ଓଡ଼ିଶାକୁ ଆଉ ୨୫ଲକ୍ଷ ଅଧିକ ଟିକା ଦେବାକୁ ଅନୁରୋଧ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି
ଭୁବନେଶ୍ୱର : ରାଜ୍ୟରେ ଟିକାର ଅଭାବକୁ ନେଇ ଚିଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ଓଡ଼ିଶାକୁ ଆଉ ୨୫ଲକ୍ଷ ଅଧିକ ଟିକା ଦେବାକୁ ଚିଠିରେ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଗକୁ ରାଜ୍ୟରେ ଦୈନିକ ପ୍ରାୟ ୩ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ଯେଉଁଥିପାଇଁ ଅଧିକ ଟିକାର ଆବଶ୍ୟକତା ରହିଛି । ସେହିପରି କୋଭିଡ୍-୧୯ ଟିକା ସରକାରୀ ଯୋଗାଣ ଶୃଙ୍ଖଳ ବାହାରେ, ଅର୍ଥାତ୍ ଖୋଲା ବଜାରରେ ଉପଲବ୍ଧ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ପ୍ରସ୍ତାବ ଦେଇଛନ୍ତି। ଏହାଦ୍ୱାରା କ୍ରୟ କରିବାକୁ ସମର୍ଥ ଲୋକେ ନିଜେ ଟିକା କ୍ରୟ କରି ନେଇପାରିବେ। ଫଳରେ ଟିକା କିଣିବାକୁ ଅସମର୍ଥ ବର୍ଗଙ୍କ ପ୍ରତି ସରକାର ଧ୍ୟାନ ନିବିଷ୍ଟ କରିପାରିବେ। ଓଡ଼ିଶାକୁ ଅଧିକ ଟିକା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୪୭ ଲକ୍ଷ ଡୋଜ୍ କରୋନା ଭ୍ୟାକସିନ୍ ବର୍ତ୍ତମାନ ସୁଦ୍ଧା ସ୍ୱାସ୍ଥ୍ୟ କର୍ମୀ, ଆଗଧାଡ଼ିର କର୍ମୀ ଓ ୪୫ ବର୍ଷରୁ ଅଧକ ବୟସ୍କ ବ୍ୟକ୍ତିଙ୍କୁ ଦିଆଯାଇଛି। ଓଡ଼ିଶା ସରକାର ପ୍ରତିଦିନ ୩ ଲକ୍ଷ ଡୋଜ୍ ଟିକା ଦେବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ରାଜ୍ୟରେ ପ୍ରତିଦିନ ୩ ଲକ୍ଷ ଡୋଜ୍ ଟିକା ଦେବାକୁ ଆବଶ୍ୟକ ହେଉଛି ୨୫ ଲକ୍ଷ ଡୋଜ୍ ଟିକା।
ଯଦି ପ୍ରତିଦିନ ୩ ଲକ୍ଷ ଡୋଜ୍ ଟିକା ଦିଆଯାଏ ତେବେ ବର୍ତ୍ତମାନ ସ୍ଥିତିରେ ଯୋଗ୍ୟ ୪୫ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଟିକା ଦେବାକୁ ୧୬୦ ଦିନ ଲାଗିବ। ତେଣୁ କେନ୍ଦ୍ର ସରକାର ଆବଶ୍ୟକତା ଅନୁସାରେ ଟିକା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଏହି ଚିଠିରେ ଉଲ୍ଲେଖ କରିଛନ୍ତି। ଏହାସହିତ କରୋନା ଭ୍ୟାକସିନ୍ ସରକାରୀ ଯୋଗାଣ ବ୍ୟବସ୍ଥା ଛଡ଼ା ଖୋଲା ମାର୍କେଟ୍ ରେ ବିକ୍ରି କରିବା ପାଇଁ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଏହାଦ୍ବାରା ଯେଉଁ ଲୋକମାନେ ଚାହିଁବେ ସିଧାସଳଖ ମାର୍କେଟରୁ ଟିକା କିଣି ନେଇପାରିବେ। ଏହା ଦ୍ୱାରା ସରକାର ଟିକା କିଣିପାରୁନଥିବା ଅଭାବୀ ଲୋକମାନଙ୍କ ଉପରେ ଫୋକସ୍ କରିପାରିବେ। ବିଶ୍ବସ୍ତରରେ ଅନ୍ୟଦେଶରେ ଅନୁମୋଦନ ପାଇଥିବା ଟିକାକୁ ଭାରତରେ ମଧ୍ୟ ଅନୁମୋଦନ ଦିଆଯାଇପାରେ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ସରକାରଙ୍କ ସହିତ ବିଭିନ୍ନ ରାଜ୍ଯ ସରକାର କରୋନା ଟିକା ଉତ୍ପାଦନ କେନ୍ଦ୍ର ଖୋଲିବା ପାଇଁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଦେଶର ଅର୍ଥନୀତି ନିର୍ଭର କରୁଥିବା ମହାନଗରୀ ଗୁଡ଼ିକରେ ପ୍ରାଥମିକତା ଭିତ୍ତିରେ ଏବଂ ବୟସ କୋହଳ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଚିଠିରେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ ବିଶ୍ୱର ବିଭିନ୍ନ ସରକାର ଓ ବିଶ୍ୱସନୀୟ ପ୍ରତିଷ୍ଠାନ ସବୁ ଅନୁମୋଦନ କରିଥିବା କୋଭିଡ୍ ଟିକାର ଯୋଗାଣ ମଧ୍ୟ ବୃଦ୍ଧି କରାଯାଉ। ଭାରତରେ ଟିକା ପ୍ରସ୍ତୁତି ପାଇଁ ବ୍ୟାପକ ସୁବିଧା ଥିବାରୁ ଟିକା ଉତ୍ପାଦନ ବୃଦ୍ଧି ନିମନ୍ତେ ସମ୍ପୃକ୍ତ କମ୍ପାନିଗୁଡ଼ିକୁ କେନ୍ଦ୍ର ଓ ରାଜ୍ୟ ସରକାର ସହଯୋଗ କରିବା ଉଚିତ। ଏହା ବ୍ୟତିରେକେ, କୋଭିଡ୍ ସଂକ୍ରମଣ ହାର ସର୍ବାଧିକ ଥିବା ଅଳ୍ପ କେତୋଟି ମେଟ୍ରୋପଲିଟାନ୍ ସହରମାନଙ୍କରେ ବୟସ କଟକଣା ହଟାଯାଇ ଟିକାକରଣକୁ ପ୍ରାଥମିକତା ଦିଆଯିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମେଟ୍ରୋପଲିଟାନ୍ ସହର ଦେଶ ଅର୍ଥନୀତିର ପେଣ୍ଠ ହୋଇଥିବାରୁ କୌଣସି ପ୍ରକାର ଲକ୍ଡାଉନ୍ ଘୋଷଣା କରାଗଲେ ଶ୍ରମିକମାନେ ଗୃହାଭିମୁଖୀ ହେବେ ଓ ଦେଶର ବାକି ଅଞ୍ଚଳକୁ ଏହା ପ୍ରଭାବିତ କରିବ।