ନାବାଳିକା ଅସଦାଚରଣ ମାମଲା; ଅଭିଯୁକ୍ତକୁ ୩ବର୍ଷ ଜେଲ ଦଣ୍ଡ
ବାଲେଶ୍ୱର : ବାଲେଶ୍ୱର ଜିଲା ସ୍ୱତନ୍ତ୍ର ପୋକ୍ସୋ ଅଦାଲତରେ ଏକ ନାବାଳିକାକୁ ଅସଦାରଚଣ ମାମଲାର ବିଚାର କରି ସୋମବାର ମାନ୍ୟବର ବିଚାରପତି ରଞ୍ଜନ କୁମାର ସୂତାର ଅଭିଯୁକ୍ତକୁ ୩ବର୍ଷ ଜେଲ ଦଣ୍ଡ ସହ ୪ହଜାର ଟଙ୍କା ଜରିମାନାରେ ଦଣ୍ଡିତ ରାୟ ଶୁଣାଇଛନ୍ତି ।
ସୂଚନା ଯେ, ଚାନ୍ଦିପୁର ଥାନା ଅନ୍ତର୍ଗତ ପାତ୍ରପଡ଼ା ଅଞ୍ଚଳର ସୋମନାଥ ଦାସ (୪୭) ଉକ୍ତ ଗ୍ରାମର ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସାହାଯ୍ୟ ଓ ସହଯୋଗ କରିଆସୁଥିଲେ । ପରୋକ୍ଷରେ ତାଙ୍କ ସ୍ତ୍ରୀ ଓ ନାବାଳିକା ଝିଅ ଉପରେ ମନ୍ଦ ଉଦ୍ଦେଶ୍ୟ ରଖି ବିଭିନ୍ନ ସମୟରେ ଅଶ୍ଳୀଳ ଇଙ୍ଗିତ କରିବା ସହ ଭାଷା ପ୍ରୟୋଗ କରୁଥିଲେ । ଗତ ୨୦୧୫ ମାର୍ଚ୍ଚ ୨୨ ତାରିଖରେ ବିଳମ୍ବିତ ରାତିରେ ନାବାଳିକା ଜଣକ ପାଠ ପଢୁଥିବା ବେଳେ ସୋମନାଥ ତାଙ୍କ ଘରେ ପଶି ବଳାତ୍କାର କରିବା ପାଇଁ ଉଦ୍ୟମ କରିଥିଲେ । ତାର ମା’ ଜାଣିପାରି ପଡ଼ୋଶୀଙ୍କ ସହାୟତାରେ ଝିଅକୁ ଉଦ୍ଧାର କରିଥିଲେ । ଏନେଇ ଗ୍ରାମର ଭଦ୍ରଲୋକମାନେ ସମାଧାନ ନିମନ୍ତେ ବୈଠକ ଡାକିଥିଲେ ମଧ୍ୟ ସୋମନାଥ ନ ଆସିବାରୁ ଗତ ୨୦୧୫ ମାର୍ଚ୍ଚ ୨୮ ତାରିଖରେ ଚାନ୍ଦିପୁର ଥାନାରେ ନାବାଳିକାର ମା’ ଲିଖିତ ଅଭିଯୋଗ କରିଥିଲେ । ଏନେଇ ଚାନ୍ଦିପୁର ଥାନା ମାମଲା (ନଂ. ୨୫ ।୨୦୧୫) ରୁଜୁ କରାଯାଇଥିଲା । ଉକ୍ତ ମାମଲାକୁ ପୋକ୍ସୋ କୋର୍ଟରେ ବିଚାରାଧୀନ ଥିବାବେଳେ ସୋମବାର ଏହାର ରାୟ ପ୍ରକାଶ ପାଇଛି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ଏହି ମୋକଦ୍ଦମାକୁ ପରିଚାଳନା କରୁଥିଲେ ।