ବାତ୍ୟା ‘ୟାସ’ ପ୍ରଭାବିତଙ୍କୁ ମିଳିବ ୭ ଦିନ ରିଲିଫ୍ : ମୁଖ୍ୟମନ୍ତ୍ରୀ

- ପ୍ରଭାବିତ ଅଞ୍ଚଳରେ ଶୀଘ୍ର ପୁନରୁଦ୍ଧାର ପାଇଁ ସରକାର ପ୍ରତିଶୃତିବଦ୍ଧ
- ୨୪ ଘଣ୍ଟା ମଧ୍ୟରେ ୮୦% ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର : ଓଡ଼ିଶାକୁ ଟଳିଲା ବାତ୍ୟା ୟାସ୍ର ବିପଦ। ମାତ୍ର ଲୋକଙ୍କ ପାଇଁ ଛାଡି ଦେଇଗଲା ଅନେକ ଦୁଃଖ। ଆଶା ଅନୁଯାୟୀ କ୍ଷତି ହୋଇନଥିବା କୁହାଯାଉଥିଲେ ମଧ୍ୟ ଲୋକେ ବହୁତ ପ୍ରଭାବିତ ହୋଇଛନ୍ତି। ଏବେ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ତରଫରୁ ପ୍ରଭାବିତଙ୍କ ଉଦ୍ଧାର ଓ ରିଲିଫ ପାଇଁ ଯଥା ସମ୍ଭବ ଉଦ୍ୟମ ଜାରି ରହିଛି। ଏହିକ୍ରମରେ ବାତ୍ୟା କ୍ଷୟକ୍ଷତି ନେଇ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା କରିଛନ୍ତି। ବୈଠକରେ ବାତ୍ୟା ପ୍ରଭାବିତଙ୍କୁ ୭ ଦିନ ରିଲିଫ୍ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତି। ସେହିପରି ପ୍ରଭାବିତ ଅଞ୍ଚଳରେ ଶୀଘ୍ର ପୁନରୁଦ୍ଧାର ପାଇଁ ସରକାର ପ୍ରତିଶୃତିବଦ୍ଧ। ଅନ୍ୟପକ୍ଷରେ ୨୪ ଘଣ୍ଟା ମଧ୍ୟରେ ୮୦% ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ବାତ୍ୟା ପ୍ରଭାବିତ ୧୨୮ଟି ପ୍ରଭାବିତ ଲୋକଙ୍କୁ ୭ ଦିନ ଯାଏଁ ରିଲିଫ୍ ମିଳିବ। କ୍ଷତିଗ୍ରସ୍ତ ହୋଇଥିବା ମୁଖ୍ୟରାସ୍ତାକୁ ୨୪ ଘଣ୍ଟା ମଧ୍ୟରେ ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ୮୦ ପ୍ରତିଶତ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ମୁକାବିଲା ଲାଗି ପ୍ରଶାସକ, ପଞ୍ଚାୟତ ପ୍ରତିନିଧି, ପୋଲିସ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ବର୍ତ୍ତମାନ ଓଡ୍ରାଫ୍ କର୍ମଚାରୀମାନେ ପାରାଦୀପ ମୁନିସିପାଲିଟି ଅଞ୍ଚଳରେ ବିଭିନ୍ନ ପୁନରୁଦ୍ଧାର କାର୍ଯ୍ୟରେ ଏବଂ ବାଲେଶ୍ୱରର ସିମୁଳିଆ ଅଞ୍ଚଳରେ ରାସ୍ତା ଅବରୋଧ ହଟାଇବା କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ସ୍ୱାଭାବିକତା ଫେରାଇ ଆଣିବା ଉଦେଶ୍ୟରେ ମୟୂରଭଞ୍ଜ ଜିଲାର ମୋରଡ଼ା, ରାସଗୋବିନ୍ଦପୁର ଏବଂ ବେତନଟୀ ଅଞ୍ଚଳରେ ପଡ଼ିଥିବା ଗଛଗୁଡ଼ିକୁ ହଟାଇ ରାସ୍ତା ପରିଷ୍କାର କରିବା କାର୍ଯ୍ୟ ପୂରା ଦମ୍ରେ ଚାଲିଛି। ରାଜ୍ୟରେ ବାତ୍ୟା ‘ୟାସ୍’ ପ୍ରଭାବିତ ଅଞ୍ଚଳରେ ସ୍ୱାଭାବିକ ଅବସ୍ଥା ସୁନିଶ୍ଚିତ କରିବା ପାଇଁ ପୁନରୁଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି।