୭ କିମି ବେଗରେ ଆଗକୁ ବଢୁଛି ‘ୟାସ୍’

ଭୁବନେଶ୍ଵର : ସମୁଦ୍ର ଭିତରେ ବଳ ଗୋଟାଇ ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା ୟାସ୍ । ସୋମବାର ବାତ୍ୟାର ରୂପ ନେଇଥିବା ୟାସ୍ ଅତି ଭୀଷଣ ରୂପ ଧରି ସ୍ଥଳଭାଗ ଅଭିମୁଖେ ମୁହାଁଇଛି। ବାତ୍ୟା ଅପଡେଟ୍ ନେଇ ଭାରତୀୟ ପାଣିପାଗ ବିଭାଗର ବାତ୍ୟା ଓ୍ଵାର୍ଣ୍ଣିଂ ମୁଖ୍ୟ ରାଜେନ୍ଦ୍ର ଜେନାମଣି ସୂଚନା ଦେଇଛନ୍ତି। ଏବେ ପାରାଦୀପଠାରୁ ବାତ୍ୟା ୟାସ୍ ୪୯୦ କିମି ଦୂରରେ ରହିଛି। ବାତ୍ୟାର ବେଗ ସାମାନ୍ୟ ବଢିଛି। ଘଣ୍ଟାକୁ ଏହା ୫ ରୁ ୭ କିମି ବେଗରେ ଆଗକୁ ବଢୁଛି। ଆସନ୍ତାକାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟା ରୂପ ନେବ ୟାସ୍। ୨୬ ତାରିଖ ମଧ୍ୟାହ୍ନରେ ବାଲେଶ୍ଵର ପାଖାପାଖି ଲ୍ୟାଣ୍ଡଫଳ କରିବ। ପୂର୍ଣ୍ଣିମା ଥିବାରୁ ସମୁଦ୍ରରେ ୨ ରୁ ୪ ମିଟର ଉଚ୍ଚରେ ଜୁଆର ଉଠିବ।
ଏହି ସମୟରେ ପବନରେ ବେଗ ୧୫୦ରୁ ୧୮୫ ରହିବ। ଆଜି ଅପରାହ୍ନରେ ୪୦ରୁ ୫୦ କିମି ବେଗର ପବନ ହେବ। ୨୫ ତାରିଖରେ ମଧ୍ୟ ରାତ୍ରୀରୁ ପବନର ବେଗ ୮୦ ହୋଇପାରେ ବୋଲି ସୂଚନା ମିଳିଛି। ସେହିପରି ୨୫ ତାରିଖ ସକାଳେ ପବନର ବେଗ ବଢ଼ି ୧୨୦ରୁ ୧୩୦ ହେବ। ଉପକୂଳ ଛୁଇଁବା ବେଳକୁ ପବନର ବେଗ ସର୍ବାଧିକ ୧୫୫ରୁ ୧୮୬ ହେବ। ଜଗତସିଂହପୁର, କେନ୍ଦ୍ରାପଡ଼ା. ବାଲେଶ୍ୱର, ଭଦ୍ରକ ଏହି ୪ ଜିଲ୍ଲାରେ ୧୨୦ରୁ ୧୬୦ ବେଗରେ ପବନ ବହିବ। ସେହିପରି ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ପାଇଁ ପବନର ବେଗ ୯୦ରୁ ୧୨୦ ହେବାର ସମ୍ଭାବନା ଥିବା ବେଳେ ଗଞ୍ଜାମ ଓ ଗଜପତି ୬୦ରୁ ୮୦ କିମି ବେଗରେ ପବନ ବହିପାରେ। ଆସନ୍ତାକାଲି ଓ ୨୬ ତାରିଖରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ । ହାଇଆଲର୍ଟରେ ଥିବା ୪ ଜିଲ୍ଲାରେ ୪ ମିଟର ଉଚ୍ଚର ସମୁଦ୍ର ଜୁଆର ଆସିପାରେ ବୋଲି ପାଣିପାଗ ବିଭାଗ କହିଛି। ବାତ୍ୟା ପ୍ରଭାବରେ କାଲିଠୁ ବର୍ଷା ବଢିବା ସହ ସନ୍ଧ୍ୟାରୁ ପବନର ବେଗ ବଢିବ ବୋଲି ଏସଆରଏସି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।