ଆଜିଠୁ ଦଶମ ଶ୍ରେଣୀ ପ୍ରି-ବୋର୍ଡ ପରୀକ୍ଷା
![](https://thetruths.in/wp-content/uploads/2021/04/574c6713-734b-416b-b0eb-3d05410992c3-1024x683.jpg)
ଏପ୍ରିଲ ୮ରେ ୱେବସାଇଟରେ ଉପଲବ୍ଧ ହେବ ଆଦର୍ଶ ଉତ୍ତର
ଭୁବନେଶ୍ୱର : ଆଜି ଠାରୁ ଚଳିତବର୍ଷ ପରୀକ୍ଷା ଦେବାକୁ ଯାଉଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରି-ବୋର୍ଡ ପରୀକ୍ଷା । ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଦ୍ୱାରା ପ୍ରସ୍ତୁତ ପ୍ରଶ୍ନପତ୍ର ଆଧାରରେ ରାଜ୍ୟର ପ୍ରାୟ ୬ହଜାରରୁ ଅଧିକ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ଏହି ପରୀକ୍ଷା ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଦୁଇଟି ସିଟିଂରେ କରାଯିବ । ପ୍ରଥମ ସିଟିଂ ପରୀକ୍ଷା ୭ଟା ୩୦ରୁ ୯ଟା ୩୦ ହେବାକୁ ଥିବାବେଳେ ଦ୍ଵିତୀୟ ସିଟିଂ ସକାଳ ୧୦ଟାରୁ ୧୨ଟା ଯାଏ ଚାଲିବ । ଅନ୍ୟପକ୍ଷରେ ଗଣିତ ପରୀକ୍ଷାରେ ୧୫ ମିନିଟ୍ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ଦିଆଯିବ । ପ୍ରଥମ ଦିନ ଓଡ଼ିଆ ଓ ସାମାଜିକ ବିଜ୍ଞାନ ପରୀକ୍ଷା ହେବାକୁ ଥିବାବେଳେ ଦ୍ଵିତୀୟ ଦିବସରେ ଇଂରାଜୀ ଓ ସାମାଜିକ ବିଜ୍ଞାନ, ତୃତୀୟ ଦିବସରେ ଗଣିତ ଓ ତୃତୀୟ ଭାଷା ପରୀକ୍ଷା ହେବ । ଏହି ପରୀକ୍ଷାରେ ପାଖାପାଖି ୬ ହଜାର ସରକାରୀ ଓ ବେସରକାରୀ ବିଦ୍ୟାଳୟ ଅଂଶଗ୍ରହଣ କରୁଛନ୍ତି । ପରୀକ୍ଷାର ସ୍ୱଚ୍ଛତା ଓ ନିରପେକ୍ଷତା ପାଇଁ ଓଷ୍ଟା ପକ୍ଷରୁ ସମସ୍ତ ଶିକ୍ଷକ ଓ ପ୍ରଧାନଶିକ୍ଷକଙ୍କ ସହଯୋଗ କାମନା କରାଯାଇଛି। ପରୀକ୍ଷା ସରିବା ପରେ ୮ ତାରିଖରେ ସମସ୍ତ ପ୍ରଶ୍ନର ଆଦର୍ଶ ଉତ୍ତର ଓଷ୍ଟା ୱେବସାଇଟ୍ ossta.in ରେ ଉପଲବ୍ଧ ହେବ । ଛାତ୍ରଛାତ୍ରୀ ଲେଖିଥିବା ଉତ୍ତରକୁ ପରଖି ପାରିବେ ଓ ଶିକ୍ଷକମାନେ ମଧ୍ୟ ଉକ୍ତ ଆଦର୍ଶ ଉତ୍ତର ମାଧ୍ୟମରେ ଖାତା ମୂଲ୍ୟାୟନ କରିବେ। ଏପ୍ରିଲ ୧୦ରେ ପରୀକ୍ଷା ଫଳ ପ୍ରକାଶିତ ହେବ ଏବଂ ଉତ୍ତରକୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅବଗତି ନିମନ୍ତେ ଦିଆଯିବ।
ସୂଚନା ଯେ, ମାଟ୍ରିକ ପରୀକ୍ଷାକୁ ଆଉ ମାତ୍ର ଗୋଟିଏ ମାସ ରହିଲା। ପ୍ରତ୍ୟେକ ବିଦ୍ୟାଳୟରେ ପାଠ୍ୟକ୍ରମ ଶେଷ ହୋଇ ଅଭ୍ୟାସ କାର୍ଯ୍ୟ ପ୍ରାୟ ଶେଷ ହେଲାଣି। ଫଳରେ ଏହି ପ୍ରି-ବୋର୍ଡ ପରୀକ୍ଷାରେ ବୋର୍ଡ ପରୀକ୍ଷାରେ ଆସିବାକୁ ଥିବା ପ୍ରଶ୍ନର ଅବିକଳ ପ୍ରଶ୍ନରେ ପିଲାମାନେ ପରୀକ୍ଷା ଦେବେ। ଅନ୍ୟପକ୍ଷରେ ଗଣଶିକ୍ଷା ବିଭାଗ ପକ୍ଷରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୩ଟି ପ୍ରାକ୍ଟିସ୍ ପରୀକ୍ଷା ଶେଷ ହୋଇଛି। ୪ର୍ଥ ତଥା ଶେଷ ପ୍ରାକ୍ଟିସ୍ ପରୀକ୍ଷା ଏପ୍ରିଲ ୧୫ରୁ ୧୭ ମଧ୍ୟରେ ଅନୁଷ୍ଠିତ ହେବ। ଦୁଇଟି ସିଟିଂରେ ଏହି ପରୀକ୍ଷା କରାଯିବ। ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ www.bseodisha.nic.in ରେ ପ୍ରଶ୍ନପତ୍ର ଛଡ଼ାଯିବ। ସ୍କୁଲ କର୍ତୃପକ୍ଷ ସେଠାରୁ ପ୍ରଶ୍ନପତ୍ର ଡାଉନ୍ଲୋଡ୍ କରି ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଇବେ। ପରୀକ୍ଷା ସରିବା ଦିନ ହିଁ ଉତ୍ତର ଖାତାଗୁଡ଼ିକ ଛଡ଼ାଯିବ। ଏ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ କୁହାଯାଇଛି। ସେହିପରି ୯ମ ଶ୍ରେଣୀ ବାର୍ଷିକ ପରୀକ୍ଷା ଏପ୍ରିଲ ୨୨ରୁ ୨୪ପର୍ଯ୍ୟନ୍ତ ହେବ ବୋଲି ଓଷ୍ଟାର ବିନୋଦ ବିହାରୀ ପାଣିଗ୍ରାହୀ, ଭିକାରି ଚରଣ ସାହୁ, ରଞ୍ଜନ କୁମାର ଦାଶ, ଅଶୋକ କୁମାର ମହାପାତ୍ର ପ୍ରମୁଖ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି।