବ ନୀତି । ଏହି ତିନି ଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ କରି ଶ୍ରାଦ୍ଧବେଶରେ ବିଭୂଷିତ ହୋଇଥାନ୍ତି । ଏହି ଅବସରରେ ତିନି ଠାକୁର ଶ୍ବେତ ବସ୍ତ୍ର ପରିଧାନ କରିବେ। ଠାକୁରଙ୍କୁ ସ୍ବର୍ଣ୍ଣ ଅଳଙ୍କାରରେ ବିଭୂଷିତ କରାଯିବ। ପୂଜାପଣ୍ଡାମାନେ ପିଣ୍ଡଦାନ କରିବେ। ଶ୍ରାଦ୍ଧ ନୀତି ସରିବା ପରେ ମନ୍ଦିର ଚୂଡ଼ାକୁ ମହାଦୀପ ଉଠିବ ।
ଏହି ଅବସରରେ ଶ୍ରୀବିଗ୍ରହଙ୍କ ଶ୍ରାଦ୍ଧ ବେଶ ଅନୁଷ୍ଠିତ ହେବ । ଏହି ଅବସରରେ ଏକଲକ୍ଷ ଦୀପଶିଖାରେ ଝଲସିବ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ । ଶ୍ରୀମନ୍ଦିର ସିଂହଦ୍ୱାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡ ଦୀପମୟ ହେବ । ଆସନ୍ତା ୧୨ ତାରିଖ ସନ୍ଧ୍ୟା ୫ଟାରୁ ରାତି ୭ଘଟିକା ପର୍ଯ୍ୟନ୍ତ ପବିତ୍ର ଦେବ ଦୀପାବଳୀ ଅବସରରେ ଏହି ଦୀପଦାନ କାର୍ଯ୍ୟକ୍ରମ ହେବ । ସେହିପରି ଉକ୍ତ ଦିନ ଦିନ ୧୦ଟାଠାରୁ ଦିବା ୨ ଘଟିକା ପର୍ଯ୍ୟନ୍ତ ମେଡିକାଲ୍ ଛକସ୍ଥିତ ହାତୀ ଆଖଡ଼ା ମଠ ଠାରେ ବିଶ୍ୱଶାନ୍ତି ଅଗ୍ନିହୋତ୍ର ଯଜ୍ଞର ଆୟୋଜନ କରାଯାଇଛି । ସନ୍ଧ୍ୟା ୭ଟା ୩୦ରେ ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ମୁକ୍ତାକାଶ ରଙ୍ଗମଞ୍ଚରେ ପୁରୀର ବିଶିଷ୍ଟ କଣ୍ଠଶିଳ୍ପୀକୁ ନେଇ ଭଜନ ପରିବେଷଣ କରାଯିବ ବୋଲି ଓଡ଼ିଶା ଇଣ୍ଟରନ୍ୟାସନାଲ୍ ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଯେ, ମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ଏହି ନୀତି ପାଳନ ହେବାର ପରମ୍ପରା ରହିଛି । ଆଜି ପ୍ରଥମ ଦିନରେ ମହାପ୍ରଭୁ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସନ୍ଧ୍ୟାଧୂପ ନୀତି ବଢିବା ପରେ ଅଦିତି ଓ କଶ୍ୟପଙ୍କ ଉଦେଶ୍ୟରେ ଦୀପ ଦାନ ଓ ଶ୍ରାଦ୍ଧ ଦେଇଥାନ୍ତି। ଦ୍ବିତୀୟ ଦିନ ଅମାବାସ୍ୟା ତିଥିରେ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ଦେବା ସହ ତୃତୀୟ ଦିନ ଅର୍ଥାତ ପ୍ରତିପଦା ତିଥିରେ ମହାପ୍ରଭୁ ଦେବକୀ, ବାସୁଦେବ,ନନ୍ଦ,ଯଶୋଦା, ମହାରାଜା ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀ ଦୀପଦାନ କରିବା ସହ ଶ୍ରାଦ୍ଧ ତର୍ପଣ ଦେବାର ପରମ୍ପରା ରହିଛି । ସେପଟେ ଆଜି ଦୀପରେ ସଜେଇ ହେବ ସମ୍ପୂର୍ଣ୍ଣ ଶ୍ରୀମନ୍ଦିର ପରିସର । ଦେବ ଦୀପାବଳୀ ଅବସରରେ ଓଡିଶା ଇଣ୍ଟରନ୍ୟାସନଲ ସେଣ୍ଟର ଓ ପୁରୀର ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ସିଂହଦ୍ବାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ଏକ ଲକ୍ଷ ଦୀପ ଜାଳିବାର ଅୟୋଜନ କରାଯାଇଛି । ଦେବ ଦୀପାବଳୀ ଉତ୍ସବକୁ ଭବ୍ୟ କରିବା ପାଇଁ ଗତ କିଛି ବର୍ଷ ହେବ ଓଡିଶା ଇଣ୍ଟରନ୍ୟାସନଲ ସେଣ୍ଟର ପକ୍ଷରୁ ଦୀପଦାନ କରାଯାଉଛି।