ବାଲେଶ୍ୱର ସହରରୁ ସମସ୍ତ ଅଦାଲତ ସ୍ଥାନାନ୍ତରକୁ ସିଭିଲ୍ ସୋସାଇଟିର ବିରୋଧ

ବାଲେଶ୍ୱର : ବାଲେଶ୍ୱର ସହରରେ ଥିବା ସମସ୍ତ ବିଚାର ବିଭାଗୀୟ ଅଦାଲତକୁ ସହରରୁ ସ୍ଥାନାନ୍ତର କରି ରେମୁଣା ବିଜ୍ଞାପିତ ଅଞ୍ଚଳ ଅଧୀନସ୍ଥ ୭ ନମ୍ବର ୱାର୍ଡ଼ ସଂଲଗ୍ନ ବିଦ୍ୟାଧରପୁର ମୌଜାରେ ନିର୍ମାଣ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ରେମୁଣା ତହସିଲଦାର ଗତ ଅଗଷ୍ଟ ୨୧ ତାରିଖ ଦିନ ସର୍ବସାଧାରଣଙ୍କ ଆପତ୍ତି ଅଭିଯୋଗ ଆହ୍ୱାନ କରିଛନ୍ତି । ଜିଲାର ମୁଖ୍ୟ ଦପ୍ତରରୁ ସମସ୍ତ ଅଦାଲତ ସହରଠାରୁ ପ୍ରାୟ ୧୨ କିଲୋମିଟର ଦୂରକୁ ସ୍ଥାନାନ୍ତର ନିଷ୍ପତ୍ତିକୁ ବିରୋଧ କରି ବାଲେଶ୍ୱର ସିଭିଲ୍ ସୋସାଇଟିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଉଠା ଜଳସେଚନ କର୍ମଚାରୀ ଭବନରେ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲା ପ୍ରଶାସନର ଏହା ଏକ ଅପରିଣାମଦର୍ଶୀ ନିଷ୍ପତ୍ତି ବୋଲି ଉପସ୍ଥିତମାନେ ମତପ୍ରକାଶ କରିଥିଲେ । ସଡ଼କ ଓ ରେଳପଥରେ ସହରକୁ ଜନସାଧାରଣଙ୍କ ଯାତାୟତାର ସମସ୍ତ ସୁବିଧା ଥିବାବେଳେ ସହରରୁ ଅଦାଲତଗୁଡ଼ିକ ସ୍ଥାନାନ୍ତର ପ୍ରସ୍ତାବକୁ ବିଭିନ୍ନ ସାମାଜିକ ସଂଗଠନମାନଙ୍କ ସହଯୋଗରେ ଦୃଢ଼ ବିରୋଧ କରାଯିବ । ଆସନ୍ତା ସପ୍ତାହରେ ସିଭିଲ୍ ସୋସାଇଟିର ଏହି ନିଷ୍ପତ୍ତିକୁ ଲିଖିତ ଭାବେ ବାଲେଶ୍ୱର ଜିଲାପାଳ, ଜିଲା ଦୌରାଜଜ୍, ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ପ୍ରଦାନ କରାଯିବ । ସେହିପରି ଆସନ୍ତା ମାସରେ ଏକଲକ୍ଷ ବ୍ୟକ୍ତିଙ୍କର ସ୍ୱାକ୍ଷର ସମ୍ବଳିତ ଏକ ଦାବିପତ୍ରରେ ରାଜ୍ୟ ସରକାର ଓ ବିଚାରବିଭାଗକୁ ଏହି ସ୍ଥାନାନ୍ତର ନିଷ୍ପତ୍ତିର ପୁନଃବିଚାର ପାଇଁ ଅନୁରୋଧ କରାଯିବ । ଜିଲାପାଳଙ୍କ ଦପ୍ତର ନିକଟସ୍ଥ ଅଦାଲତ ପରିସରରେ ଥିବା ସମସ୍ତ ସରକାରୀ ଅଫିସ୍ଗୁଡ଼ିକୁ ଓଭରବ୍ରିଜ୍ ପାଶ୍ୱର୍ରେ ଥିବା ଜିଲା ଜଜ୍ଙ୍କ ପରିସରକୁ ସ୍ଥାନାନ୍ତର କରି, ଜିଲା ଜଜ୍ଙ୍କ ବିଚାରାଳୟ ସମେତ ଜିଲା କେନ୍ଦ୍ରରେ ଥିବା ସମସ୍ତ ବିଚାରାଳୟକୁ ଗୋଟିଏ ପରିସରରେ ରଖାଯିବା ସହ ସମସ୍ତ ବିଚାରପତି ଓ ବିଚାର ବିଭାଗୀୟ କର୍ମଚାରୀଙ୍କ କ୍ୱାର୍ଟର ପ୍ରଭୃତି ଗୋଟିଏ ସ୍ଥାନରେ ରହିପାରିବ ବୋଲି ସିଭିଲ୍ ସୋସାଇଟି ପ୍ରସ୍ତାବ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ବିଚାରାଳୟଗୁଡ଼ିକ ସହରଠାରୁ ଦୂରକୁ ସ୍ଥାନାନ୍ତର ହେଲେ ଆଇନ୍ର ଆଶ୍ରୟ ନେଇଥିôବା ପକ୍ଷମାନେ ଓ ସାକ୍ଷୀମାନେ ସଠିକ୍ ସମୟରେ ବିଚାରାଳୟ ପରିସରରେ ପହଞ୍ଚି ପାରିବେ ନାହିଁ ଏବଂ ଏଥିପାଇଁ ସେମାନେ ଏବଂ ଏଥିପାଇଁ ସେମାନେ ଅଧିକ ଖର୍ଚ୍ଚାନ୍ତ ହେବେ । ଦୀର୍ଘବର୍ଷ ଧରି ସହରରେ ରହି ଆସୁଥିବା ଓକିଲ ଓ ମୋହରୀରମାନେ ଏବଂ କାରାଗାରରେ ଥିବା ବିଚାରାଧୀନ ବନ୍ଦୀମାନଙ୍କ ସମ୍ପର୍କୀୟମାନେ ଅସୁବିଧାର ସମ୍ମୁଖୀନ ହେବେ । ରେମୁଣା ଡାକ୍ତରଖାନା ଓ ହାଇସ୍କୁଲ୍ ପ୍ରଭୃତି ଶିକ୍ଷାନୁଷ୍ଠାନ ଅତିକ୍ରମ କରିବାବେଳେ ବଜାରର ସଂକୀର୍ଣ୍ଣ ରାସ୍ତାରେ ଗାଡ଼ିମୋଟର ଯାତାୟତ ସଂଖ୍ୟା ବୃଦ୍ଧି ପାଇ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରିବ । ରେମୁଣା ମେଡିକାଲ୍ କଲେଜ ସଂଲଗ୍ନ ନିର୍ମାଣାଧୀନ ୬୫୦ ଶଯ୍ୟା ବିଶିଷ୍ଟ ହସପିଟାଲ୍ କାର୍ଯ୍ୟକ୍ଷମ ହେବାପରେ ଏହି ସମସ୍ୟା ବହୁଗୁଣରେ ବୃଦ୍ଧିପାଇବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ସୋସାଇଟିର ସଂପାଦକ ମନୋଜ ନାୟକ ଯୋଗଦେଇ ଅଦାଲତଗୁଡ଼ିକ ସ୍ଥାନାନ୍ତର ପ୍ରସ୍ତାବକୁ ବାଲେଶ୍ୱର ଜିଲା ଓକିଲସଂଘ ବିରୋଧ କରିଆସୁଅଛି । ଜିଲାର ସମସ୍ତ ଗଣସଂଗଠନ ଓ ସାମାଜିକ ସଂଗଠନ ଏଥିପାଇଁ ଆବଶ୍ୟକୀୟ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ଓକିଲ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି । ଜାତୀୟ ରାଜପଥ-୧୬ ପାଶ୍ୱର୍ରେ ଥିବା ଗଣେଶ୍ୱରପୁର ମୌଜାରେ ବାଲେଶ୍ୱରବାସୀଙ୍କ ପାଇଁ ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡ୍ ନିର୍ମାଣ ନିମିତ୍ତ ୮ଏକର ପରିମିତ ଜମିରେ ଶିଳାନ୍ୟାସ କରିଥିଲେ । ଏହି ଜମିରେ ବସଷ୍ଟାଣ୍ଡ ନିର୍ମାଣ ଦାୟିତ୍ୱ ବ୍ରିଟ୍କୁ ପ୍ରଦାନ କରାଯାଇଥିଲା । କିନ୍ତୁ ଜିଲାପାଳ ବ୍ରିଟ୍ର ଅଧ୍ୟକ୍ଷ ଦାୟିତ୍ୱରେ ଥିବାବେଳେ ଏହି ଜମିରେ ବହୁତଳ ପ୍ରାସାଦ ନିର୍ମାଣ କରି ବିକ୍ରି କରିବାକୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବା ପରେ ସିଭିଲ୍ ସୋସାଇଟି ସମେତ ବହୁ ସାମାଜିକ ସଂଗଠନ ପ୍ରଶାସନର ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ । କିନ୍ତୁ ପ୍ରଶାସନ ନିଜ ଜିଦ୍ରେ ଅଟଳ ରହିବାରୁ ସିଭିଲ୍ ସୋସାଇଟି ବାଧ୍ୟ ହୋଇ ଓଡ଼ିଶା ହାଇକୋର୍ଟରେ ଆଶ୍ରୟ ନେଇଥିଲା । ଗତ ଅଗଷ୍ଟ ୨୩ ତାରିଖ ଦିନ ମାନ୍ୟବର ଅଦାଲତ ଏହି ମୋକଦ୍ଦମାକୁ ଏକ ଗୁରୁତର ଅଭିଯୋଗ ଭାବେ ଗ୍ରହଣ କରି ପକ୍ଷମାନଙ୍କୁ ନୋଟିସ୍ ପ୍ରଦାନ କରିଛନ୍ତି ବୋଲି ପ୍ରକାଶ କରିଥିଲେ । ବୈଠକରେ ସିଭିଲ୍ ସୋସାଇଟିର ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ, ପୂର୍ବତନ ବିଧାୟକ ପ୍ରଦୀପ୍ତ କୁମାର ପଣ୍ଡା, ସୀତାରାମ ପ୍ରଧାନ, ସନ୍ତୋଷ କୁମାର ସାହୁ, ସତିତ୍ କୁମାର ପତି, ବାସନ୍ତୀ ସାମଲ, ସରସ୍ୱତୀ ପଣ୍ଡା, ସଂଯୁକ୍ତା ବେହେରା, ଭାଗବତ ପ୍ରତିହାରୀ, ମହେଶ୍ୱର ବେହେରା, ଅଜିତ୍ କୁମାର ବରାଳ, ଶ୍ୟାମସୁନ୍ଦର ଜେନା, ବିଧାନ ଚନ୍ଦ୍ର ରାୟ, ଜ୍ଞାନେନ୍ଦ୍ର ମିଶ୍ର, ପରମାନନ୍ଦ ପଣ୍ଡା, ବନ୍ଦନା ବିଶ୍ୱାସ, କମଳାକାନ୍ତ ନାୟକ, ଅରୁଣ ଜେନା, ନିରଞ୍ଜନ ପରିଡ଼ା, ଯତୀନ୍ କୁମାର ପାତ୍ର, ଗଣେଶ ଚନ୍ଦ୍ର ଜେନା, ଗଣେଶ୍ୱର ରାଉତ, ସୁରେଶ ଚନ୍ଦ୍ର ଜେନା, ପୁରୁଷୋତ୍ତମ ବେହେରା ଓ ହ୍ରିତିକ୍ ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଶ୍ରମିକନେତା ଶ୍ୟାମସୁନ୍ଦର ଜେନା ଧନ୍ୟବାଦ ଦେଇଥିଲେ ।