ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ୍ କରୋନା ପଜିଟିଭ୍, ଦିଲ୍ଲୀ ଏମ୍ସରେ ଭର୍ତ୍ତି
ନୂଆଦିଲ୍ଲୀ : କରୋନା କବଳରେ ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ୍ । ଛୋଟା ରାଜନ ପଜିଟିଭ୍ ଚିହ୍ନଟ ହେବା ପରେ ତାକୁ ଦିଲ୍ଲୀ ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତିହାର ଜେଲର ଅଧିକାରୀମାନେ କୋର୍ଟକୁ ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ଛୋଟା ରାଜନ୍ ର ଅବସ୍ଥା ସ୍ଥିର ଥିବା ନେଇ ଜେଲ୍ କର୍ତ୍ତୁପକ୍ଷ କହିଛନ୍ତି ।
ଛୋଟା ରାଜନ୍ ଭଳି କୁଖ୍ୟାତ ଗ୍ୟାଙ୍ଗଷ୍ଟାର ୨୦୧୫ ରେ ଇଣ୍ଡୋନେସିଆରୁ ବାଲିରୁ ଭାରତ ଫେରୁଥିବା ସମୟରେ ଗିରଫ ହୋଇଥିଲା । ଗିରଫ ହେବା ପରଠାରୁ ରାଜନକୁ ଦିଲ୍ଲୀ ତିହାର ଜେଲରେ ରଖାଯାଇଛି । ମୁମ୍ବାଇରେ ଡନ୍ ବିରୋଧରେ ପଞ୍ଜୀକୃତ ହୋଇଥିବା ସମସ୍ତ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଛି ଏବଂ ଏହି ମାମଲାର ଶୁଣାଣୀ ପାଇଁ ଏକ ସ୍ୱତନ୍ତ୍ର କୋର୍ଟ ମଧ୍ୟ ଗଠନ କରାଯାଇଛି । ସୂଚନା ଥାଉକି ଛୋଟା ରାଜନ ନାଁରେ ୭୦ରୁ ଅଧିକ ଅପରାଧିକ ମାମଲା ଚାଲୁରହିଛି । ପତ୍ରକାର ଜ୍ୟୋତିର୍ମୟ ଡି କେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲା । ୧୯୯୩ ମୁମ୍ୱାଇ ବ୍ଲାଷ୍ଟର ମୁଖ୍ୟ କାର୍ପଟଦାର ଥିଲା ଛୋଟା ରାଜନ୍ । ସୂଚନା ଯେ, ଗତ କିଛି ଦିନ ହେବ ତିହାର ଜେଲ ଭିତରେ କରୋନାର କୋପ ଅଧିକ ଦେଖିବାକୁ ମିଳୁଛି । ଗୋଟିଏ ପରେ ଗୋଟିଏ କଏଦୀ ସଂକ୍ରମିତ ହେବା ସହିତ ବହୁ ସିକ୍ୟୁରିଟି ଗାର୍ଡ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଯାହାକୁ ନେଇ ଜେଲ ଭିତରେ କରୋନା କୁ ଆୟତ କରିବା ଏବେ ଜେଲ କର୍ତ୍ତୁପକ୍ଷଙ୍କ ପାଇଁ ସବୁଠାରୁ ବଡ଼ ମୁଣ୍ଡବିନ୍ଧାର କାରଣ ପାଲଟିଛି ।