ଖୁସି ଖବର ! ରାଜ୍ୟରେ କାର୍ଯ୍ୟକାରୀ ହେବ କଫି ମିସନ୍, ୬ ଜିଲାରେ ୯୦ହଜାର ହେକ୍ଟର ଜମିରେ ହେବ ଚାଷ
ଭୁବନେଶ୍ବର : ଖୁସି ଖବର । ଓଡ଼ିଶାରେ ଆରମ୍ଭ ହେବ କଫି ମିଶନ। କଫି ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇବା ପାଇଁ କଫି ମିଶନ ନାମକ ଏକ ଯୋଜନା ପ୍ରଣୟନ କରିବାକୁ ଯାଉଛନ୍ତି । ରାଜ୍ୟ ସରକାର ମିଲେଟ ମିଶନ ସହ ରାଜ୍ୟ ଉଦ୍ୟାନ କୃଷି ବିଭାଗ ଏନେଇ ବୁଝାମଣା କରିଛି । ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ବିଷୟରେ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବା ପରେ ପ୍ରକଳ୍ପ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଓଡ଼ିଶାରେ ଖୁବ୍ଶୀଘ୍ର କଫି ମିସନ ଆରମ୍ଭ କରାଯିବା ନେଇ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି। ୬ଟି ଜିଲାରେ ୯୦ ହଜାର ହେକ୍ଟର ଜମିରେ ଚାଷ କରାଯାଇ ୧୪ ହଜାର ୪୬୦ ମେଟ୍ରିକ ଟନ୍ ଉତ୍ପାଦନ ନେଇ ଆଶା ରହିଛି ।
ରାଜ୍ୟରେ ମିଲେଟ୍ ମିସନ ଏବଂ ପଣସ ମିସନ୍ କାର୍ଯ୍ୟକାରୀ ହୋଇଛି। ଫୁଲ, ମସଲା ମିସନ କାର୍ଯ୍ୟକାରୀ ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି। କିଛି ଦିନ ପୂର୍ବରୁ ଛତୁ ମିସନ କାର୍ଯ୍ୟକାରୀ ନେଇ ମଧ୍ୟ କୃଷି ମନ୍ତ୍ରୀ ଏବଂ ସଚିବ ସୂଚନା ଦେଇଥିଲେ। ଯୋଜନା ମାଧ୍ୟମରେ ରାଜ୍ୟରେ କୃଷକମାନଙ୍କୁ ପ୍ରେରଣା ଯୋଗାଇବା ପାଇଁ ଉଦ୍ୟମ ଚଳାଛନ୍ତି ଓଡ଼ିଶା ସରକାର । ସରକାର ନା କେବଳ ଯୋଜନାମାନ ପ୍ରଣୟନ କରୁଛନ୍ତି ବରଂ ସେହି ଯୋଜନାର ସଫଳ ରୂପାୟନ ପାଇଁ ଆପ୍ରାଣ ଚେଷ୍ଟା ମଧ୍ୟ କରୁଥିବା ଦେଖିବାକୁ ମିଳୁଛି । ତୃଣମୂଳ ସ୍ତରରେ ସରକାର ବିଭିନ୍ନ ଚାଷ ପାଇଁ ବିଭିନ୍ନ ପ୍ରକାରର ପ୍ରଶିକ୍ଷଣ ଶିବିରମାନ ପ୍ରସ୍ତୁତ କରୁଛନ୍ତି । ଏଥି ସହିତ ଦକ୍ଷ ପ୍ରଶିକ୍ଷକଙ୍କ ଦ୍ୱାରା ଚାଷୀଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯାଉଛି ।
