ଖୁବଶୀଘ୍ର ଆସିବ କରୋନାର ସବୁ ଭାରିଆଣ୍ଟ୍କୁ ମାତ୍ ଦେଉଥିବା ସୁପର ଭାକସିନ୍!
ନୂଆଦିଲ୍ଲୀ : କରୋନା ଭାଇରସ୍ ମହାମାରୀର ସାମ୍ନା କରୁଥିବା ବିଶ୍ୱ ଏବେ ଭାଇରସ୍ର ଭିନ୍ନ ଭିନ୍ନ ଭାରିଆଣ୍ଟକୁ ନେଇ ଚିନ୍ତିତ । ବିଭିନ୍ନ ଦେଶରେ ଏହାର ଅନେକ ଭାରିଆଣ୍ଟ ସାମ୍ନାକୁ ଆସୁଛି ଯାହାକି ଚିନ୍ତାକୁ ବଢ଼ାଉଛି । ହେଲେ ଏବେ ବୈଜ୍ଞାନିକମାନେ ଏମିତି ଏକ ଟିକା ପ୍ରସ୍ତୁତି ଉପରେ କାମ କରୁଛନ୍ତି ଯାହା କରୋନାର ସବୁ ଭାରିଆଣ୍ଟ ଉପରେ କାମ ଦେବ । ଏହା ସହ ଭବିଷ୍ୟତରେ ଆସିବାକୁ ଥିବା ଏଭଳି କୌଣସି ମହାମାରୀକୁ ରୋକିବାରେ ସାହାଯ୍ୟ କରିବ । ଆମେରିକାର ନର୍ଥ କାରୋଲିନା ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏ ସଂପର୍କରେ ଗବେଷଣା ଆରମ୍ଭ କରିଦେଇଛନ୍ତି ।
ସେମାନଙ୍କ ଅନୁସାରେ, କାହାରିକୁ ଜଣାନାହିଁ ଯେ କେଉଁ ଭାଇରସ୍ ଆଗାମୀ ମହାମାରୀ ସୃଷ୍ଟି କରିବ । ଏଭଳିସ୍ଥିତିରେ ସେଥିଲାଗି ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ ପଡ଼ିବ । ସେମାନେ ମୂଷା ଉପରେ ଏହି ଟିକାର ଟ୍ରାଏଲ୍ ଆରମ୍ଭ କରିଛନ୍ତି । ରିପୋର୍ଟ ଅନୁସାରେ କରୋନାର କୌଣସି ଭାରିଆଣ୍ଟ ଦ୍ୱାରା ଭବିଷ୍ୟତରେ ଆସିବାକୁ ଥିବା ମହାମାରୀର ବିପଦକୁ ଦୂର କରିବା ଲାଗି ଏହି ଟିକା ପ୍ରସ୍ତୁତି କରାଯାଇଛି । ଏହା କରୋନାର ବର୍ତ୍ତମାନ ଦେଖାଯାଉଥିବା ସବୁ ଭାରିଆଣ୍ଟ ବ୍ୟତୀତ ଅନ୍ୟ ସବୁ ଭାରିଆଣ୍ଟ ଉପରେ ପ୍ରଭାବଶାଳୀ ହୋଇପାରିବ ଯେଉଁଗୁଡ଼ିକ ପଶୁମାନଙ୍କଠାରୁ ମନୁଷ୍ୟ ନିକଟକୁ ଆସିବାର ଆଶଙ୍କା ରହିଛି । ଅନୁଧ୍ୟାନରେ ଏହାକୁ ‘ସେକେଣ୍ଡ ଜେନେରେସନ୍ ଭ୍ୟାକ୍ସିନ୍’ ବୋଲି କୁହାଯାଉଛି । ଯେଉଁ ବୈଜ୍ଞାନିକଙ୍କ ଟିମ୍ ଏହି ମିସନ୍ ଉପରେ କାମ କରୁଛି ସେମାନେ ଏମ୍ଆରଏନଏ ଉପାୟ ଅବଲମ୍ବନ କରୁଛନ୍ତି । ଏହି ଉପାୟକୁ ଫାଇଜର ଓ ମଡେର୍ଣ୍ଣା ବର୍ତ୍ତମାନର କରୋନା ଟିକା ପ୍ରସ୍ତୁତି ସମୟରେ ବ୍ୟବହାର କରିଥିଲେ । ସେପଟେ ମୂଷା ଉପରେ ଏହି ଟିକାକୁ ପ୍ରୟୋଗ କରାଯିବା ପରେ ସେମାନଙ୍କ ଶରୀରରେ ଆଣ୍ଟିବଡି ବିକଶିତ ହୋଇଥିବା ଲକ୍ଷ୍ୟ କରାଯାଇଛି । ଏବେ ଏ ସଂପର୍କରେ ଅଧିକ ଗବେଷଣା ଜାରି ରହିଛି । ଯଦି ସବୁ କିଛି ଠିକଠାକ୍ ରହେ ତା’ ହେଲେ ଏହି ଟିକାକୁ ଆସନ୍ତାବର୍ଷ ମନୁଷ୍ୟଙ୍କ ଉପରେ ଟ୍ରାଏଲ୍ କରାଯାଇପାରେ ।