ଦାରୁଠେଙ୍ଗ ଡମ୍ପିଂୟାର୍ଡ ବିବାଦ : ଆଜିଠୁ ଉଠିବ ଅଳିଆ
ଭୁବନେଶ୍ୱର : ତୁଟିଲା ଦାରୁଠେଙ୍ଗ ଡମ୍ପିଂୟାର୍ଡ ବିବାଦ । ଫଳରେ ବୁଧବାର ଠାରୁ ଉଠିବ ଅଳିଆ। ଦାରୁଠେଙ୍ଗ ବାସିନ୍ଦାଙ୍କ ଦାବିକୁ ସରକାର ଗ୍ରହଣ କରି ଆଗାମୀ ୯ମାସ ମଧ୍ୟରେ ଏସବୁର ପୂର୍ଣ୍ଣକାଳୀନ ସମାଧାନ ହେବ ବୋଲି କହିଛନ୍ତି । ଏଥିସହ ସେ ପର୍ଯ୍ୟନ୍ତ ଅଳିଆ ସେହି ଡମ୍ପିଂୟାର୍ଡରେ ପଡ଼ିବ ବୋଲି ଜଣାପଡ଼ିଛି ।
ଏଣିକି ବିଏମସିର ଅଳିଆ ଭୁବନେଶ୍ୱରରେ ହେବ ପରିଚାଳନା। ଏଥିପାଇଁ ବିଏମସି ନେବ ଆବଶ୍ୟକ ପଦକ୍ଷେପ। ପ୍ରତି ମାସରେ ଦାରୁଠେଙ୍ଗ ସରପଞ୍ଚ ଓ ବିଏମସି କମିଶନରଙ୍କ ମଧ୍ୟରେ ପ୍ରକଳ୍ପର ଅଗ୍ରଗତି ନେଇ ରହିବ ସମନ୍ୱୟ ବୈଠକ। ଭୁବନେଶ୍ୱର ମହାନଗର ନିଗମରୁ ନିର୍ଗତ ଅଳିଆର ପରିଚାଳନା ପାଇଁ ୪୭ଟି ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ (ଏମସିସି) ପ୍ରତିଷ୍ଠା ହେବ। ବର୍ତ୍ତମାନ ସୁଦ୍ଧା ୩୨ଟି କାର୍ଯ୍ୟକ୍ଷମ ଥିବା ବେଳେ ୬ଟିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଖୁବଶୀଘ୍ର ଅବଶିଷ୍ଟ ଏମସିସି ପ୍ରତିଷ୍ଠା ହେବ। ଲିଖିତ ପ୍ରତିଶ୍ରୁତି ପାଇବା ପରେ ଭୁଆଶୁଣି ଡ଼ମ୍ପିଂୟାର୍ଡରେ ସାମୟିକ ଭାବେ ଅଳିଆ ପକାଇବାକୁ ଅନୁମତି ଦେଇଛନ୍ତି ଦାରୁଠେଙ୍ଗ ପଞ୍ଚାୟତବାସୀ।
ସୂଚନା ଯେ, ଗତ ୧୨ ତାରିଖରେ ଏକ ଅଳିଆ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ଗାଡ଼ିଟି ଦାରୁଠେଙ୍ଗ ଡମ୍ପିଂୟାର୍ଡକୁ ଯାଉଥିବାବେଳେ ଧକ୍କା ଦେଇଥିଲା । ଏହାକୁ ନେଇ ଦାରୁଠେଙ୍ଗ ଗ୍ରାମବାସୀ ଉତ୍ତ୍ୟକ୍ତ ହେବ ସହ ଅଳିଆ ଗାଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ସେହିଦିନ ଠାରୁ ଦାରୁଠେଙ୍ଗ ଭୁଆସୁଣୀ ଡମ୍ପିଂୟାର୍ଡ ବନ୍ଦ ରହିଥିଲା । ପ୍ରାୟ ୨୦ ଦିନ ହେବ ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ଅଳିଆ ଆବର୍ଜନା ପଡ଼ିପାରୁନଥିବାରୁ ପରିସ୍ଥିତି ଅଣାୟତ ଆଡ଼କୁ ଗତି କରୁଥିଲା। ଅଳିଆ ଉଠୁନଥିବାରୁ ସ୍ମାର୍ଟ ସିଟି ଭୁବନେଶ୍ୱରର ସ୍ଥିତି ଉତ୍କଟ ଅବସ୍ଥାରେ । ସହରର ଅନେକ ସ୍ଥାନରୁ ଅଳିଆ ଉଠିପାରୁନି। ରାସ୍ତାରେ କୁଢ଼ କୁଢ଼ ଅଳିଆ । ଦିନ ଦିନ ଧରି ଅଳିଆ ଆବର୍ଜନା ପଡ଼ି ରହିବା ପରେ ସଢ଼ିବା ଆରମ୍ଭ କଲାଣି । ଦୁର୍ଗନ୍ଧରେ ରାସ୍ତାରେ ଛିଡା ହେବା ମଧ୍ୟ ମୁସ୍କିଲ ହୋଇପଡ଼ିଛି । ତେବେ ଆଜି ଠାରୁ ପୁଣିଥରେ ଅଳିଆ ଉଠିବା ପରେ ସ୍ଥିତିରେ ସୁଧାର ଆସିବ ବୋଲି ଜଣାପଡିଛି।