ରାଜ୍ୟଗୋଷ୍ଠୀ କ୍ରୀଡ଼ା : ୫୫ ପଦକ ସହ ପଞ୍ଚମ ସ୍ଥାନରେ ଭାରତ
ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଖେଳାଳିଙ୍କ ଉତ୍ତମ ପ୍ରଦର୍ଶନ । ଦଶମ ଦିବସରେ ଭାରତକୁ ମିଳିଛି ଆଉ ୫ ସ୍ୱର୍ଣ୍ଣ ପଦକ । ସେଥିମଧ୍ୟରୁ କେବଳ ବକ୍ସିଂରେ ୩ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ । ବକ୍ସିଂରେ ନିଖତ ଜରିନ୍, ରିତୁ ଘନଘାସ ଓ ଅମିତ ପଂଘଲ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି । ସେହିପରି ଟ୍ରିପଲ ଜମ୍ପରେ ମଧ୍ୟ ଏଲଡୋସ୍ ପଲ୍ ହଳଦିଆ ପଦକ ଜିତି ଦେଶ ପାଇଁ ଆଣିଛନ୍ତି ଗୌରବ । ମହିଳା ବକ୍ସିଂର ୫୦ କେଜି ବର୍ଗରେ ନିଖତ କାର୍ଲି ଏମସି ନୌଲଙ୍କୁ ହରାଇ ଏହି ସଫଳତା ପାଇଛନ୍ତି ।
ସେହିପରି ପୁରୁଷ ବକ୍ସିଂରେ ଅମିତ୍ ୪୮ କେଜି ବର୍ଗରେ ଇଂଲଣ୍ଡର କିଆରନ୍ ମ୍ୟାକଡୋନାଲ୍ଡଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ନିତୁ ମଧ୍ୟ ଇଂଲଣ୍ଡର ପ୍ରତିଦ୍ୱନ୍ଦ୍ୱୀ ଡେମି-ଜେଡ୍ ରେଜସ୍ତାନଙ୍କୁ ପରାସ୍ତ କରି ପ୍ରଥମଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଟ୍ରିପଲ ଜମ୍ପର୍ ଏଲଡୋସ୍ ପଲ୍ ୧୭ ଦଶମିକ ୩ ମିଟର୍ ଡିଆଁ ମାରି ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଏହି ଇଭେଂଟରେ ଭାରତର ଅନ୍ୟତମ ଆଥଲେଟ୍ ଅବଦୁଲ୍ଲା ଅବୁବାକର ମାତ୍ର ଦଶମିକ ୧ ବ୍ୟବଧାନରେ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି । ସେପଟେ ମହିଳା ହକି ଦଳ ମଧ୍ୟ ଭାରତ ପାଇଁ କାଂସ୍ୟ ପଦକ ଆଣିଛନ୍ତି । ପ୍ରତିଦ୍ୱନ୍ଦୀ ଦଳ ନ୍ୟୁଜିଲ୍ୟାଣ୍ଡକୁ ହରାଇଛି । ସେହିପରି ୧୦ହଜାର ମିଟର୍ ଚାଲିରେ ଭାରତୀୟ ଧାବକ ସନ୍ଦୀପ କୁମାର ବ୍ରୋଞ୍ଜ ପଦକ ନିଜ ନାଁରେ କରିଛନ୍ତି । ଜାଭେଲିନ୍ ଥ୍ରୋ’ରେ ଅନୁ ରାଣୀ ୬୦ ମିଟର୍ ଥ୍ରୋ’ କରି ବ୍ରୋଞ୍ଜ ପଦକ ଜିତିଛନ୍ତି । ଭାରତ ବର୍ତ୍ତମାନ ୧୮ଟି ସ୍ୱର୍ଣ୍ଣ ସହ ମୋଟ ୫୫ଟି ପଦକ ପାଇଛି । ଏଥିମଧ୍ୟରେ ରହିଛି ୧୫ଟି ରୌପ୍ୟ ଓ ୨୨ଟି ବ୍ରୋଞ୍ଜ ମେଡାଲ ।
ଆଜି ରାଜ୍ୟଗୋଷ୍ଠୀ କ୍ରୀଡାର ଶେଷ ଦିନ ହୋଇଥିବା ବେଳେ ଭାରତକୁ ଆଉ କିଛି ଇଭେଣ୍ଟ ରେ ସ୍ବର୍ଣ୍ଣ ପଦକ ମିଳିବା ଆଶା କରାଯାଉଛି । ଟେବୁଲ୍ ଟେନିସରେ ଶରତ କମଲ ସିଙ୍ଗଲ୍ସ ଫାଇନାଲରେ ସ୍ବର୍ଣ୍ଣ ପାଇଁ ଲଢ଼ିବେ। ଅନ୍ୟପକ୍ଷରେ ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ଏବଂ ଲକ୍ଷ୍ୟ ସେନ୍ ଯଥାକ୍ରମେ ମହିଳା ଓ ପୁରୁଷ ସିଙ୍ଗଲ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ଦେଇପାରନ୍ତି | ପୁରୁଷ ହକି ଦଳ ମଧ୍ୟ ସ୍ବର୍ଣ୍ଣ ପାଇଁ ଫାଇନାଲରେ ଅଷ୍ଟ୍ରେଲିଆ ସହ ଲଢ଼ିବ । ଅଷ୍ଟ୍ରେଲିଆ ୬୬ ଟି ସ୍ବର୍ଣ୍ଣ ସହ ସର୍ବାଧିକ ୧୭୪ ପଦକ ଜିତି ପ୍ରଥମ ସ୍ଥାନରେ ରହିଛି । ଆୟୋଜକ ଇଂଲଣ୍ଡ ୫୫ ଟି ସ୍ୱର୍ଣ୍ଣ ସହ ଦ୍ୱିତୀୟ ସ୍ଥାନରେ ରହିଛି। ୨୬ଟି ସ୍ୱର୍ଣ୍ଣ ସହିତ କାନାଡା ତୃତୀୟ ସ୍ଥାନରେ ଅଛି | ନ୍ୟୁଜିଲାଣ୍ଡ ୧୮ ସ୍ବର୍ଣ୍ଣ ସହ ଚତୁର୍ଥ ସ୍ଥାନରେ ରହିଛି । ଭାରତ ୧୮ଟି ସ୍ୱର୍ଣ୍ଣ , ୧୫ଟି ରୌପ୍ୟ ଏବଂ ୨୨ ଟି ବ୍ରୋଞ୍ଜ ସହ ମୋଟ ୫୫ ପଦକ ସହିତ ପଞ୍ଚମ ସ୍ଥାନରେ ରହିଛି ।