ଡାର୍ନେଲା ଫ୍ରେଜିୟରଙ୍କୁ ‘ପୁଲିତଜର ସମ୍ମାନ-୨୦୨୧’
- ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁର ଭିଡିଓ ରେକର୍ଡ କରିଥିବା କିଶୋରୀ ଡାର୍ନେଲା ଫ୍ରେଜିୟରଙ୍କୁ ପୁରସ୍କାର ସହିତ ସମ୍ମାନ କରାଯାଇଛି
ୱାଶିଂଟନ୍ : ଆମେରିକାରେ ସାମ୍ବାଦିକଙ୍କୁ ଦିଆଯାଉଥିବା ସର୍ବୋଚ୍ଚ ପୁରସ୍କାର ‘ପୁଲିତଜର ସମ୍ମାନ-୨୦୨୧’ ଘୋଷଣା ହୋଇଛି । କରୋନା ଭାଇରସ ମହାମାରୀ ଯୋଗୁଁ ଏଥର ଏହି ସମାରୋହ ଅନ୍ଲାଇନ୍ ଆୟୋଜନ ହୋଇଛି । ବିଜୟୀଙ୍କ କଥା ଯଦି କହିବା ତା’ ହେଲେ ଆମେରିକାର ହିପ୍ ହପ ଆର୍ଟିଷ୍ଟ ଜଜ୍ ଫ୍ଲୋଏଡଙ୍କ ଉପରେ ଆଧାରିତ ଅନେକ ରିପୋର୍ଟ ପୁରସ୍କାର ଜିତିଛି ।
ଏହି ସମାରୋହର ସ୍ୱତନ୍ତ୍ର ସମ୍ମାନ ବର୍ଗରେ ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ଭିଡିଓ ରେକର୍ଡ କରିଥିବା କିଶୋରୀ ଡାର୍ନେଲା ଫ୍ରେଜିୟରଙ୍କୁ ପୁରସ୍କାର ସହିତ ସମ୍ମାନ କରାଯାଇଛି । ଏହା ବ୍ୟତୀତ ବ୍ରେକିଂ ନ୍ୟୁଜ ରିପୋର୍ଟିଂରେ ମିନିୟାପୋଲିସ ପୋଲିସ ଦ୍ୱାରା ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁର କଭରେଜ ଏବଂ ଏହା ପରେ ହୋଇଥିବା ବିରୋଧ ପ୍ରଦର୍ଶନ ଲାଗି ‘ଦ ଷ୍ଟାର ଟ୍ରିବ୍ୟୁନ’ର କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି । ସେହିପରି ତଦନ୍ତକାରୀ ରିପୋର୍ଟିଂ ବର୍ଗରେ ବିପଦପୂର୍ଣ୍ଣ ଟ୍ରକ ଚାଳକଙ୍କ ସଂପର୍କରେ ତଥ୍ୟ ଦେବାରେ ରାଜ୍ୟ ସରକାରଙ୍କ ବିଫଳତା ଲୋକଲୋଚନକୁ ଆଣିଥିବା ରିପୋର୍ଟ ଲାଗି ଦ ବୋଷ୍ଟନ ଗ୍ଲୋବର ସାମ୍ବାଦିକଙ୍କୁ ପୁରସ୍କାର ଦିଆଯାଇଛି ।