ଅନ୍ତର୍ଜାତୀୟ କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ କରିବେନି ଡିଭିଲିୟର୍ସ
ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ କରିବେନି ନିଜର ବିସ୍ଫୋରକ ବ୍ୟାଟିଂରେ ପ୍ରଶଂସକଙ୍କ ହୃଦୟ ଜିତିଥିବା ମିଷ୍ଟର ୩୬୦ ଅର୍ଥାତ ଏବି ଡିଭିଲିୟର୍ସ । କ୍ରିକେଟ୍ ସାଉଥ ଆଫ୍ରିକା ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ଫଳରେ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏହି ଦୁଃଖ ଖବର ସାଜିଛି। ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ କହିଛି ଯେ, ଏବି ଡିଭିଲିୟର୍ସ ସ୍ପଷ୍ଟ ଭାବେ ଅନ୍ତର୍ଜାତୀୟ କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ମନା କରି ଦେଇଛନ୍ତି। ସେ ଆଗାମୀ ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ମଧ୍ୟ ଯିବାକୁ ମନା କରି ଦେଇଛନ୍ତି। ଦକ୍ଷିଣ ଆଫ୍ରିକା ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ୨ଟି ଟେଷ୍ଟ ଓ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳି ବ। ଏହି ଗସ୍ତ ଜୁନ ୧୦ରୁ ଆରମ୍ଭ ହେବ। ଚର୍ଚ୍ଚା ଚାଲିଥିଲା ଯେ, ଡିଭିଲିୟର୍ସ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ କରିବେ ଏବଂ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ୍ ଖେଳିବେ। ଦକ୍ଷିଣ ଆଫ୍ରିକା ଏହାକୁ ନେଇ ଏବି ଡିଭିଲିୟର୍ସଙ୍କ ସହ ଆଲୋଚନା କରିଥିଲେ। ମାତ୍ର ସେ ଅନ୍ତର୍ଜାତୀୟ କ୍ରିକେଟ୍କୁ ଫେରିବାକୁ ମନା କରି ଦେଇଛନ୍ତି।
ସୂଚନା ଯେ, ୨୦୧୮ ମେ ମାସରେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇ ଡିଭିଲିୟର୍ସ କହିଥିଲେ ଯେ, ସେ ଏବେ ବହୁତ ଥକି ଗଲେଣି ଏବଂ ବିଶ୍ରାମ ନେବାକୁ ଚାହୁଁଛନ୍ତି। ୨୦୧୯ ବିଶ୍ଵ କପ୍ ପୂର୍ବରୁ ତାଙ୍କର ଏହି ନିଷ୍ପତ୍ତି ସଭିଙ୍କୁ ଚକିତ କରିଥିଲା। କିନ୍ତୁ ପରେ ଡିଭିଲିୟର୍ସ ୨୦୧୯ ବିଶ୍ଵକପ ଖେଳି ଅନ୍ତର୍ଜାତୀୟ କ୍ରିକେଟ୍କୁ ଫେରିବା ନେଇ ଇଚ୍ଛା ପ୍ରକାଶ କରିଥିଲେ। ତେବେ ସେହି ସମୟରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲା। ଡିଭିଲିୟର୍ସ ୧୧୪ ଟେଷ୍ଟ, ୨୨୮ ଦିନିକିଆ ଓ ୭୮ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍ରେ ସେ ମୋଟ୍ ୪୭ ଶତକ ଅର୍ଜନ କରିଛନ୍ତି। ୩ ବର୍ଷ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇଥିଲେ ମଧ୍ୟ ଡିଭିଲିୟର୍ସ ଆଜି ମଧ୍ୟ ଆଇପିଏଲ୍ରେ ନିଜ ଦମରେ ଦଳକୁ ଜିତାଉଛନ୍ତି।