ଚାଷୀଙ୍କ ହକ୍ ପାଇଁ ହୁଙ୍କାର ଦେଲେ କଂଗ୍ରେସ ନେତ୍ରୀ ମମତା କୁଣ୍ଡୁ

- ଆସନ୍ତା ୨୨ରେ ୧୨ଟି ସମବାୟ ସମିତି ସମ୍ମୁଖରେ ଧାରଣା
- ଆନ୍ଦୋଳନରେ ଯୋଗଦେଇ ସଫଳ ପାଇଁ ଚାଷୀଙ୍କୁ ଆହ୍ୱାନ
ବାଲେଶ୍ୱର : ବାଲେଶ୍ୱର ଜିଲାରେ ଚଳିତବର୍ଷ ରବି ଧାନ ବିକ୍ରିରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଏହି ସମସ୍ୟାକୁ ନେଇ ଆସନ୍ତା ୨୨ ତାରିଖ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୨୬ଟି ପଞ୍ଚାୟତର ୧୨ଟି ସମବାୟ ସମିତି ସମ୍ମୁଖରେ ସକାଳ ୭ରୁ ୧୧ଟା ପର୍ଯ୍ୟନ୍ତ ଧାରଣା ଦିଆଯିବା ବୋଲି ମଙ୍ଗଳବାର ବାଲେଶ୍ୱର ସଦର ବିଧାନସଭା କଂଗ୍ରେସ ପ୍ରାର୍ଥୀ ତଥା ଓଡ଼ିଶା ଅଖିଳ ଭାରତୀୟ ପ୍ରଫେସନାଲ କଂଗ୍ରେସ ସଭାପତି ମମତା କୁଣ୍ଡୁ ସୂଚନା ଦେଇଛନ୍ତି । ଏଥିସହିତ ଟୋକନ ପାଇନଥିବା ଚାଷୀଙ୍କୁ ଟୋକନ ପ୍ରଦାନ, ଅକାମୀ ଟୋକନ୍ ସଚଳ କରିବା ସହ ଟୋକନ୍ର ଅବଧି ବୃଦ୍ଧି, ସମସ୍ତ ଚାଷୀଙ୍କ ଠାରୁ ଧାନ କ୍ରୟ, କଟନୀ ଛଟ୍ନୀ ବନ୍ଦ, ଅଖାର ଦାମ୍ ପ୍ରଦାନ ଭଳି ବିଭିନ୍ନ ପ୍ରକାରର ଦାବି ଉପସ୍ଥାପନ କରିଛନ୍ତି । ସେହିପରି ଏହି ଆନ୍ଦୋଳନରେ ସମସ୍ତ ଚାଷୀ ଯୋଗଦେଇ ଏହାକୁ ସଫଳ କରିବା ପାଇଁ ସେ ଆହ୍ୱାନ କରିଛନ୍ତି ।
ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଆଳୁମେଦା, ପଞ୍ଚୁପଡ଼ା, ସାର୍ଥା, କଷାଫଳ, ଶ୍ରୀରାମପୁର ଓ ପରିଖି ପଞ୍ଚାୟତରେ ମଙ୍ଗଳବାର ଶ୍ରୀମତୀ କୁଣ୍ଡୁଙ୍କ ନେତୃତ୍ୱରେ ସ୍ଥାନୀୟ ନେତୃବର୍ଗ ତଥା କର୍ମୀଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ରବି ଧାନର ଅଭାବି ବିକ୍ରିର ପ୍ରତିବାଦ ସ୍ୱରୂପ ଚାଷୀଙ୍କ ଠାରୁ ରବି ଉତ୍ପାଦିତ ସମସ୍ତ ଧାନ କ୍ରୟ, ମଣ୍ଡିକୁ ଆକଳନ ଅନୁଯାୟୀ ଟାର୍ଗେଟ୍ ଦେବା ଏବଂ ଟୋକନ ଅବଧି ୧୨ଦିନ ପରିବର୍ତ୍ତେ ୧ମାସ ବୃଦ୍ଧି, ରାଜ୍ୟସରକାର ଚାଷୀଙ୍କୁ ଧାନରେ କୁଇଣ୍ଟାଲ ପ୍ରତି ଏମ୍ଏସ୍ପି ଉପରେ ୫ଶହ ଟଙ୍କା ବୋନସ୍, କେନ୍ଦ୍ର ସରକାର ସ୍ୱାମୀନାଥନ୍ କମିଟିର ସୁପାରି ଆଧାରରେ ଧାନ କୁଇଣ୍ଟାଲ ପ୍ରତି ୨୯୩୦ଟଙ୍କାକୁ ବୃଦ୍ଧି କରିବା ଭଳି ଦାବି ନେଇ ଏହି ଆନ୍ଦୋଳନ ଦିଆଯିବ ବୋଲି ଶ୍ରୀମତୀ କୁଣ୍ଡୁ କର୍ମୀମାନଙ୍କୁ ଜଣାଇଛନ୍ତି । ସେହିପରି ଭାଗଚାଷୀମାନେ ଚାଷ କରୁଥିଲେ ହେଁ ମାଲିକଙ୍କ ଶୋଷଣ ଯୋଗୁଁ ସେମାନେ ସରକାରଙ୍କ ଯୋଜନାରୁ ଲାଭ ଉଠାଇ ପାରୁନାହାନ୍ତି । ଫଳରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଆଇନ୍ ଅଣାଯିବା ସହ ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ମଧ୍ୟ ଦାବି କରିଛନ୍ତି । ଅଭାବି ଧାନ ବିକ୍ରିର ଆଶୁ ସମାଧାନ ପାଇଁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଜରିଆରେ ମାନ୍ୟବର ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ଶ୍ରୀମତୀ କୁଣ୍ଡୁ କହିଛନ୍ତି । କାର୍ଯ୍ୟକ୍ରମରେ ଜିଲା କଂଗ୍ରେସ କୋଭିଡ୍ ସଂଯୋଜିକା ଅର୍ଚ୍ଚନା ନନ୍ଦୀ, ସଦର ବ୍ଲକ କଂଗ୍ରସ ସଭାପତି ଜୟକ୍ରିଷ୍ଣା ବେହେରା, କଷାଫଳ ପଞ୍ଚାୟତର କଂଗ୍ରେସ ସଭାପତି ଗୋବିନ୍ଦ ପ୍ରସାଦ ପୃଷ୍ଟି, ସାର୍ଥା ପଞ୍ଚାୟତର କଂଗ୍ରେସ ସଭାପତି କମଳାକାନ୍ତ ମଲ୍ଲିକ, ଆଳୁମେଦା ପଞ୍ଚାୟତର କଂଗ୍ରେସ ସଭାପତି ଯୁଦ୍ଧିଷ୍ଠିର ମଲ୍ଲିକ, ପଞ୍ଚୁପଡ଼ା ପଞ୍ଚାୟତର କଂଗ୍ରେସ ସଭାପତି ବୀରେନ୍ଦ୍ର ନାଥ ରାଉତ, ୨୯ନଂ. ଜୋନ୍ ସଭାପତି ସଞ୍ଜିବ ମଣ୍ଡଳ, ପ୍ରମୁଖ ଛାମୁଆ ନେତୃବୃନ୍ଦ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।