ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ନୂଆଦିଲ୍ଲୀ : ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । ନିଜର ଉଲ୍ଲେଖନୀୟ ନେତୃତ୍ବ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି । ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଏନ.ଭି ରମଣାଙ୍କ ଠାରୁ ନବୀନ ଜୀବନବ୍ୟାପୀ ସାଧନା ପୁରସ୍କାର ଗ୍ରହଣ କରିଛନ୍ତି ।
ଦିଲ୍ଲୀରେ ଏବେ ବିଜେଡିର କିଛି ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଅଛନ୍ତି । ଏତେ ବଡ ସମ୍ମାନ ପାଉଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ସବୁ ଜିଲ୍ଲା ଯୁବ ଓ ଛାତ୍ର ସଭାପତିଙ୍କୁ ଦିଲ୍ଲୀ ନିଆଯାଇଛି । ପାରମ୍ପରିକ ନାଚ, ଗୀତ ଆଦିର ବ୍ୟବସ୍ଥା କରାଯାଇଛି । ଆସନ୍ତା ୬ ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବେ । ତେବେ ଦିଲ୍ଲୀ ଦରବାର ଓ ଭୁବନେଶ୍ବର ବିମାନ ବନ୍ଦରରେ ଭବ୍ୟ ସ୍ବାଗତ କରିବା ଆଳରେ ଶକ୍ତି ପ୍ରଦର୍ଶନ କରିବ ବିଜେଡି ।
ଏନେଇ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ସମସ୍ତ ବ୍ୟବସ୍ଥା କରିବା ପାଇଁ ଏକାଧିକ ହେବିୱେଟ ବିଧାୟକଙ୍କୁ ଦାୟିତ୍ବ ଦିଆଯାଇଛି । ପଲିଟିକାଲ କ୍ୟାପିଟାଲ ଦିଲ୍ଲୀ ଓ ଭୁବନେଶ୍ବରରେ ବିଜୁ ଜନତା ଦଳ ଶକ୍ତି ପ୍ରଦର୍ଶନ କରିବ । ଦିଲ୍ଲୀରେ ପ୍ରାୟ ୫ ହଜାର ଲୋକଙ୍କୁ ନେଇ ନବୀନଙ୍କୁ ସମ୍ବର୍ଦ୍ଧିତ ଆଳରେ କେନ୍ଦ୍ରୀୟ ବିଜେପିକୁ କଡା ବାର୍ତ୍ତା ଦେବାକୁ ପ୍ରୟାସ କରିବ ବିଜେଡି । ଏହା ସହ ଭୁବନେଶ୍ବରରେ ନବୀନଙ୍କୁ ସ୍ବାଗତ କରିବା ଆଳରେ ବିଜେଡି ପ୍ରାୟ ୫୦ ହଜାର କର୍ମୀଙ୍କୁ ଏକଜୁଟ କରି ବିଶାଳ ଶୋଭାଯାତ୍ରା କରିବାକୁ ଯୋଜନା କରିଛି ।