ବାଲେଶ୍ୱରପୂର୍ତ୍ତ ବିଭାଗ, ତ୍ୱରିତ ପ୍ରତିକ୍ରିୟା ଦଳ(କୁଇକ୍ ରେସ୍ପନ୍ସ ଟିମ୍) ଏବଂ ଓଡ୍ରାଫ୍ ଦଳ ବାଲେଶ୍ୱରର ବିଭିନ୍ନ ସ୍ଥାନରେ ପଡ଼ିଥିବା ଗଛଗୁଡ଼ିକୁ ହଟାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ସେହିପରି କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇସ୍ଥିତ ମଣିକୁନବା ଗ୍ରାମପଞ୍ଚାୟତରେ ରାସ୍ତା ଅବରୋଧ ହଟାଇବା କାର୍ଯ୍ୟକୁ ଓଡ୍ରାଫ୍ ଏବଂ ଓଡ଼ିଶା ଅଗ୍ନିଶମ ସେବା କର୍ମଚାରୀମାନେ ତ୍ୱରାନ୍ୱିତ କରିଛନ୍ତି। ଅଗ୍ନିଶମ ସେବା, ଗୃହରକ୍ଷୀ ବାହିନୀ ଏବଂ ବେସାମରିକ ପ୍ରତିରକ୍ଷା କର୍ମଚାରୀମାନେ ବାତ୍ୟା ‘ୟସ’ ପ୍ରଭାବିତ ରାଜ୍ୟର ବିିଭିନ୍ନ ଜିଲାମାନଙ୍କରେ ପୁନରୁଦ୍ଧାର କାର୍ଯ୍ୟକୁ ଯୁଦ୍ଧାକାଳୀନ ଭିତ୍ତିରେ ସମ୍ପାଦନ କରୁଛନ୍ତି। ଓଡ଼ିଶା ପୋଲିସ ଏବଂ ଓଡ୍ରାଫ୍ର କର୍ମଚାରୀମାନେ ଭଦ୍ରକ ସହରରେ ଖୁବ୍ଶୀଘ୍ର ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ସେମାନଙ୍କ ଉଦ୍ୟମ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ରାତ୍ରିକାଳୀନ ସାହସିକ ଉଦ୍ଧାର କାର୍ଯ୍ୟ ଦ୍ୱାରା ନଦୀରେ ବୁଡ଼ି ଯାଉଥିବା ଡଙ୍ଗାରୁ ୧୦ ଜଣଙ୍କୁ ଉଦ୍ଧାର କରିଥିବାରୁ ଏନ୍ଡିଆର୍ଏଫ୍ ଏବଂ ଏରସମାର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ତ୍ୱରିତ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଏଭଳି ସାହସିକତା ବାସ୍ତବିକ ପ୍ରଶଂସନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେହିପରି ଏସଆରସି ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ, ବୁଧବାର ସକାଳ ୯ଟାରେ ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ଝାଡଖଣ୍ଡ ଆଡେ ମୁହାଁଇଛି। ଉପକୂଳ ଅଞ୍ଚଳରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଅନେକ ସ୍ଥାନରେ ଗଛ ଓ ବିଜୁଳି ଖୁଣ୍ଟ ଉପୁଡି ରାସ୍ତା ବନ୍ଦ ହୋଇ ଯାଇଛି। ବାତ୍ୟା ପ୍ରକୋପ ଥମିବା ପରେ ପୁନରୁଦ୍ଧାର କାମ ଜୋରଦାର ଗତିରେ ଚାଲିଛି। ଅନେକ ସ୍ଥାନରୁ ଗଛ ହଟାଇ ରାସ୍ତା ସଫା କରାଗଲାଣି। ଆସନ୍ତାକାଲି ସକାଳ ସୁଦ୍ଧା ବାଲେଶ୍ଵର ଓ ଭଦ୍ରକରେ ବିଦ୍ୟୁତ୍ ସ୍ଵାଭାବିକ ହୋଇଯିବ। ସେହିପରି ବାତ୍ୟା ପାଇଁ ସାଢେ ଛଅ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସର୍ବାଧିକ ମୟୂରଭଞ୍ଜରୁ ଏକ ଲକ୍ଷ ସ୍ଥାନାନ୍ତର କରାଯାଇଥିଲା। ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କ ସ୍ଵାସ୍ଥ୍ୟ ଯାଞ୍ଚ କରିବ। ସମୁଦ୍ର ଜୁଆର ଯୋଗୁଁ ବାଲେଶ୍ଵର, ଭଦ୍ରକର ୧୨୦ ଗାଁ ପାଣି ପଶିଥିଲା ବୋଲି ପ୍ରଦୀପ ଜେନା କହିଛନ୍ତି।