ରାଜ୍ୟକୁ ତୁରନ୍ତ ଅଧିକ ସାର ଯୋଗାଇବାକୁ ଦେବା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

- ଚଳିତ ଖରିଫଋତୁରେ ଓଡ଼ିଶାକୁ ନିଅଣ୍ଟିଆ ସାର ଯୋଗାଣ
ଭୁବନେଶ୍ୱର : ରାଜ୍ୟରେ ସାରର ଅଭାବ । ଓଡ଼ିଶା ପାଇଁ ନିର୍ଦ୍ଧାରିତ ମାସିକ ସାର ଆବଣ୍ଟନ ଠାରୁ ଚଳିତ ଖରଫ୍ଋତୁରେ ନିଅଣ୍ଟିଆ ସାର ଯୋଗାଣ ହୋଇଥିବାରୁ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମଣ୍ଡାବିୟାଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତୁରନ୍ତ ରାଜ୍ୟକୁ ଅଧିକ ସାର ଯୋଗାଇବାକୁ ଦାବି ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ । ମେ’, ଜୁନ୍, ଜୁଲାଇ ମାସରେ ଓଡିଶାକୁ ନିଅଣ୍ଟିଆ ସାର ଯୋଗାଣ ହୋଇଛି । ବିଶେଷ କରି ୟୁରିଆ ସାର ୨ ଲକ୍ଷ ୩୧ ହଜାର ୫୩୦ ମେଟ୍ରିକ୍ ଟନ୍ ଆବଶ୍ୟକ ଥିବାବେଳେ ରାଜ୍ୟ ପାଇଛି ୧ ଲକ୍ଷ ୪୫ ହଜାର ୧୪୫ ମେଟ୍ରିକ ଟନ୍ । ଜୁଲାଇ ମଧ୍ୟ ଭାଗରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଓଡିଶାରେ ୟୁରିଆ ସାରର ଅଧିକ ଆବଶ୍ୟକତା ପଡିଥାଏ । ଅନ୍ୟ ସାରର ଡିମାଣ୍ଡ ଜୁଲାଇରୁ ଅଗଷ୍ଟ ମାସରେ ଥାଏ । ଯଦି ସାର ଯୋଗାଣରେ ଅଭାବ ହୁଏ, ତାହେଲେ ଏହା ଖାଦ୍ୟ ଶସ୍ୟ ଉତ୍ପାଦନରେ ବାଧା ସୃଷ୍ଟି କରିବ । ସାର ନମିଳିବା ଯୋଗୁଁ ଅଯଥାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ବୋଲି ଚିଠିରେ ଦର୍ଶାଯାଇଛି ।
ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ମାସିକ ଯୋଗାଣ ଯୋଜନା ଅନୁସାରେ ଏପ୍ରିଲ୍ ମାସରେ ଆପଣଙ୍କ ବିଭାଗ ରାଜ୍ୟର ଚାହିଦା ମୁତାବକ ସାର ଯୋଗାଇ ଦେଇଥିବାରୁ ଧନ୍ୟବାଦ। କିନ୍ତୁ, ମେ, ଜୁନ୍ ଏବଂ ଜୁଲାଇ ମାସରେ ବିଭିନ୍ନ କିସମର ସାର ଯୋଗାଣରେ ନିଅଣ୍ଟ ଦେଖାଦେଇଛି। ଆବଣ୍ଟନ ଅନୁସାରେ, ୨,୩୧,୫୩୦ ମେଟ୍ରିକ୍ ଟନ୍ ପାଇବାକୁ ଥିବାବେଳେ ଏଥର ଖରିଫଋତୁରେ ଏଯାବତ୍ ରାଜ୍ୟ ମାତ୍ର ୧,୪୫,୧୪୫ ମେଟ୍ରିକ୍ ଟନ୍ ୟୁରିଆ ପାଇଛି। ଏହା ବ୍ୟତିରେକେ, ୨,୧୦,୦୦୦ ମେଟ୍ରିକ୍ ଟନ୍ ୟୁରିଆ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଦେଇଥିବା ଯୋଗାଣ ପ୍ରସ୍ତାବରେ ମଧ୍ୟ ଓଡ଼ିଶା ସହମତି ପ୍ରକାଶ କରିଥିଲା। ସେହିପରି, ଆବଣ୍ଟନ ଅନୁସାରେ, ୧,୫୨,୦୦୦ ମେଟ୍ରିକ୍ ଟନ୍ ଡିଏପି ପାଇବାକୁ ଥିବାବେଳେ ଏଯାବତ୍ ରାଜ୍ୟ ମାତ୍ର ୯୭,୭୬୩ ମେଟ୍ରିକ୍ ଟନ୍ ଡିଏପି ପାଇଛି। ଏଥିରେ ମଧ୍ୟ ୧,୪୫,୦୦୦ ମେଟ୍ରିକ୍ ଟନ୍ ଡିଏପି ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଦେଇଥିବା ଯୋଗାଣ ପ୍ରସ୍ତାବରେ ମଧ୍ୟ ଓଡ଼ିଶା ସହମତି ପ୍ରକାଶ କରିଥିଲା। ଏହାଛଡ଼ା, ୬୭,୨୦୦ ମେଟ୍ରିକ୍ ଟନ୍ ଏମ୍ଓପି ଏବଂ ୧,୬୮,୪୦୦ ଏନ୍ପିକେଏସ୍ ଆବଣ୍ଟନ ହୋଇଥିଲେ ସୁଦ୍ଧା ରାଜ୍ୟ ୪୨,୮୬୭ ମେଟ୍ରିକ୍ ଟନ୍ ଏମ୍ଓପି ଏବଂ ୧,୦୫,୭୯୮ ମେଟ୍ରିକ୍ ଟନ୍ ଏନ୍ପିକେଏସ୍ ପାଇଛି। ଏଥିପାଇଁ ୬୦,୦୦୦ ମେଟ୍ରିକ୍ ଟନ୍ ଏମ୍ଓପି ଏବଂ ୧,୪୨,୦୦୦ ମେଟ୍ରିକ୍ ଟନ୍ ଏନ୍ପିକେଏସ୍ ଯୋଗାଣ ପ୍ରସ୍ତାବରେ ବି ରାଜ୍ୟ ଏକମତ ହୋଇଥିଲା। ସୂଚନା ଯେ, ରାଜ୍ୟ ସାମଗ୍ରିକ ଭାବେ ଆବଣ୍ଟନର ୬୨% ଏବଂ ସମ୍ମତ ହୋଇଥିବା ଯୋଗାଣ ଯୋଜନାର ୬୯% ୟୁରିଆ ପାଇଛି। ଏହାଛଡ଼ା, ରାଜ୍ୟ ଅନ୍ୟାନ୍ୟ ସାରରୁ ମଧ୍ୟ ୬୦% ରୁ ୭୪% ପାଇଛି। ନିକଟ ଅତୀତରେ ହୋଇଥିବା ବାତ୍ୟା ‘ୟାସ୍’ ଏବଂ ବିଗତବର୍ଷମାନଙ୍କରେ ଅନ୍ୟ କେତେକ ସାମୁଦ୍ରିକ ତୋଫାନ ଯୋଗୁଁ ରାଜ୍ୟର କୃଷକମାନେ ଭୀଷଣ ଫସଲହାନୀ ସହିଛନ୍ତି। ତେଣୁ, ସେମାନଙ୍କର ଫସଲ ଉତ୍ପାଦନ ବୃଦ୍ଧି ନିମନ୍ତେ ସାର ଯୋଗାଣ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା। ଜୁଲାଇ ମଧ୍ୟ ଭାଗରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ରାଜ୍ୟରେ ୟୁରିଆ ବ୍ୟବହାର ଅଧିକ ହୋଇଥିବା ବେଳେ ଜୁଲାଇରୁ ଅଗଷ୍ଟ ପର୍ଯ୍ୟନ୍ତ ଅନ୍ୟାନ୍ୟ ସାରଗୁଡ଼ିକର ଚାହିଦା ଥାଏ। ତେଣୁ, କୃଷକମାନଙ୍କ ସ୍ବାର୍ଥ ପ୍ରତି ଦୃଷ୍ଟି ଦେଇ ଓଡ଼ିଶାକୁ ଆବଣ୍ଟନ ଏବଂ ପ୍ରଦତ୍ତ ସମ୍ମତି ଅନୁସାରେ ସାର ଯୋଗାଣ ପାଇଁ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସାର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।