କେଉଁ ଚାଷ ପାଇଁ କେଉଁ ପ୍ରକାରର ଜଳବାୟୁ ପ୍ରଯୁଜ୍ୟ, ବିଭିନ୍ନ ଚାଷ ପାଇଁ ବ୍ୟବହୃତ ହେଉଥିବା ଯନ୍ତ୍ରପାତିର ବ୍ୟବହାର ଶୈଳୀ, ଏଭଳି ଅନେକ କୃଷି ସମ୍ବନ୍ଧିୟ ତଥ୍ୟ ଉପରେ ସବିଶେଷ ତଥ୍ୟ ପ୍ରଦାନ କରୁଛନ୍ତି ପଶିକ୍ଷକ । କଫି ଚାଷ ପାଇଁ ଓଡ଼ିଶାର କୋରାପୁଟ ଜିଲ୍ଲା ବିଶେଷ ମାନତ୍ୟା ଲାଭ କରିଥିବା ବେଳେ ଜାତୀୟ ସ୍ତରରେ ଏହାର ରପ୍ତାନି କରି ବେଶ୍ ଲାଭବାନ ହେଉଛନ୍ତି କୋରାପୁଟ କଫି ଚାଷି । କଫି ଚାଷର ସଫଳତାକୁ ଦୃଷ୍ଟିରେ ସରକାର ଚାଷୀଙ୍କୁ ଅଧିକ ପ୍ରୋତ୍ସାହନ ଦେବାକୁ ମନ ସ୍ଥିର କରିଛନ୍ତି । ତେଣୁ କଫି ମିଶନ ଜରିଆରେ ଓଡ଼ିଶା କଫି ଚାଷୀ ଅଧିକ ଲାଭବାନ ହୋଇପାରିବେ ବୋଲି ଆଶା ପୋଷଣ କରିଛନ୍ତି ସରକାର ।
ସୂଚନା ଯେ, ୭୦ ଦଶକରେ କରାଯାଇଥିବା ସର୍ଭେ ଅନୁସାରେ ଓଡ଼ିଶାରେ ୩.୪୭ ଲକ୍ଷ ହେକ୍ଟର ଜମିରେ କଫି ଚାଷ କରାଯାଇ ପାରିବ। ବର୍ତ୍ତମାନ ପରିପ୍ରେକ୍ଷୀରେ ୧.୪୬ ଲକ୍ଷ ହେକ୍ଟର କଫି ଚାଷର କ୍ଷମତା ଥିବା ନେଇ ଆକଳନ କରିଛି କଫି ବୋର୍ଡ। ରାଜ୍ୟରେ ବର୍ତ୍ତମାନ ୪୪୦୦ ହେକ୍ଟର ଜମିରେ ଏହି ଚାଷ ହେଉଛି। ସରକାରଙ୍କ ସହଯୋଗରେ କୋରାପୁଟରେ ଚଳିତ ବର୍ଷ ୩୩୦୦ ଏକର ଜମିରେ ଚାଷ କରାଯାଉଛି। ଚଳିତ ବର୍ଷ ସରକାରଙ୍କ ସହଯୋଗରେ କଳାହାଣ୍ଡିରେ ୧୦ ହେକ୍ଟର ଜମିରେ ଚାଷ କରାଯାଇଛି। କଫି ମିସନ କାର୍ଯ୍ୟକାରୀ ହେଲେ ପ୍ରାଥମିକ ପର୍ଯ୍ୟାୟରେ କୋରାପୁଟ ଏବଂ କଳାହାଣ୍ଡି ସହିତ ରାୟଗଡ଼ା, ଗଜପତି, କେନ୍ଦୁଝର ଏବଂ କନ୍ଧମାଳରେ କାର୍ଯ୍ୟକାରୀ ହେବ।
ଏଥିରେ ସରକାରୀ ଭାବରେ ୮୦ ହଜାର ଏବଂ କମ୍ପାନି ପକ୍ଷରୁ ୧୦ ହଜାର ଏକର ଜମିରେ ଚାଷ କରାଯିବ। ବର୍ତ୍ତମାନ ରାଜ୍ୟରେ ୪୬୦ ମେଟ୍ରିକ ଟନ କଫି ଉତ୍ପାଦିତ ହେଉଛି। କୋରାପୁଟ କଫି ବର୍ତ୍ତମାନ ଜାପାନ ସମେତ ବାହାର ରାଜ୍ୟକୁ ରପ୍ତାନି ହେଉଛି। ମିସନ କାର୍ଯ୍ୟକାରୀ ହେଲେ ଆହୁରି ୧୦ ହଜାର ମେଟ୍ରିକ ଟନ କଫି ଉତ୍ପାଦିତ ହେବ। କଫି ମିସନର ରୂପରେଖ ଏବଂ ବଜେଟ ଆକଳନ ଜାରି ରହିଛି।