୨୪ ଘଣ୍ଟାରେ ଦେଶରେ ୭୨,୩୩୦ ସଂକ୍ରମିତ ଚିହ୍ନଟ ଓ ୪୫୯ ମୃତ

ନୂଆଦିଲ୍ଲୀ : ଦେଶରେ ସାଂଘାତିକ ହେଉଛି କରୋନା ସ୍ଥିତି । ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୪ ଶହ ଟପିଛି । କରୋନା ଭୂତାଣୁର ୨ୟ ଲହର ପୂର୍ବାପେକ୍ଷା ଅଧିକ ଉଗ୍ର ହେଉଥିବା ଦେଖିବାକୁ ମିଳିଛି। ଗତବର୍ଷ ତୁଳନାରେ ନୂଆ ଷ୍ଟ୍ରେନର ସଂକ୍ରମଣ ହାର ଦ୍ରୁତଗତିରେ ବଢ଼ୁଥିବାବେଳେ ମୃତ୍ୟୁ ସଂଖ୍ୟା ବି ଚିନ୍ତାରେ ପକାଇଛି। ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟରେ ପରିଣତ ହୋଇଛି । ଏହି ସବୁ ରାଜ୍ୟରେ ଅଚାନକ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଥିମଧ୍ୟରୁ ୮୨.୯୬ ପ୍ରତିଶତ କେବଳ ୫ ରାଜ୍ୟରେ ରହିଛନ୍ତି । ସବୁଠାରୁ ମହାରାଷ୍ଟ୍ରର ସ୍ଥିତି ଉଦ୍ବେଗଜନକ ରହିଛି । ମହାରାଷ୍ଟ୍ର ଓ କେରଳରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୧.୬୯ ପ୍ରତିଶତ ରହିଛି । ସେହିପରି ତାମିଲନାଡୁ, ପଞ୍ଜାବ, ମଧ୍ୟପ୍ରଦେଶ, ଦିଲ୍ଲୀ, ଗୁଜରାଟ, କର୍ଣ୍ଣାଟକ ଏବଂ ହରିଆଣାର ସ୍ଥିତି ଚିନ୍ତାଜନକ ରହିଛି । ଦେଶରେ ଲଗାତର ଭାବେ ସୁସ୍ଥଙ୍କ ସଂଖ୍ୟା ବଢିବାରେ ଲାଗି ସୁସ୍ଥତା ହାର ୯୪.୫୯% ରହିଛି । ସେହିପରି ଏବେ ମାତ୍ର ୧.୨୮%ସକ୍ରିୟ ଆକ୍ରାନ୍ତ ରହିଥିବା ବେଳେ ୧.୩୫% କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ଏହାରି ମଧ୍ୟରେ ଗୁରୁବାର ଗତ ୨୪ଘଣ୍ଟାରେ ୭୨ହଜାର ୩୩୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୫୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ଆଉ ୪୦ହଜାର ୩୮୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୨୨ଲକ୍ଷ ୨୧ହଜାର ୬୬୫କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୬୨ହଜାର ୯୨୭ରେ ପହଞ୍ଚିଛି । ଅନ୍ୟପକ୍ଷରେ ୧କୋଟି ୧୪ଲକ୍ଷ ୭୪ହଜାର ୬୮୩ ଜଣ ସୁସ୍ଥ ହୋଇଥିବା ବେଳେ ୫ଲକ୍ଷ ୮୪ହଜାର ୦୫୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି ।