ବିଏମସି ବୈଠକରେ ନିଷ୍ପତ୍ତି: ରାଜଧାନୀର ସ୍କୁଲକୁ ଫେରିବ କଟକଣା
ଭୁବନେଶ୍ୱର : କୋରୋନା ବଢୁଥିବାରୁ ରାଜଧାନୀର ସ୍କୁଲକୁ ଫେରିବ କଟକଣା । ସମସ୍ତ ସ୍କୁଲ କ୍ୟାମ୍ପସରେ ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । କୋରୋନା ସଂକ୍ରମଣ ବଢୁଥିବାରୁ ଏବଂ ୧୨ରୁ କମ ବୟସର ପିଲା ଟିକା ନେଇନଥିବାରୁ ଭୁବନେଶ୍ୱର ମହାନଗର ନିଗମ ଏହି ପଦକ୍ଷେପ ନେବାକୁ ଯାଉଛି । ସ୍କୁଲକୁ ଖାଦ୍ୟ ସାମଗ୍ରୀ ନେବା ସମୟରେ ଛାତ୍ରଛାତ୍ରୀ ଯେତେଦୂର ସମ୍ଭବ ଦୂରତା ରଖିବେ । ଏହାଛଡା ୩ ଦିନ ଭିତରେ ଟିକାକରଣ ତଥ୍ୟ ରାଜଧାନୀର ସମସ୍ତ ସ୍କୁଲ ଦେବାକୁ ବିଏମସି ନିର୍ଦ୍ଦେଶ ଦେଇଛି । ବିଏମସି ଅଧିକାରୀ, ଗଣଶିକ୍ଷା ବିଭାଗ ଅଧିକାରୀ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହା ସ୍ଥିର ହୋଇଛି ।
ପିଲାଙ୍କୁ ଥଣ୍ଡା, ଜ୍ୱର, କାଶ ହେଉଥିଲେ ସ୍କୁଲକୁ ପ୍ରବେଶ ଅନୁମତି ମିଳିବ ନାହିଁ । ପିଲାମାନେ ଯେପରି କ୍ୟାମ୍ପସରେ କଟକଣାକୁ ଠିକ୍ ଭାବେ ପାଳନ କରନ୍ତି, ଏହା ପ୍ରଧାନଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ ସୁନିଶ୍ଚିତ କରିବେ । ପିଲାଙ୍କ ଟିକାକରଣ ନେଇ ସ୍କୁଲଗୁଡ଼ିକ ଆସନ୍ତା ତିନି ଦିନ ମଧ୍ୟରେ ନିର୍ଦ୍ଧାରିତ ପୋର୍ଟାଲରେ ବିଇଓଙ୍କ ମାର୍ଫତରେ ବିଏମ୍ସି ନିକଟରେ ରିପୋର୍ଟ ଦାଖଲ କରିବେ । ତଥ୍ୟ ସଂଗ୍ରହ ପରେ ସ୍ବାସ୍ଥ୍ୟ ବିଭାଗ ଓ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ମିଳିତ ଭାବେ ସ୍କୁଲଗୁଡ଼ିକରେ ଟିକାକରଣ କେନ୍ଦ୍ର କରିବା ନେଇ ଯୋଜନା ପ୍ରସ୍ତୁତ କରିବେ । ପିଲାମାନେ କିଭଳି ଟିକା ନେବେ ସେଥିପାଇଁ ସ୍କୁଲ କର୍ତ୍ତୃପକ୍ଷମାନେ ଅଭିଭାବକଙ୍କୁ ମନାଇବେ ।